Spread the love

ଚେନ୍ନାଇ: ତାମିଲନାଡୁର ଚେନ୍ନାଇସ୍ଥିତ ଏକ ମହିଳା ଖ୍ରୀଷ୍ଟିଆନ କଲେଜରେ ଛାତ୍ରୀମାନେ ‘ନୋ ବ୍ୟାଗ୍ ଡେ’ ନାମକ ଏକ ମଜାଦାର କାର୍ଯ୍ୟକ୍ରମର ଆୟୋଜନ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସେମାନେ ବ୍ୟାଗ୍‌ ବଦଳରେ ନିଜର ପୁସ୍ତକ ଏବଂ ଅନ୍ୟାନ୍ୟ ପାଠପଢ଼ା ସାମଗ୍ରୀ ନେଇ କଲେଜ୍‌ ଯିବାକୁ ଏକ ନୂତନ ଉପାୟ ବାହାର କରି ଦୃଷ୍ଟି ଆକର୍ଷଣ କରିଛନ୍ତି।
ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଦେଖି ପାରୁଥିବ‌େ ଯେ ଛାତ୍ରୀମାନେ ନିଜର ସାମଗ୍ରୀ ବୋହିବାକୁ ଅଦ୍ଭୂତ ଜିନିଷ ବ୍ୟବହାର କରି କଲେଜ୍‌ରେ ପହଞ୍ଚିଛନ୍ତି। କାହା ହାତରେ ପ୍ରେସର କୁକର ରହିଛି ‌ତ କାହା ହାତରେ ରହିଛି ଲଣ୍ଡ୍ରି ଟୋକେଇ। ଏହାଛଡ଼ା ବାଲ୍ଟି, ତଉଲିଆ, ତକିଆ ଖୋଳ, କାର୍ଡବୋର୍ଡ ବାକ୍ସ, ସୁଟକେସ୍, ଟ୍ରଲି ବ୍ୟାଗ, ଗିଟାର ବ୍ୟାଗ ଏବଂ ଅନେକ କିଛି ନେଇ କଲେଜ୍‌ରେ ପହଞ୍ଚି ଥିବାର ଦେଖିବାକୁ ମିଳିଛି। ସେମାନେ ନିଜ ସାମଗ୍ରୀକୁ କ୍ୟାମେରା ଆଗରେ ଦେଖାଇ ହସି ହସି ପୋଜ୍‌ ଦେବାରେ ଲାଗିଛନ୍ତି।
ଏହି ମଜାଳିଆ ଭିଡିଓଟି ଇନଷ୍ଟାଗ୍ରାମରେ ସେୟାର କରାଯାଇ ସେଥିରେ କ୍ୟାପସନ୍ ଲେଖାଯାଇଛି, ‘କଲେଜ୍‌ରେ ନୋ ବ୍ୟାଗ୍‌ ଡେ ପାଳନ’। ଭିଡିଓଟି ସେୟାର ହେବା ପରଠାରୁ ଭାଇରାଲ ହେବାରେ ଲାଗିଛି। ଏପର୍ଯ୍ୟନ୍ତ ଭିଡିଓରେ ୧୭ ଲକ୍ଷରୁ ଅଧିକ ଭ୍ୟୁ ଏବଂ ୧.୩ ଲକ୍ଷ ଲାଇକ୍ ମିଳି ସାରିଲାଣି। ଇନଷ୍ଟାଗ୍ରାମ ବ୍ୟବହାରକାରୀମାନେ ଛାତ୍ରୀମାନଙ୍କ ସୃଜନଶୀଳତା ଦ୍ୱାରା ଆଶ୍ଚର୍ଯ୍ୟ ଏବଂ ପ୍ରଭାବିତ ହୋଇ ମଜାଦାର କମେଣ୍ଟ୍‌ ସବୁ ଲେଖିଛନ୍ତି। କିଛି ଲୋକ ଭିଡିଓ ଦେଖିବା ପରେ ନିଜର କଲେଜ ଦିନକୁ ମନେ ପକାଇ ଭାବୁକ ହୋଇ ପଡ଼ିଛନ୍ତି।

Leave a Reply

Your email address will not be published. Required fields are marked *