Spread the love

ଭୁବନେଶ୍ବର : ଇନଫ୍ଲୁଏଞ୍ଜାର ଆରଟିପିସିଆର ପରୀକ୍ଷଣ ପାଇଁ କିଟ୍ କ୍ରୟ ସହିତ ଡାକ୍ତରଖାନାରେ ପର୍ଯ୍ୟାପ୍ତ ଔଷଧ, ଅକ୍ସିଜେନ ଏବଂ ଆଇସିୟୁର ସ୍ଥିତି ଯାଞ୍ଚ ନେଇ ଚିଠି କରାଯାଇଛି। ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ମେଡିକାଲ ଏବଂ ଜନସ୍ବାସ୍ଥ୍ୟ ଅଧିକାରୀ, ଏମସିଏଚ ଅଧୀକ୍ଷକ, କ୍ୟାପିଟାଲ ହସ୍ପିଟାଲ ଏବଂ ଆରସିଏଚ ରାଉରକେଲାର ନିର୍ଦେଶକଙ୍କୁ ଏହି ଚିଠି କରିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦେଶକ।
ଦେଶରେ ଇନଫ୍ଲୁଏଞ୍ଜା ଏବଂ ଗୁରୁତର ନିଃଶ୍ବାସ ପ୍ରଶ୍ବାସ ଜନିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ସଚିବ ରାଜ୍ୟ ସରକାରଙ୍କୁ ସତର୍କ କରିଛନ୍ତି। ଏହାର ଆଧାରରେ ସ୍ବାସ୍ଥ୍ୟ ନିର୍ଦେଶାଳୟ ପକ୍ଷରୁ ଜାରି ଚିଠିରେ କୁହାଯାଇଛି, ରାଜ୍ୟରେ ବର୍ତ୍ତମାନ ନିଃଶ୍ବାସ ଜନିତ ସମସ୍ୟା ବଢ଼ିବାରେ ଲାଗିଛି। ପ୍ରାଥମିକ ପର୍ଯ୍ୟାୟରୁ ସେମାନଙ୍କ ରିପୋର୍ଟିଂ ପାଇଁ ପ୍ରୋତ୍ସାହନ, ସଂକ୍ରମଣ ହ୍ରାସ ପାଇଁ ପଦକ୍ଷେପ ଏବଂ ଉପଜିଲ୍ଲାସ୍ତରୀୟ ସ୍ବାସ୍ଥ୍ୟ ୟୁନିଟରୁ ଏହା ସମ୍ପର୍କରେ ତଥ୍ୟ ସଂଗ୍ରହକୁ ଗୁରୁତ୍ବ ଦେବାକୁ କୁହାଯାଇଛି। ଆଇସିଏମଆରର କୋଭିଡ୍‌ ପ୍ରୋଟୋକଲ ଭଳି ଇନଫ୍ଲୁଏଞ୍ଜାର ତଦାରଖ ଏବଂ ନିରୀକ୍ଷଣ କରାଯିବ। କୋଭିଡ୍‌ର ୫ ସୂତ୍ରୀ କାର୍ଯ୍ୟକ୍ରମ ଯଥା ଟେଷ୍ଟ, ଟ୍ରାକ୍, ଟ୍ରିଟ୍, ଟିକାକରଣ ଏବଂ କୋଭିଡ୍‌ ନିୟମାବଳୀ ପାଳନ ନେଇ କଡ଼ାକଡ଼ି ଦୃଷ୍ଟି ଦିଆଯିବ। କୋଭିଡ୍‌ ନେଗେଟିଭ ଥିବା ନମୁନାକୁ ଆରଏମଆରସି ଭୁବନେଶ୍ବରକୁ ପଠାଯାଇ ପାରିବ। କୋଭିଡ୍‌ ବ୍ୟବହାର ପାଳନ ଭଳି ହାତର ସ୍ବଚ୍ଛତାକୁ ