Spread the love

ନୂଆଦିଲ୍ଲୀ: ଉତ୍ତର କୋରିଆରୁ ଆମେରିକାର ଦୂରତ୍ବ ସମୁଦାୟ ପୃଥିବୀର ଅଧା ହେଲେ ବି ଉତ୍ତର କୋରିଆ ନିକ୍ଷେପ କରୁଥିବା ‘ଇଣ୍ଟର୍‌କଣ୍ଟିନେଣ୍ଟାଲ୍‌ ବାଲି‌ଷ୍ଟିକ୍‌ ମିସାଇଲ୍‌’ ପ୍ରାୟ ୩୩ ମିନିଟ୍‌ରେ ଆମେରିକାର ‘ମେନ୍‌ଲାଣ୍ଡ୍‌’ରେ ପହଞ୍ଚି ପାରିବ ବୋଲି ଚୀନ୍‌ର ଏକ ଅଧ୍ୟୟନରୁ ଜଣାପଡ଼ିଛି।
‘ଓପେନ୍‌ ନ୍ୟୁକ୍ଲିୟର୍‌ ନେଟ୍‌ୱାର୍କ’ ବିଶ୍ଳେଷଣକାରୀ ‘ସିଆନ୍‌ରନ୍‌ ଜୁ’ ‘ସିଏନ୍‌ଏନ୍‌’କୁ କହିଛି ଯେ, ଚୀନ୍‌ର ବୈଜ୍ଞାନିକମାନେ ଆମେରିକା ଉପରେ ଉତ୍ତର କୋରିଆ କ୍ଷେପଣାସ୍ତ୍ର ଆକ୍ରମଣ ପ୍ରକ୍ରିୟାର ଅନୁକରଣ କରିଥିଲେ। ଯାହା ଫଳାଫଳ ବାହାରିଲା, ତାହା ଥିଲା ଚାଞ୍ଚଲ୍ୟକର। ଯଦି କ୍ଷେପଣାସ୍ତ୍ର ପ୍ରତିରୋଧକ ବ୍ୟବସ୍ଥା ବାଧା ଦେବାରେ ବିଫଳ ହୁଏ, ତେବେ ନି‌କ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ରରେ ଥିବା ବୋମାଟି କେନ୍ଦ୍ରୀୟ ଆମେରିକାରେ ପଡ଼ିବ। ପଶ୍ଚିମ ଓ ପୂର୍ବ ତଟରୁ ଲକ୍ଷ୍ୟ କରି କ୍ଷେପଣାସ୍ତ୍ର ନିକ୍ଷେପ କରିବା ମଧ୍ୟ ସହଜସାଧ୍ୟ ହୋଇଯିବ।
‘ସାଉଥ୍‌ ଚାଇନା ମର୍ଣ୍ଣିଙ୍ଗ୍‌ ପୋଷ୍ଟ୍‌’ ରିପୋର୍ଟ ଅନୁସାରେ, ଚୀନ୍‌ର ଏହି ଅଧ୍ୟୟନ ଉତ୍ତର କୋରିଆର ‘ହ୍ବାସୋଙ୍ଗ୍‌-୧୫’ କ୍ଷେପଣାସ୍ତ୍ରର କାଳ୍ପନିକ ଉତ୍‌କ୍ଷେପଣ ଉପରେ ଆଧାରିତ। ହାରାହାରି ୧୩୦୦୦ କିଲୋମିଟର୍‌ ଦୂରକୁ ଗତି କରିପାରୁଥିବା ଆଣବିକ ଅସ୍ତ୍ରବାହୀ ‘ହ୍ବାସୋଙ୍ଗ୍‌-୧୫’ କ୍ଷେପଣାସ୍ତ୍ର ସମଗ୍ର ଆମେରିକାର ‘ହୋମ୍‌ଲାଣ୍ଡ୍‌’ରେ ମାଡ଼ କରିବାକୁ ଯଥେଷ୍ଟ। ବେଜିଙ୍ଗ୍‌ସ୍ଥିତ ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଲେକ୍ଟ୍ରୋନିକ୍‌ ସିଷ୍ଟମ୍‌ ଇଞ୍ଜିନିୟରିଙ୍ଗ୍‌’ର ଦଳେ ବୈଜ୍ଞାନିକ ଏହି ଅଧ୍ୟୟନ କରିଥିଲେ।
ଗବେଷଣାରୁ ଜଣାପଡ଼ିଛି ଯେ, କେନ୍ଦ୍ରୀୟ ଉତ୍ତର କୋରିଆରୁ କ୍ଷେପଣାସ୍ତ୍ର ନିକ୍ଷେପ କରାଯିବାର ୨୦ ସେକେଣ୍ଡ୍‌ ପରେ ଯାଇ ଆମେରିକାର କ୍ଷେପଣାସ୍ତ୍ର ପ୍ରତିରୋଧକାରୀ ମୁଖ୍ୟାଳୟରେ ସତର୍କ ସୂଚନା ପହଞ୍ଚିବ। ତା’ର ୧୧ ମିନିଟ୍‌ ପରେ ଅଲାସ୍କାସ୍ଥିତ ଫୋର୍ଟ ଗ୍ରିଲିରୁ ପ୍ରଥମ ବ୍ୟାଚ୍‌ର କ୍ଷେପଣାସ୍ତ୍ର ପ୍ରତିରୋଧକାରୀ ବ୍ୟବସ୍ଥା ଉଡ଼ାଣ ଆରମ୍ଭ କରିବ। ଯଦି ସେସବୁ ବିଫଳ ହୁଅନ୍ତି, କାଲିଫର୍ଣ୍ଣିଆରେ ଥିବା ଭାଣ୍ଡେନ୍‌ବର୍ଗ ସ୍ପେସ୍‌ ଫୋର୍ସ ବେସ୍‌ରୁ ଆଉ ଏକ ବ୍ୟାଚ୍‌କ୍ଷେପଣାସ୍ତ୍ର ପ୍ରତିରୋଧକାରୀ ବ୍ୟବସ୍ଥା ଉଡ଼ାଣ ଆରମ୍ଭ କରିବ।
ଶତ୍ରୁ ଏହି ଦୁଇ ପ୍ରତିରୋଧକାରୀ ବ୍ୟବସ୍ଥା ମଧ୍ୟରେ ଥିବା ବ୍ୟବଧାନ ବା ‘କିଲ୍‌ ଚେନ୍‌’ର ଫାଇଦା ଉଠାଇବ ବୋଲି ଅଧ୍ୟୟନକାରୀମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *