Spread the love

ଭୁବନେଶ୍ବର : କୋରାପୁଟ୍‌ ଜିଲ୍ଲାର କୋଟିଆରେ ଉତ୍କଳ ଦିବସ ପାଳିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେଠାରେ ସେ ରହିବେ। ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର।
ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ମିଶ୍ର କହିଛନ୍ତି, କୋଟିଆରେ ଆନ୍ଧ୍ରପ୍ରଦେଶ ତା’ର ଅନୁପ୍ରବେଶ ଜାରି ରଖିଛି। ହେଲେ ଓଡ଼ିଶା ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ବିଶେଷକରି ଆନ୍ଧ୍ରର ପାର୍ବତୀପୁରମ୍‌ ଜିଲ୍ଲାପାଳ ବାରମ୍ୱାର କୋଟିଆ ଅଞ୍ଚଳକୁ ଆସୁଛନ୍ତି। ଆନ୍ଧ୍ରର ବିଭିନ୍ନ ଯୋଜନା ବିଷୟରେ ସେ ଲୋକଙ୍କୁ ଅବଗତ କରାଉଛନ୍ତି। ଏହାଛଡ଼ା ଆନ୍ଧ୍ରର ଡେପୁଟି ସିଏମ୍‌ ମଧ୍ୟ ବାରମ୍ୱାର କୋଟିଆ ଆସୁଛନ୍ତି। ହେଲେ ଓଡ଼ିଶା ସରକାର ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ଜୟନାରାୟଣ କହିଛନ୍ତି।
ସେ ଆହୁରି କହିଛନ୍ତି, କୋଟିଆକୁ ପ୍ୟାକେଜ୍‌ ଦେବା ପାଇଁ ବହୁବାର ଦାବି କରିଥିଲୁ। ଏହା ପରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିଥିଲେ। ହେଲେ ସେହି ପ୍ୟାକେଜ୍‌ କୁଆଡ଼େଗଲା? ତାହା ଜଣାପଡ଼ୁନାହିଁ। ଆଜି ପର୍ଯ୍ୟନ୍ତ ଥରୁଟିଏ ମୁଖ୍ୟମନ୍ତ୍ରୀ କୋଟିଆ ଗଲେନାହିଁ। ଦେହ ଦେଖାଇବାକୁ ଜାପାନ ଯିବା ପାଇଁ ତାଙ୍କର ସମୟ ଅଛି। କିନ୍ତୁ କୋଟିଆ ଯିବା ପାଇଁ ତାଙ୍କର ସମୟ ନାହିଁ। ଯେଉଁଥିପାଇଁ ଆମେ ରାଜ୍ୟର ବହୁ ଅଞ୍ଚଳ ହରାଇବାକୁ ଯାଉଛୁ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି।
ଆଜି କେନ୍ଦ୍ରମନ୍ତ୍ରୀ ଟ୍ରେନ୍‌ରେ କୋରାପୁଟ୍‌ ଜିଲ୍ଲାର ଦାମନଯୋଡ଼ି ଯିବେ। ଆସନ୍ତାକାଲି ସେ କୋଟିଆ ଯିବେ। କୋଟିଆ ଗ୍ରାମପୁଞ୍ଜ ପକ୍ଷରୁ ଆୟୋଜିତ ଉତ୍କଳ ଦିବସରେ ଶ୍ରୀ ପ୍ରଧାନ ଭାଗ ନେବେ। ପରେ ସେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *