Spread the love

ନୂଆଦିଲ୍ଳୀ: ବଡ଼ରୁ ବଡ଼ ସମସ୍ୟାକୁ ସମାଧାର କରିବାର ଏକ ମାତ୍ର ସହଜ ଉପାୟ ହେଉଛି ଶିକ୍ଷା। ଶିକ୍ଷାର ମହତ୍ତ୍ୱ ସମସ୍ତଙ୍କୁ ଜଣା। ମାତ୍ର ବହୁତ କମ୍‌ ଲୋକ ଅଛନ୍ତି, ଯେଉଁମାନେ କି ଶିକ୍ଷାକୁ ଆଗକୁ ନେବା ପାଇଁ ନିଜେ ଆଗେଇ ଆସନ୍ତି। ଏହିପରି ଜଣେ ବ୍ୟକ୍ତି ହେଉଛନ୍ତି ରତ୍ନେଶ ତିୱାରୀ, ଯିଏ ଅଭାବୀ ପିଲାମାନଙ୍କ ପାଇଁ ଏକ ମାଗଣା ବିଦ୍ୟାଳୟ ଆରମ୍ଭ କରିଥିଲେ ଏବଂ ତାଙ୍କର ଉଦ୍ୟମ ହେତୁ ଆଜି ଅନେକ ରାସ୍ତାକଡ଼ର ପିଲା ଶିକ୍ଷା ପାଇ ପାରିଛନ୍ତି।
ଗୋରଖପୁରର ରତ୍ନେଶ ତିୱାରୀ ଗତ ସାତ ବର୍ଷ ଧରି ତାଙ୍କ ସଂଗଠନ ‘ୟୁବା ଇଣ୍ଡିଆ’ ଜରିଆରେ ଅନେକ ଶିଶୁଙ୍କ ଜୀବନରେ ଶିକ୍ଷାର ଆଲୋକ ଆଣିବାରେ ସମର୍ଥ ହୋଇଛନ୍ତି। ବୃତ୍ତିରେ ଜଣେ ଇଞ୍ଜିନିୟର ହେଇଥିବା ରତ୍ନେଶ ସର୍ବଦା ଅଭାବୀ ଲୋକଙ୍କୁ ସାହାଯ୍ୟ କରିବାର ଇଚ୍ଛା ରଖିଥାନ୍ତି।
‘ଦି ବେଟର୍ ଇଣ୍ଡିଆ’କୁ ରତ୍ନେଶ କହିଛନ୍ତି ଯେ ସେ ଯେଉଁଠାରେ ପାଠ ପଢୁଥିଲେ ଏବଂ ଚାକିରି ପାଇଁ ରହୁଥିଲେ, ସେଠାରେ ସେ ବିଭିନ୍ନ ଅନୁଷ୍ଠାନରେ ଯୋଗ ଦେଇ ସାମାଜିକ କାର୍ଯ୍ୟ ବି କରୁଥିଲେ। ଏପରି କରିବାକୁ ‌ସେ ନିଜ ବାପାମାଆଙ୍କଠାରୁ ପ୍ରେରଣା ପାଇଛନ୍ତି।
ହାଇଦ୍ରାବାଦରେ କାମ କରୁଥିବା ବେଳେ ସେ ଗରିବ ପିଲାମାନଙ୍କ ପାଇଁ କାମ କରୁଥିଲେ, ତା’ପରେ ସେ ଭାବିଲେ ଯେ ନିଜ ସହରରେ ରହିବା ବେଳେ କାହିଁକି ଏପରି କାମ କରିବେନି? ସମୟକ୍ରମେ ସେ ନିଜ ସହରରେ ବି ସମାଜସେବାରେ ନିଜକୁ ନିୟୋଜିତ କଲେ। ଗରିବମାନଙ୍କ ପାଇଁ ଏକ ସଂଗଠନ ମଧ୍ୟ ଗଠନ କଲେ।
