Spread the love

ବଲାଙ୍ଗୀର: ନକଲି ସାର୍ଟିଫିକେଟ୍ ମାମଲାର ଅନ୍ୟତମ ମାଷ୍ଟରମାଇଣ୍ଡ ଆଲୋକ ଉଦଗାତା ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଥିବାର ଖବର ମିଳିଛି। ତାଙ୍କୁ ଆଇସିୟୁରେ ରଖାଯାଇଥିବାର ସୂଚନା ମିଳିଛି। କ୍ରାଇମବ୍ରାଞ୍ଚ୍ ଆଲୋକଙ୍କ ସମେତ ୪ ଜଣଙ୍କୁ ରିମାଣ୍ଡରେ ଆଣିଥିଲା।
ସୂଚନାଯୋଗ୍ୟ, ଗତ ବୁଧବାରଠାରୁ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରି ଅଧିକରୁ ଅଧିକ ତଥ୍ୟ କ୍ରାଇମବ୍ରାଞ୍ଚ ଟିମ୍‌ ସଂଗ୍ରହ କରୁଛି। ମାଷ୍ଟରମାଇଣ୍ଡ ମନୋଜ ମିଶ୍ରଙ୍କ ସହିତ ଚାରିଜଣ ଅଭିଯୁକ୍ତଙ୍କଠାରୁ ବହୁତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅଧିକାରୀମାନେ ପାଇସାରିଲେଣି। ଏପରିକି ଦୁଇ ମାଷ୍ଟରମାଇଣ୍ଡ ମନୋଜ ମିଶ୍ର ଓ ଆଲୋକ ଉଦ୍‌ଗାତାଙ୍କ ସ୍ତ୍ରୀଙ୍କୁ ଟାଉନ ଥାନାକୁ ଡାକି କ୍ରାଇମବ୍ରାଞ୍ଚର ମହିଳା ଅଧିକାରୀ ମମତାରାଣୀ ପଣ୍ଡା ପଚରାଉଚରା କରିଛନ୍ତି। ଗତକାଲି ଅପରାହ୍ନ ୫ଟାରେ ଚାରିଜଣ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଆଣିଥିଲା। ମାଷ୍ଟରମାଇଣ୍ଡ ମନୋଜ ମିଶ୍ର, ସହଯୋଗୀ ଆଲୋକ ଉଦ୍‌ଗାତା ଏବଂ ନକଲି ସାର୍ଟିଫିକେଟ କିଣିଥିବା ତ୍ରିବିହାରୀ ପଣ୍ଡା ଓ ପରେଶ ବୁଡେକଙ୍କୁ ରିଜର୍ଭ ବାରାକରେ ରଖି କ୍ରାଇମବ୍ରାଞ୍ଚ ଜେରା କରୁଛି। ଗତକାଲିଠାରୁ କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିଂହ୍ନା ପହଞ୍ଚି ତଦନ୍ତର ସମୀକ୍ଷା କରିବା ସହ ଆଜି ନିଜେ କ୍ଷେତ୍ର ପରିଦର୍ଶନ ବି କରିଛନ୍ତି।

କ୍ରାଇମବ୍ରାଞ୍ଚର ମୋଟ ୧୦ ଜଣିଆ ଟିମ୍‌ ଏବେ ଭାଗ ଭାଗ ହୋଇ ତଦନ୍ତକୁ ତ୍ୱରାନ୍ୱିତ କରିଛନ୍ତି। ଟାଉନା ଥାନାରେ କ୍ରାଇମବ୍ରାଞ୍ଚର ମହିଳା ଅଧିକାରୀ ମମତାରାଣୀ ପଣ୍ଡା ତନାଘନା କରୁଛନ୍ତି। ଆଉ ଏକ ଟିମ ଦୁଇଦିନ ହେଲା ଚାରିଜଣ ଅଭିଯୁକ୍ତଙ୍କୁ ପ୍ରଶ୍ନବାଣରେ ଘାଇଲା କରୁଛି। ଅନେକ ତଥ୍ୟ ମଧ୍ୟ ହାସଲ କରିଛି। ତେଣୁ ଏବେ ଅଭିଯୁକ୍ତମାନଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଜଣ ଜଣ କରି ସମସ୍ତଙ୍କୁ ଗିରଫ କରିବାକୁ କ୍ରାଇମବ୍ରାଞ୍ଚ ପ୍ରସ୍ତୁତି ଚଳାଇଥିବା ସୂଚନା ମିଳିଛି। କ୍ରାଇମବ୍ରାଞ୍ଚ ଡିଏସ୍‌ପି ଦେବବ୍ରତ ଚକ୍ର କହିଛନ୍ତି, ରାଜ୍ୟ ବାହାରକୁ ଟିମ ଯିବ ନିଶ୍ଚିତ। ଏହାସହ ଆଗକୁ ଗିରଫଦାରୀ ବହୁ ସଂଖ୍ୟାରେ ବଢ଼ିବ ବୋଲି ସେ କହିଛନ୍ତି। ଅନ୍ୟ ପକ୍ଷରେ ଏହି ଜାଲ ସାର୍ଟିଫିକେଟ କାରବାରରେ ବିଭିନ୍ନ ସରକାରୀ ବିଭାଗରେ ବଡ଼ବଡ଼ିଆଙ୍କ ମଧ୍ୟ ସଂପୃକ୍ତି ଥାଇପାରେ। ତେଣୁ କ୍ରାଇମବ୍ରାଞ୍ଚ ସେଦିଗରେ ମଧ୍ୟ ତଦନ୍ତ କରି ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *