Spread the love

ମାଲକାନଗିରି : ବିଭିନ୍ନ ସମୟରେ ଦେଶର ବଡ଼ ବଡ଼ ସହରରୁ ସମଲିଙ୍ଗୀ ବିବାହ ସଂପର୍କିତ ଖବର ଆସୁଥିବା ବେଳେ ଏବେ ଏମିତି ଏକ ଖବର ଆସିଛି ମାଲକାନଗିରି ଜିଲ୍ଲାରୁ। ସମଲିଙ୍ଗୀ ବିବାହକୁ ନେଇ ତର୍କବିତର୍କ ଜାରି ରହିଥିବା ବେଳେ ଏଠାକାର ଦୁଇ ଜଣ ଯୁବତୀ (ଜଣେ ବଣ୍ଡା ଓ ଅନ୍ୟ ଜଣେ ଆଦିବାସୀ ସଂପ୍ରଦାୟର) ପରସ୍ପରକୁ ଜୀବନସାଥୀ କରି ନେଇଛନ୍ତି। ଉଭୟ ନୂଆ ସଂସାର ଗଢ଼ି ସାରିଥିବା ବେଳେ ଏହାକୁ ବଣ୍ଡା ଜାତି ସାଦରେ ଗ୍ରହଣ କରି ନେଇଛନ୍ତି। ମାତ୍ର ଆଦିବାସୀ ଯୁବତୀଙ୍କ ପରିବାର ଲୋକେ ଏହାକୁ ସ୍ୱୀକୃତି ଦେଇ ନାହାନ୍ତି। ସେମାନେ ଏହି ବିବାହକୁ ନେଇ ଅସନ୍ତୁଷ୍ଟ ଅଛନ୍ତି।
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ହାତିଆମ୍ବ ଗାଁର ବଣ୍ଡା ଯୁବତୀ କୌଶଲ୍ୟା ମୁଦୁଲି ଦାଦନ ଖଟିବାକୁ ତେଲେଙ୍ଗାନାର ଏକ ଚିଙ୍ଗୁଡ଼ି କମ୍ପାନୀକୁ ଯାଇଥିଲେ । ସେଠାରେ ତାଙ୍କର ମାଥିଲି ବ୍ଲକ ଗଣ୍ଡେନଗୁଡ଼ା ଗାଁର ଆଦିବାସୀ ଯୁବତୀ ଦ୍ରୁପତି ଭୂମିୟାଙ୍କ ସହ ଭେଟ ହୋଇଥିଲା। ଦେଖାସାକ୍ଷାତ ଭିତରେ ସେମାନଙ୍କ ମଧ୍ୟରେ ହୋଇଥିଲା ବନ୍ଧୁତା। ତେବେ ଏହି ବନ୍ଧୁତା କେବେ ଯେ ପ୍ରେମର ରୂପ ନେଇଗଲା ତାହା ଉଭୟ ଜାଣି ପାରି ନ ଥିଲେ।
ଘର ଲୋକଙ୍କ ନିକଟରେ କଥା ପହଞ୍ଚିବା ପରେ ଉଭୟ ଘରକୁ ଫେରି ଆସିଥିଲେ। ଏଠାରେ ଉଭୟ ବିବାହ କରି କୌଶଲ୍ୟାଙ୍କ ଘରେ ରହୁଛନ୍ତି। ବଣ୍ଡା ଯୁବତୀଙ୍କ ପରିବାର ଓ ଗ୍ରାମବାସୀ ପକ୍ଷରୁ ଏହି ବିବାହକୁ ନେଇ କୌଣସି ଆପତ୍ତି ନାହିଁ। ସେମାନେ କୌଶଲ୍ୟା ଓ ଦ୍ରୁପତିଙ୍କୁ ଆପଣାଇ ନେଇଛନ୍ତି। ତେବେ ଦ୍ରୁପତିଙ୍କ ପରିବାର ଏହି ବିବାହରେ ଖୁସି ନାହାନ୍ତି। ସେଥିପାଇଁ କୌଶଲ୍ୟା ଓ ଦ୍ରୁପତି ଚିନ୍ତିତ ଅଛନ୍ତି।
ଦୁହିଁଙ୍କ ସମ୍ପର୍କ ଆଗକୁ ବଢୁ । ସେମାନେ ଖୁସିରେ ଜୀବନ ଅତିବାହିତ କରନ୍ତୁ । ଉଭୟଙ୍କ ଭବିଷ୍ୟତ ପାଇଁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବଣ୍ଡା ଜନଜାତି ଲୋକେ।

Leave a Reply

Your email address will not be published. Required fields are marked *