Spread the love

ନୂଆଦିଲ୍ଲୀ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର୍‌)ଙ୍କ ଝିଅ ତଥା ବିଧାନ ପରିଷଦ ସଦସ୍ୟା କେ କବିତା ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମନକୁ ଏଡ଼ାଇ ଯାଇଛନ୍ତି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆଜି ତାଙ୍କର ଦ୍ବିତୀୟ ପର୍ଯ୍ୟାୟ ଜେରା ପାଇଁ ଇଡି କାର୍ଯ୍ୟାଳୟରେ ହାଜର ହେବାର ଥିଲେ ମଧ୍ୟ ସେ ଆଳ ଦେଖାଇ ହାଜର ହୋଇ ନାହାନ୍ତି। ତା’ ବଦଳରେ ସେ ହାଜର ନ ହେବାର କାରଣ ଦର୍ଶାଇ ଏକ ଛଅ ପୃଷ୍ଠାର ଚିଠି ଲେଖି ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ସାଧାରଣ ସମ୍ପାଦିକା ସୋମା ଭାରତ କୁମାରଙ୍କ ହାତରେ ଇଡି କାର୍ଯ୍ୟାଳୟକୁ ପଠାଇଦେଇଛନ୍ତି। ଏହା ପୂର୍ବରୁ ଇଡି ସମନକୁ ଚ୍ୟାଲେଞ୍ଜ କରି କବିତା ଜରୁରି ଶୁଣାଣି ପାଇଁ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ କୋର୍ଟ ଜରୁରି ଶୁଣାଣି ପାଇଁ ରାଜି ହୋଇ ନ ଥିଲେ।
ଇଡି ଉପନିର୍ଦ୍ଦେଶକଙ୍କୁ ସମ୍ବୋଧିତ କରି ଚିଠିରେ କବିତା ଲେଖିଛନ୍ତି ଯେ ଇଡି ତାଙ୍କୁ ‌ମାର୍ଚ୍ଚ ୧୬ ତାରିଖରେ ହାଜର ହେବାକୁ ସମନ ଜାରି କରିଥିଲା ସତ ମାତ୍ର ତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପଡ଼ିବ କି ପ୍ରତିନିଧି ଜରିଆରେ ହାଜ‌ର ହେଲେ ଚଳିବ ତାହା ଉଲ୍ଲେଖ କରି ନ ଥିଲା। ତେଣୁ ସେ ନିଜେ ନ ଯାଇ ତାଙ୍କର ପ୍ରତିନିଧିଙ୍କୁ ପଠାଇଛନ୍ତି। କବିତା ତାଙ୍କର ପ୍ରଥମ ପାଳି ଜେରା ଅନୁଭୂତି ବିଷୟରେ ଲେଖିଛନ୍ତି ଯେ ଇଡି ଯେପରି ଭାବରେ ତଦନ୍ତ କରୁଛି ତାହା ଅବାଧ, ସ୍ବଚ୍ଛ ଓ ନିରପେକ୍ଷ ନୁହେଁ। ସେ ପୁଣି କହିଛନ୍ତି ଯେ ତାଙ୍କ ଆବେଦନ ଏବେ ସୁପ୍ରିମ୍‌କୋର୍ଟର ବିଚାରାଧୀନ ରହିଛି, ଯାହାର ଶୁଣାଣି ମାର୍ଚ୍ଚ ୨୪ ତାରିଖରେ ହେବ। ତେଣୁ ସେ ପର୍ଯ୍ୟନ୍ତ ଇଡି ଜେରା ସ୍ଥଗିତ ରଖିବା ଉଚିତ ବୋଲି ସେ ତାଙ୍କ ଚିଠିରେ ଲେଖିଛନ୍ତି।

ବୁଧବାର କବିତା ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲେ ଯେ, ଇଡିର ଯଦି ଜେରା କରିବାର ଅଛି ତେବେ ସେ ତାଙ୍କ ବାସଭବନରେ ଆସି ଜେରା କରୁ ଏବଂ ଦୃଶ୍ୟମାନ ଦୂରତାରୁ ତା’ର ଭିଡିଓଗ୍ରାଫି କରାଯାଉ। ପୂର୍ବରୁ ମଧ୍ୟ କବିତା ସେ ଜଣେ ମହିଳା ହୋଇଥିବାରୁ ଇଡି ତାଙ୍କ ଘରେ ଆସି ଯାହା ପଚାରିବା କଥା ପଚାରୁ ବୋଲି କହିଥିଲେ, ଯାହାକୁ ଇଡି ଅଗ୍ରାହ୍ୟ କରିଦେଇଥିଲା। ଇଡି ଜେରା ଓ ତଦନ୍ତ ଏକ ରାଜନୈତିକ ଷଡ଼୍‌ଯନ୍ତ୍ର ବୋଲି କବିତା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଇଡି ପକ୍ଷରୁ ଆଜି କବିତାଙ୍କୁ ସାନି ସମନ ଜାରି କରାଯାଇଛି। ଆସନ୍ତା ୨୦ ତାରିଖରେ ହାଜର ହେବା ପାଇଁ ତାଙ୍କୁ କୁହାଯାଇଛି।

Leave a Reply

Your email address will not be published. Required fields are marked *