Spread the love

ବାଲେଶ୍ବର : ଗ୍ରାମାଞ୍ଚଳ ମହିଳାଙ୍କ ସରଳତାର ସୁଯୋଗ ନେଇ ସେମାନଙ୍କ ବିଶ୍ୱାସରେ ବିଷ ମିଶାଯାଉଛି। ଅଜଣାତରେ ସାଂଘାତିକ ଷଡଯନ୍ତ୍ରର ଶିକାର ହେଉଛନ୍ତି ନୀରିହ ମହିଳା। ସ୍ମାର୍ଟ ଫୋନ୍‌ ଧରି ନ ଥିବା ମହିଳାଙ୍କ ନାଁରେ ଅନଲାଇନ୍‌ ଆପ୍‌ରେ ଉଠାଯାଉଛି ଲୋନ୍‌ । ଋଣ ନ କରି ବି ଋଣ ଭାରରେ ବୁଡ଼ି ରହିଛନ୍ତି ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳର ସାନପାଟପୁର ଓ ଟଣକା ଗାଁର ଶତାଧିକ ମହିଳା। ଗ୍ରାମାଞ୍ଚଳ ମହିଳାଙ୍କ ନାଁରେ ଏପରି ଲକ୍ଷ ଲକ୍ଷ ଟଙ୍କା ଉଠାଯାଇଥିବା ଜଣାପଡ଼ିଥିବା ବେଳେ ମହିଳାମାନେ କିନ୍ତୁ ଏ ସମ୍ପର୍କରେ କିଛି ଟେର ପାଇ ପାରୁ ନାହାନ୍ତି। ଦାଣ୍ଡ ଦୁଆରେ ଏଜେଣ୍ଟ ପହଞ୍ଚି ଟଙ୍କା ମାଗିବାରୁ ସେମାନେ ଲୋନ୍‌ ବିଷୟରେ ଜାଣିବାକୁ ପାଉଛନ୍ତି। ଏହା ଜାଣି ସେମାନଙ୍କୁ ଝଟକା ଲାଗୁଥିବା ବେଳେ ଟଙ୍କା କିପରି ଶୁଝିବେ ସେମାନଙ୍କୁ ବାଟ ଦିଶୁନି।
‘ଧାନୀ’ ନାମକ ଆପ୍ ଜରିଆରେ ମୋବାଇଲ ନ ଥିବା ଲୋକଙ୍କ ନାଁରେ ବି ଉଠୁଛି ଋଣ । ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଟାର୍ଗେଟ୍ କରି ପ୍ରଥମେ ସେମାନଙ୍କୁ ଋଣର ଅଧା ଛାଡ଼ କରିବାକୁ ପ୍ରଲୋଭନ ଦେଖାଗଲା। ଏହା ଏକ ସରକାରୀ ଯୋଜନା ହୋଇଥିବା ବେଳେ ଷ୍ଟେଟ ବ୍ୟାଙ୍କ ଜରିଆରେ ଟଙ୍କା ମିଳିବ ବୋଲି କୁହାଗଲା। ଏପରି ଭାବେ ବିଶ୍ୱାସ ଜନ୍ମାଇ ଗ୍ରୁପ ସଦସ୍ୟାଙ୍କ ଡକ୍ୟୁମେଣ୍ଟ ହାତେଇ ଋଣ ଉଠାଇ ନିଆଗଲା। ହେଲେ ମହିଳାମାନେ ଟଙ୍କାଟେ ବି ପାଇଲେ ନାହିଁ ।
ସ୍ୱୟଂ ସହାୟକ ଗୋଷ୍ଠୀର ମୁଖିଆଙ୍କୁ ହାତେଇ ସଦସ୍ୟଙ୍କ ଆଧାର କାର୍ଡ, ପ୍ୟାନ୍‌ କାର୍ଡ ଏବଂ ଫଟୋକୁ ହାତେଇ ନେଉଛନ୍ତି ‘ଧାନୀ’ ଆପ୍‌ର ଏଜେଣ୍ଟ । ଏହାପରେ ସେମାନଙ୍କ ନାମରେ ଲୋନ୍‌ ଟଙ୍କା ଉଠା ଯାଉଥିବା ବେଳେ ସମ୍ପୃକ୍ତ ମହିଳାଙ୍କ ଫୋନ୍‌କୁ ଓଟିପି ବି ଆସୁନି। । ଜଣଙ୍କନାଁରେ ୧୫ ହଜାର ଟଙ୍କାରୁ ଅଧିକ ଟଙ୍କାର ଲୋନ୍‌ ଉଠା ଯାଉଥିବା ସୂଚନା ମିଳିଛି ।
ଏପରି ଭାବେ ଲକ୍ଷ ଲକ୍ଷ ଟଙ୍କା ଧରି ଠକ ସଂସ୍ଥା ଫେରାର ହୋଇ ଯାଉଥିବା ବେଳେ ଏଜେଣ୍ଟମାନେ ଆସି ଲୋନ୍‌ ତାଲିକାରେ ନାଁ ଥିବା ମହିଳାଙ୍କ ଦୁଆରେ ବସୁଛନ୍ତି। ଉକ୍ତ ସମୟରେ ମହିଳାମାନେ ସେମାନଙ୍କ ନାଁରେ ହୋଇଥିବା ଋଣ ସମ୍ପର୍କରେ ଜାଣି ପାରୁଛନ୍ତି।
ଏ ଟଙ୍କା କିପରି ଶୁଝିବେ ବୁଦ୍ଧିବାଟ ଦିଶୁ ନ ଥିବା ବେଳେ ନିଜେ ଲୋନ୍‌ ପାଇଁ ଯିବା ବେଳେ ସେମାନଙ୍କୁ ଆଉ ଲୋନ୍‌ ମିଳୁନି। କେବଳ ଗ୍ରାମାଞ୍ଚଳ ମହିଳା ନୁହନ୍ତି, ବହୁ ଚାଷୀ ନାଁରେ ବି ଲୋନ୍ ଉଠୁଛି। ଜଣେ ବୃଦ୍ଧା ସ୍ମାର୍ଟ ଫୋନ୍‌ ବ୍ୟବହାର ଜାଣି ନ ଥିବା ବେଳେ ତାଙ୍କ ନାଁରେ ଅନ୍‌ଲାଇନ୍‌ ଆପ୍‌ରେ କିପରି ଟଙ୍କା ଉଠିଲା ତାହା ଜଣାପଡ଼ୁନି।

ତେବେ ଏ ନେଇ ସମ୍ପୃକ୍ତ ଲୋନ୍ ଆପ୍‌ ଏଜେଣ୍ଟ କିମ୍ବା ଅନ୍ୟ କୌଣସି କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ପୁଲିସ୍‌ ଏହି ଘଟଣାର ଖୋଳତାଡ଼ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *