Spread the love

ଭୁବନେଶ୍ବର : ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ଆନ୍ଦୋଳନ ପ୍ରତ୍ୟାହୃତ କରିବା ପରେ ଦୁଇ ଦିନ ପରେ ରାଜ୍ୟରେ ବସ୍ ଚଳାଚଳ ସ୍ୱାଭାବିକ ହୋଇଛି। ବିଭିନ୍ନ ସ୍ଥାନକୁ ବସ୍ ଚଳାଚଳ କରିଛି। ଆଜି ସକାଳେ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ଆନ୍ଦୋଳନ ପ୍ରତ୍ୟାହୃତ କରିଥିବା ସୂଚନା ଦେଇଥିଲେ। ଗତକାଲି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଥିଲା।
ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ଗତକାଲି ମୁଖ୍ୟ ଶାସନ ସଚିବଙ୍କ ସହ ଡ୍ରାଇଭର ସଂଘର ଆଲୋଚନା ଫଳପଦ ହୋଇଥିବା ସୂଚନା ମିଳିଥିଲା। ସରକାର ୩ ମାସ ସୁଦ୍ଧା ସେମାନଙ୍କ ଦାବି ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହା ଜାଣିବା ପରେ ଆଜି ବସ୍‌ ଚଳାଚଳ ସ୍ୱାଭାବିକ ହୋଇଛି। ବିଭିନ୍ନ ସ୍ଥାନକୁ ବସ୍‌ ଚଳାଚଳ କରୁଛି। ଆଉ କେତେକ ସ୍ଥାନକୁ ବସ୍‌ ଚଳାଚଳ କରି ପାରି ନାହିଁ। ସେହି ସ୍ଥାନକୁ କିପରି ବସ୍‌ ଚଳାଚଳ କରିବ ଆମେ ପ୍ରସ୍ତୁତ ହେଉଛି।
ଶ୍ରୀ ସାହୁ ଆହୁରି କହିଛନ୍ତି, ଆମେ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଆନ୍ଦୋଳନ କରିବୁ ବୋଲି ଚେତାବନୀ ଦେଇଥିଲୁ। ହେଲେ ଆମେ ଆନ୍ଦୋଳନ କରିବୁ ନାହିଁ। ପରିସ୍ଥିତି ଉପରେ ନଜର ରଖିଛୁ, ଦିନ ଗୋଟାଏ ପରେ ଯାହା ନିଷ୍ପତ୍ତି ନେବୁ। ବର୍ତ୍ତମାନ ବସ୍ ଚଳାଚଳ ସ୍ୱାଭାବିକ ରହିଛି।
ବର୍ତ୍ତମାନ ସୁଦ୍ଧା ଆମ ଡ୍ରାଇଭର ଓ ହେଲପରଙ୍କୁ କେହି ଖରାପ ବ୍ୟବହାର କରି ନାହାନ୍ତି। ରାସ୍ତାରେ ମଧ୍ୟ କେହି ଗାଡ଼ି ଅଟକାଇ ନାହାନ୍ତି। ସୁରକ୍ଷିତ ଭାବେ ବସ୍‌ ଚଳାଚଳ କରୁଛି ବୋଲି ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟବ୍ୟାପୀ ଡ୍ରାଇଭରଙ୍କ ଆନ୍ଦୋଳନ ବସ୍‌ କର୍ମଚାରୀମାନେ ନାନା ଅସୁବିଧାରେ ସମ୍ମୁଖୀନ ହୋଇଥିଲେ। ପୁଲିସ ମଧ୍ୟ କୌଣସି ସୁରକ୍ଷା ଦେଇନଥିଲା। ଯାହାଫଳରେ କେତେକ ସ୍ଥାନରେ ବସ୍‌ କର୍ମଚାରୀଙ୍କୁ ମାଡ଼ ଖାଇବା ସହ ଅପମାନିତ ହେବାକୁ ପଡ଼ିଥିଲା। ଏଥିପାଇଁ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ କ୍ଲିଅର ନହେଲେ ବସ୍‌ ଚଳାଚଳ ବନ୍ଦ କରିବୁ। ଆଜି ସକାଳ ୧୦ରୁ ୧୧ଟା ପର୍ଯ୍ୟନ୍ତ ରାସ୍ତାରେ ଗାଡ଼ି ଛିଡ଼ା କରି ପ୍ରତିବାଦ କରିବୁ ବୋଲି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ଗତକାଲି ଚେତାବନୀ ଦେଇଥିଲା।

Leave a Reply

Your email address will not be published. Required fields are marked *