Spread the love

ମସ୍କୋ: ଆଜି ରୁଷ୍‌ର ସୁଦୂର ପୂର୍ବ ଉପକୂଳ ସମୁଦ୍ର ମଧ୍ୟରେ ୬.୯ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
‘ରୁଷିଆନ୍‌ ଏକାଡେମି ଅଫ୍ ସାଇନ୍‌ସେସ୍’ର ଜିଓଫିଜିକାଲ୍‌ ସର୍ଭିସେସ୍‌’ ମଧ୍ୟ କହିଛି ଯେ, ରୁଷ୍‌ର ସୁଦୂର ପୂର୍ବରେ ଥିବା ଅଭାଚା ଉପସାଗରର ଜଳରାଶିରେ ୬.୯ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଛି।
ରୁଷୀୟ ନଗରୀ ପେଟ୍ରୋପାଭ୍‌ଲୋଭସ୍କ୍‌-କାମ୍‌ଚାତ୍‌ସ୍କିଠାରୁ ୪୮ କିଲୋମିଟର୍‌ ଦୂରରେ ଆଜି ସକାଳେ ୫.୭ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଛି ବୋଲି ‘ସ୍ପୁଟ୍‌ନିକ୍‌’ ରିପୋର୍ଟ କରିଥିଲା। କିନ୍ତୁ, ରିକ୍ଟର୍‌ସ୍କେଲ୍‌ରେ ଏହି ଭୂମିକମ୍ପର ତୀବ୍ରତା ୬.୯ ବୋଲି ପରେ ଉକ୍ତ ରିପୋର୍ଟକୁ ସଂଶୋଧନ କରିଛି।
ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ହେଉଛି ଆଭାଚା ଉପସାଗର ମଧ୍ୟସ୍ଥ ଭୂଗର୍ଭର ୯୯.୫ କିଲୋମିଟର୍‌ ଅଭ୍ୟନ୍ତରରେ। ଭୂମିକମ୍ପ ଯୋଗୁଁ କାନ୍ଥ ଓ ଝରକା ଥରି ଉଠିଥିବା କଥା ପେଟ୍ରୋପାଭ୍‌ଲୋଭସ୍କ୍‌-କାମ୍‌ଚାତ୍‌ସ୍କି ନଗରୀର ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।
କିନ୍ତୁ, ଏହି ଭୂମିକମ୍ପ ଯୋଗୁଁ ସୁନାମି ଆସିବାର ସମ୍ଭାବନା ନାହିଁ ବୋଲି ସ୍ଥାନୀୟ ଜରୁରୀକାଳୀନ କର୍ତ୍ତୃପକ୍ଷମାନେ କହିଛନ୍ତି।
ସେହିପରି, ଆଜି ବଡ଼ି ସକାଳେ ଭାରତର ଉତ୍ତର ପ୍ରଦେଶ ଅନ୍ତର୍ଗତ ବିଜ୍‌ନୋର୍‌ରେ ମଧ୍ୟ ୨.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ଭୋର୍‌ ୪.୩୩ରେ ଭୂଗର୍ଭର ୧୦ କିଲୋମିଟର୍‌ ଅଭ୍ୟନ୍ତର ଥିଲା ଏହି ଭୂମିକମ୍ପର ଉତ୍ପତ୍ତିସ୍ଥଳ। କିନ୍ତୁ, ଏଥିଯୋଗୁଁ କିଛି ଧନଜୀବନ କ୍ଷୟକ୍ଷତି ହୋଇଥିବା ରିପୋର୍ଟ ମିଳିନାହିଁ।

Leave a Reply

Your email address will not be published. Required fields are marked *