ସେ ୨୦୧୬ ମସିହାରେ ମସିହାରେ ‘ୟୁବା ଇଣ୍ଡିଆ’ ଆରମ୍ଭ କରି ଏହା ଅଧୀନରେ ରତ୍ନେଶ ନିଜେ ଏକ ବସ୍ତି ଅଞ୍ଚଳକୁ ଯାଇ ପିଲାମାନଙ୍କୁ ଶିକ୍ଷା ଦେଉଥିଲେ। ପ୍ରାରମ୍ଭରେ ସେ ‘ଅକ୍ଷର ମୁହିମ ପାଠ୍‌ଶାଲା’ ନାମକ ଏକ ବିଦ୍ୟାଳୟ ଆରମ୍ଭ କରିଥିଲେ, ଯେଉଁଥିରେ କେବଳ ଚାରି-ପାଞ୍ଚ ଜଣ ପିଲା ଅଧ୍ୟୟନ କରିବାକୁ ଆସୁଥିଲେ। ଧୀରେ ଧୀରେ, ଅଧିକ ଶିକ୍ଷିତ ଏବଂ ଦକ୍ଷ ବ୍ୟକ୍ତି ତାଙ୍କ ସହ ଯୋଡ଼ି ହେବାକୁ ଲାଗିଲେ। ଏହା ପରେ ସେ ସହରର ବିଭିନ୍ନ ଅଞ୍ଚଳରେ ବିଦ୍ୟାଳୟ ସ୍ଥାପନ ଖୋଲିବାରେ ଲାଗିଲେ। ରତ୍ନେଶ ଦେଖିଲେ ଯେ ସରକାରୀ ବିଦ୍ୟାଳୟ ଥାଇ ମଧ୍ୟ ପିଲାମାନେ ସେଠାରେ ଆଡମିସନ ନେଉନାହାଁନ୍ତି, କାରଣ ଏହି ପିଲାମାନେ କିମ୍ବା ସେମାନଙ୍କ ପରିବାର ଶିକ୍ଷାର ଶକ୍ତି ବିଷୟରେ ଜାଣନ୍ତି ନାହିଁ।
ରତ୍ନେଶ ଏବଂ ତାଙ୍କ ଟିମ୍‌ ଏହି ପିଲାମାନଙ୍କୁ କିପରି ବିଦ୍ୟାଳୟରେ ପହଞ୍ଚାଇବେ ତାହା ଜାଣିବାକୁ ଚେଷ୍ଟାରେ ଲାଗିପଡ଼ିଲେ। ଯଦିଓ, ଏହି କାମ ସେତେ ସହଜ ନଥିଲା କିନ୍ତୁ ସେ ହାର ମାନିନଥିଲେ। ସମୟ ସହିତ ତାଙ୍କ ମାଗଣା ବିଦ୍ୟାଳୟରେ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଲା। ଆଜି ରତ୍ନେଶଙ୍କ ସ୍କୁଲ୍‌ରେ ପ୍ରାୟ ୩୦୦ରୁ ଅଧିକ ପିଲା ପାଠ ପଢୁଛନ୍ତି।
ଏହାସହିତ ସେ ଏହି ପିଲାମାନଙ୍କ ପରିବାରର ଅବସ୍ଥା ସୁଧାରିବା ପାଇଁ ମଧ୍ୟ କାର୍ଯ୍ୟ କରୁଛନ୍ତି। ସେ ସେଠାକାର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ବାଟ ବତାଇଛନ୍ତି। ଆଜି ଅନେକ ଡାକ୍ତର, ଇଞ୍ଜିନିୟର ଏବଂ ଏମବିଏ ଗ୍ରାଜୁଏଟ୍‌ ତାଙ୍କ ସଂଗଠନରେ ଯୋଗ ଦେଇଛନ୍ତି। ବହୁ ବର୍ଷ ପୂର୍ବେ ସେ ଯେଉଁ ସ୍ୱପ୍ନ ଦେଖିଥିଲେ, ସେ ଆଜି ତାହା ପୂରଣ ହୋଇଛି।

Leave a Reply

Your email address will not be published. Required fields are marked *