Spread the love

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମଜିଠାରେ ନିଜର ଦୀର୍ଘଦିନର ଦାବି ପୂରଣ ନେଇ ଚାଲିଥିବା ଶିକ୍ଷକ ଆନ୍ଦୋଳନ ଶେଷରେ ୨୧ ଦିନ ପରେ ସ୍ଥଗିତ ରଖାଯାଇଛି । ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଏବଂ ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ପରେ ଆନ୍ଦୋଳନକାରୀ ଶିକ୍ଷକମାନେ ଧାରଣାରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି । ‘ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ଵୟ ସମିତି’ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ସୂଚନା ଅନୁଯାୟୀ, ଶିକ୍ଷକମାନଙ୍କ ସମସ୍ୟାର ସମାଧାନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଆନ୍ଦୋଳନ ସ୍ଥଗିତ ରଖିବାକୁ ଅନୁରୋଧ କରାଯାଇଥିଲା । ଆଜି ରାଜ୍ୟର ଆଇନ ମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଧାରଣାସ୍ଥଳକୁ ଯାଇ ଶିକ୍ଷକମାନଙ୍କୁ ବୁଝାସୁଝା କରିଥିଲେ । ସରକାର ଗଠନ କରିଥିବା କମିଟିର ରିପୋର୍ଟ ଆଧାରରେ ଖୁବଶୀଘ୍ର ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେମାନେ ଆଶ୍ୱାସନା ଦେଇଥିଲେ । ସରକାରଙ୍କ ଏହି ସକାରାତ୍ମକ ଆଭିମୁଖ୍ୟ ପରେ ସମନ୍ଵୟ ସମିତି ଏହି ପ୍ରସଙ୍ଗରେ ତର୍ଜମା କରିଥିଲା ।

ଏହି ପରିପ୍ରେକ୍ଷୀରେ ସମନ୍ଵୟ ସମିତି ଅଧୀନରେ ଥିବା ୮ଟି ପ୍ରମୁଖ ଶିକ୍ଷକ ସଂଗଠନର ନେତୃବୃନ୍ଦଙ୍କୁ ନେଇ ଏକ ବୈଠକ ବସିଥିଲା। ଘଣ୍ଟାଏରୁ ଅଧିକ ସମୟ ଧରି ଚାଲିଥିବା ଏହି ଆଲୋଚନାରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବଂ ସରକାରଙ୍କ ପ୍ରତିଶ୍ରୁତିକୁ ଦୃଷ୍ଟିରେ ରଖି ଆଗାମୀ ବିଧାନସଭା ଅଧିବେଶନ ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଛି ।

ତେବେ ଶିକ୍ଷକ ନେତାମାନେ ସ୍ପଷ୍ଟ କରିଦିଆଯାଇଛନ୍ତି ଯେ, ଏହା କେବଳ ଏକ ସାମୟିକ ସ୍ଥଗିତାଦେଶ। ଯଦି ଆଗାମୀ ବିଧାନସଭା ଅଧିବେଶନ ସୁଦ୍ଧା ସରକାର ନିଜର ଦେଇଥିବା ପ୍ରତିଶ୍ରୁତି ମୁତାବକ ସେମାନଙ୍କ ନ୍ୟାଯ୍ୟ ଦାବିଗୁଡ଼ିକୁ ପୂରଣ ନକରନ୍ତି, ତେବେ ସେମାନେ ପୁଣିଥରେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ । ଗତ ତିନି ସପ୍ତାହ ଧରି ହଜାର ହଜାର ଶିକ୍ଷକ ଧାରଣାରେ ବସିଥିବାରୁ ରାଜ୍ୟର ଅନେକ ସ୍କୁଲ ଓ କଲେଜରେ ପାଠପଢ଼ା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଥିଲା । ଏବେ ଆନ୍ଦୋଳନର ଅବସାନ ଘଟିଥିବାରୁ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଲାଗି ରହିଥିବା ଅଚଳାବସ୍ଥା ଦୂର ହେବାର ଆଶା ସଞ୍ଚାର ହୋଇଛି ।

Leave a Reply

Your email address will not be published. Required fields are marked *