Spread the love

ଭୁବନେଶ୍ୱର: ୧୩ ଦଫା ଦାବି ନେଇ ରାଜରାସ୍ତାରେ ବସିଲେ ଆଶା କର୍ମୀ। ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ଅଧୀନରେ ମା ଓ ଶିଶୁ ବିକାଶ ସହିତ ନିରାପଦ ମାତୃତ୍ଵ ପାଇଁ କାମ କରି ଆସୁଥିବା ଆଶା କର୍ମୀମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି | ଆଶାକର୍ମୀମାନେ ଦାବି କରିଛନ୍ତି ଯେ ମାସିକ ସୁନିଶ୍ଚିତ ଭତ୍ତା ପରିବର୍ତ୍ତେ ମାସିକ ଭତ୍ତା ଧାର୍ଯ୍ୟ କରାଯାଉ। ଆଶା କର୍ମୀମାନଙ୍କର ସମସ୍ତ ପ୍ରୋତ୍ସାହନ ରାଶିକୁ ବୃଦ୍ଧି କରାଯାଉ। ସମସ୍ତ ଆଶାଙ୍କୁ ସି.ଏଚ.ଓ ସେଣ୍ଟର୍ ବାବଦରେ ଦେୟ ପ୍ରଦାନ କରିବା ସହିତ ସୁନିଶ୍ଚିତ ଭତ୍ତାରେ ସାମିଲ କରାଯାଉ। ମାସିକ ଭତ୍ତା ଧାର୍ଯ୍ୟ ସହିତ ମାସିକ ଭତ୍ତା ୨୧ହଜାର ଟଙ୍କା ପ୍ରଦାନ କରାଯାଉ। ସେହିପରି ବହିଷ୍କାର ସମୟ ସୀମା ୬୨ବର୍ଷରୁ ୬୫ବର୍ଷକୁ କରାଯାଉ ଓ ତାସହିତ ବହିଷ୍କାର ସହାୟତା ରାଶି ୨୦ ହଜାରରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଉ | ସେହିଭଳି ଆଶା କର୍ମୀମାନେ ଦାବି କରିଛନ୍ତି ଯେ ମୃତ୍ୟୁକାଳୀନ ସହାୟତା ରାଶି ୧ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଉ।

ଆଶା କର୍ମୀମାନେ କହିଛନ୍ତି ଯେ ଦଶ ବର୍ଷର ଅଭିଜ୍ଞତା ଥିବା ଆଶାକର୍ମୀଙ୍କୁ ଏ.ଏନ.ଏମ ଭାବେ ପଦୋନ୍ନତି ନିମନ୍ତେ ଷ୍ଟାଣ୍ଡିଙ୍ଗ କମିଟିର ସୁପାରିଶ ଥିଲେ ମଧ୍ୟ ରାଜ୍ୟ ସରକାର ସିଧାସଳଖ ନିଯୁକ୍ତି ପ୍ରକ୍ରିୟାରେ ସାମିଲ କରିଛନ୍ତି। ଅଭିଜ୍ଞତା ହାରରେ ଗାଇଡ ଲାଇନ୍ ପ୍ରସ୍ତୁତି କରାଯାଇଛି। ତେଣୁ କେନ୍ଦ୍ର ସରକାରଙ୍କ ସୁପାରିଶ ଅନୁଯାୟୀ ଏ.ଏନ୍.ଏମମାନଙ୍କ ମଧ୍ୟରୁ ୫୦% କୋଟା ଧାର୍ଯ୍ୟ ବରିଷ୍ଠତା ଓ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦିଆଯାଉ। ପ୍ରତି ଆଶା କର୍ମୀଙ୍କୁ ବର୍ଷକୁ ଥରେ କଣ୍ଟିଜେନସି ବାବଦକୁ ୧୦ ହଜାର ଟଙ୍କା ଏବଂ ଦୁଇ ବର୍ଷରେ ଥରେ ସାଇକେଲ ପ୍ରଦାନ କରାଯାଉ। ଆଶା କର୍ମୀଙ୍କୁ ପ୍ରଦାନ କରାଯାଇଥିବା ମୋବାଇଲକୁ ପରିବର୍ତ୍ତନ କରି ସ୍ମାର୍ଟ ଫୋନର ବ୍ୟବସ୍ଥା କରାଯାଉ। ଏସବୁ ଦାବି ନେଇ ଗାନ୍ଧୀ ମାର୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି ଆଶା କର୍ମୀ। ଏହା ସହିତ ଆସନ୍ତା ୨୮ ତାରିଖରେ ଦିଲ୍ଲୀ ଯିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି। ଯଦି ଦାବି ନଶୁଣିବେ ସରକାର ତାହେଲେ ଆଶା କର୍ମୀ କାମ ବନ୍ଦର ମଧ୍ୟ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *