Spread the love

ନୂଆଦିଲ୍ଲୀ : ମୋଦି-ବାଇଡେନ୍ ମିଶି କରିବେ ଡିନର୍। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଅତିଥି ସାଜିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ହ୍ୱାଇଟ୍ ହାଉସରୁ ଆସିବ ନିମନ୍ତ୍ରଣ। ଉଭୟ ମିଶି କରିବେ ରାତ୍ରି ଭୋଜନ। ଏଥିପାଇଁ ଆସନ୍ତା ଜୁନ୍ ମାସରେ ମୋଦି ଆମେରିକା ଗସ୍ତ କରିପାରନ୍ତି। ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା କୁହାଯାଉଛି।
ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ଆମେରିକା ରାଷ୍ଟ୍ରପତି ମୋଦିଙ୍କୁ ଏହି ରାଜକୀୟ ଆମନ୍ତ୍ରଣ ଦେବା ପଛରେ ରାଜନୈତିକ ଓ କୁଟନୈତିକ ସମ୍ପର୍କକୁ ବୃଦ୍ଧି କରିବା ଉଦ୍ଦେଶ୍ୟ ରହିଛି। ଆମେରିକ ପ୍ରଶାସନିକ ଅଧିକାରୀଙ୍କ କହିବା ମୁତାବକ, ଚୀନ୍ ଆମେରିକା ପାଇଁ ଏକ ବଡ଼ ବିପଦ ଭାବେ ଉଭା ହେବାରେ ଲାଗିଛି। ଏହାର ମୁକାବିଲା କରିବା ପାଇଁ ଆମେରିକା ସ୍ୱତନ୍ତ୍ର ନୀତି ପ୍ରସ୍ତୁତ କରିବାରେ ଲାଗିଛି।
ଆସନ୍ତା ଜୁନ୍ ମାସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାଜକୀୟ ରାତ୍ରି ଭୋଜନ ପାଇଁ ଆମନ୍ତ୍ରିତ କରିବା ଲାଗି ଆମେରିକା ଯୋଜନା କରିଛି। ମୋଦୀଙ୍କ ସହ ରାଷ୍ଟ୍ରପତି ବାଇଡେନଙ୍କ ଏହା ତୃତୀୟ ଆନୁଷ୍ଠାନିକ ରାଜକୀୟ ରାତ୍ରିଭୋଜନ ହେବ। ଏହାପୂର୍ବରୁ ସେ ଡିସେମ୍ବରରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଏବଂ ୨୬ ଏପ୍ରିଲରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୋନ୍ ସୁକ୍ ୟୋଲଙ୍କ ପାଇଁ ରାତ୍ରି ଭୋଜନ ଆୟୋଜନ କରିଥିଲେ।
ଅନ୍ୟପଟେ ଆସନ୍ତା ସେପ୍ଟେମ୍ବର ମାସରେ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ହେବ। ଏଥିରେ ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ସ୍ୱତନ୍ତ୍ର ଆଲୋଚନା ହୋଇପାରେ। ତେବେ ଏହାପୂର୍ବରୁ ମୋଦି ଓ ବାଇଡେନ୍‌ଙ୍କ ଭେଟ୍‌ଘାଟକୁ ନେଇ ବିଶେଷଜ୍ଞମାନେ ବିଭିନ୍ନ କଳ୍ପନା ଜଳ୍ପନା କରିସାରିଲେଣି।

Leave a Reply

Your email address will not be published. Required fields are marked *