Spread the love

ପୁରୀ : ମହଙ୍ଗା ପଡ଼ିଲା ନାଗ ସହ ରିଲ୍ସ । ନାଗ ସାପକୁ ଧରି ରିଲ୍ସ କରୁଥିବା ବେଳେ ସାପ ଚୋଟରେ ଯୁବକଙ୍କ ମୃତ୍ୟୁ ଘଟିଛି ।  ମୃତ ଯୁବକ ପୁରୀ ସଦର ଥାନା ଅନ୍ତର୍ଗତ କଣ୍ଠପୁର ଗ୍ରାମର ତପନ କୁମାର ପ୍ରଧାନ । ପୁରୀ ହସ୍ପିଟାଲରେ ତପନକୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ସଦର ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ତେବେ ତପନ ବିଷାକ୍ତ ସାପକୁ ବିଭିନ୍ନ ସମୟରେ ଧରିବା ସହ ତାକୁ ସହଜରେ କାବୁ ମଧ୍ୟ କରୁଥିଲେ । ଯାହା ଘରେ ସାପ ପଶୁଥିଲା ତପନ ସେଠାରେ ପହଞ୍ଚି ସାପ ଧରୁଥିଲେ ।

ଶୁକ୍ରବାର ଅପରାହ୍ନରେ ତପନ ନିଜ ଘର ବାରଣ୍ଡାରେ ଏକ ନାଗ ସାପକୁ ଧରି ରିଲ୍ସ କରୁଥିଲେ । ସେହି ସମୟରେ ତପନଙ୍କ ହାତର ଆଙ୍ଗୁଠି,କହୁଣୀ ଓ ବାହୁକୁ ସାପଟି ଚୋଟ ମାରିଥିଲା । ପରିବାର ଲୋକେ ତାଙ୍କୁ ପ୍ରଥମେ ଏକ ଘରୋଇ ହସ୍ପିଟାଲ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତପନ ତାଙ୍କ ଜୀବନରେ ଅନେକ ସାପ ଧରିଥିବା ପରିବାର ଲୋକେ କହିଛନ୍ତି । ସେହିପରି ତପନ ତାଙ୍କ ଇନଷ୍ଟାଗ୍ରାମ ଆଇଡିରେ ମଧ୍ୟ ସାପ ସହିତ ଅନେକ ରିଲ୍ସ କରି ଭିଡିଓ ଅପଲୋଡ଼ କରିଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *