Spread the love

ଭୁବନେଶ୍ବର : ରାଜ୍ୟର କୃଷି କ୍ଷେତ୍ରରେ ବଢୁଛି ବିଜୁଳିର ବ୍ୟବହାର। କୃଷି ବିଭାଗର ତଥ୍ୟ ଅନୁସାରେ, ୨୦୧୬ ମସିହାରେ ହେକ୍ଟର ପିଛା ୧.୬ କିଲୋୱାଟର ବିଜୁଳି ଶକ୍ତି ଖର୍ଚ୍ଚ ହେଉଥିବା ବେଳେ ବର୍ତ୍ତମାନ ଏହା ୨.୨୩ କିଲୋୱାଟରେ ପହଞ୍ଚିଛି। ଏହା କୃଷି ଅଭିବୃଦ୍ଧିର ମାନକ ହେଉଥିଲେ ମଧ୍ୟ ବଢୁଥିବା ବିଜୁଳି ବ୍ୟବହାର ଯୋଗୁଁ ଆସୁଥିବା ବିଲ୍ ଚାଷୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ବିଜୁଳି ବିତରଣ ବ୍ୟବସ୍ଥା ଟାଟା ପାୱାର ନେବା ପରେ ସ୍ଥିତି ଆହୁରି ଜଟିଳ ହୋଇଛି। କୃଷି କ୍ଷେତ୍ରରେ ବିଜୁଳି ବିଲ ଛାଡ଼ ଦାବି ନେଇ ପ୍ରଥମେ ବରଗଡ଼ ଜିଲ୍ଲାରେ ଜୟ କିଷାନ ଆନ୍ଦୋଳନ ପକ୍ଷରୁ ବିଭିନ୍ନ ସ୍ଥାନରେ ବଡ଼ ଧରଣର ସମାବେଶ କରାଯାଇଥିଲା। ବର୍ତ୍ତମାନ ରାଜଧାନୀରେ ନବନିର୍ମାଣ କୃଷକ ସଂଗଠନ ମଧ୍ୟ ଆନ୍ଦୋଳନ ପାଇଁ ସଜବାଜ ହେଉଛି। ଅନ୍ୟ ସବୁଠି ବିଜୁଳି ବିଲ୍‌ ନେଇ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଚଳିତ ବର୍ଷ ଓଡ଼ିଶା ସରକାରଙ୍କ କୃଷି ଅଭିବୃଦ୍ଧି ନେଇ ଜାରି ରିପୋର୍ଟ ଅନୁସାରେ, ୨୦୨୧ ସୁଦ୍ଧା ରାଜ୍ୟର ୬୬.୯ ପ୍ରତିଶତ ଖରିଫ ଚାଷ ଜଳସେଚିତ ହୋଇଛି। ୨୦୨୨ ମସିହାରେ ସିଏଜିର ରିପୋର୍ଟ ଅନୁସାରେ, ୨୦୧୪ ରୁ ୨୦୧୯ ମସିହା ମଧ୍ୟରେ ୧୨ ହଜାର ୭୪୨ କୋଟି ଟଙ୍କା ଖର୍ଚ୍ଚ ପରେ ବି ରାଜ୍ୟରେ ମାତ୍ର ୨୪ ପ୍ରତିଶତ ଜମି ଜଳସେଚିତ ହୋଇପାରିଛି। ଜୟ କିଷାନ ଆନ୍ଦୋଳନର ହର ବଣିଆଙ୍କ ଅନୁସାରେ, ଜଳସେଚନ ସହିତ ବିଜୁଳି ଖର୍ଚ୍ଚର ସିଧାସଳଖ ସମ୍ପର୍କ ରହିଛି। ଅଣଜଳସେଚିତ କିମ୍ବା ଟେଲ ଏଣ୍ଡ ଅଞ୍ଚଳରେ ଉଠାଜଳସେଚନ ଜରିଆରେ ଜଳସେଚନ ପାଇଁ ସର୍ବାଧିକ ବିଜୁଳି ଖର୍ଚ୍ଚ ହୋଇଥାଏ। ଏଥିଯୋଗୁଁ ଖରିଫ ତୁଳନାରେ ରବିରେ ଅଧିକ ବିଜୁଳି ବିଲ‌୍ ଆସୁଛି। ବରଗଡ଼ ଚାଷୀ ଥବିର ସାହୁଙ୍କ ଅନୁସାରେ, ଉଠାଜଳସେଚନ ଜରିଆରେ ସେ ୩ ଏକର ଜମିକୁ ଜଳସେଚିତ କରୁଛନ୍ତି।
ପୂର୍ବରୁ ମାସକୁ ୮୦୦ରୁ ୯୦୦ ଟଙ୍କା ବିଜୁଳି ବିଲ ଆସୁଥିଲା ବେଳେ ବର୍ତ୍ତମାନ ଏହା ୬ ହଜାର ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ସାରିଛି। ଏପରିକି ବକେୟା ସହିତ ଚଳିତ ମାସ ତାଙ୍କ ବିଜୁଳି ବିଲ ଦେୟ ୧ ଲକ୍ଷ ୯୦ ହଜାର ଟଙ୍କା ଆସିବା ତାଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ବିଜୁଳି ବିତରଣ ଦାୟିତ୍ବ ଘରୋଇ ସଂସ୍ଥା ଉପରେ ରହିଥିବାରୁ ବକେୟା ପ୍ରଦାନରେ ବିଳମ୍ବ ହେଲେ ମାତ୍ରାଧିକ ଜରିମାନା ଆଦାୟ ହେଉଛି। ଯଦି ସରକାର ଆଜି ପର୍ଯ୍ୟନ୍ତ ଶତପ୍ରତିଶତ ଅଞ୍ଚଳକୁ ଜଳସେଚିତ କରିପାରୁ ନାହାନ୍ତି ତେବେ ବିଜୁଳି ବିଲ୍‌ ମାତ୍ରାଧିକ କାହିଁକି ନିଆଯାଉଛି ବୋଲି ଚାଷୀ ସଂଗଠନମାନେ ପ୍ରଶ୍ନ କରୁଛନ୍ତି। ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡ଼ୁ, କର୍ଣ୍ଣାଟକ, ପଞ୍ଜାବ, ହରିୟାଣା, ରାଜସ୍ଥାନ ଏବଂ ଛତିଶଗଡ଼ରେ ୟୁନିଟ ହିସାବରେ ଚାଷୀଙ୍କ ଠାରୁ ନାମକୁ ମାତ୍ର କିମ୍ବା ମାଗଣାରେ ବିଜୁଳି ଦିଆଯାଉଛି। ଓଡ଼ିଶାରେ ଚାଷ ଏବଂ ଚାଷୀଙ୍କ ସ୍ବାର୍ଥ ପାଇଁ ସେହି ବ୍ୟବସ୍ଥା କାର୍ଯ୍ୟକାରୀ ପାଇଁ ଦାବି ହୋଇଛି।
ଓୟୁଏଟି କୃଷି ଗବେଷଣା ଅଧ୍ୟକ୍ଷ ପ୍ରଫେସର ସଂଗ୍ରାମ କେଶରୀ ସ୍ବାଇଁଙ୍କ ଅନୁସାରେ, ଜଳସେଚନ, ଅମଳ ଯନ୍ତ୍ର ଏବଂ ପ୍ରୋସେସିଂ ପାଇଁ ବିଜୁଳି ଖର୍ଚ୍ଚ ହୋଇଥାଏ। କେବଳ ଉଠାଜଳସେଚନ ପାଇଁ ନୁହେଁ ଜଳସେଚିତ ଅଞ୍ଚଳରେ ମଧ୍ୟ ଚାଷ ଅଧିକ ହେଉଥିବାରୁ ସେହି ଅନୁଯାୟୀ ଅଧିକ ବିଜୁଳି ଖର୍ଚ୍ଚ ହୋଇଥାଏ। ସେଥିପାଇଁ କୃଷି ଅଭିବୃଦ୍ଧି ସହିତ ଚାଷରେ ବିଜୁଳିର ବ୍ୟବହାର ବୃଦ୍ଧି ପାଇ ଚାଲିଛି। ରାଜ୍ୟରେ ଚଳିତ ବର୍ଷ ଏହାର ପାଖାପାଖି ସ୍ଥିତିକୁ ପହଞ୍ଚିଛି। ବିଶେଷଜ୍ଞଙ୍କ ଅନୁସାରେ, ବର୍ତ୍ତମାନ ଯେଉଁଭଳି ଭାବରେ କୃଷି ଅଭିବୃଦ୍ଧି ଏବଂ କୃଷି ଯାନ୍ତ୍ରିକୀକରଣ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି ସେହି ଅନୁଯାୟୀ ବିଜୁଳି ଖର୍ଚ୍ଚ ବଢୁଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ବିଜୁଳି ବିଲ୍‌ର ମାଡ଼ରୁ ଚାଷୀଙ୍କୁ ରକ୍ଷା ନକଲେ କୃଷି ଅଭିବୃଦ୍ଧି ଚାଷୀଙ୍କ ପାଇଁ ବୁମେରାଂ ହୋଇ ପଡ଼ିବ। ଟିଡିସିଏଲ ଅନୁସାରେ, ଚାଷୀଙ୍କୁ ରିହାତିରେ ୧ ୟୁନିଟ ପିଛା ୧ଟ.୬୦ ପଇସା ଦରରେ ବିଲ୍‌ ନିଆଯାଉଥିବା ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *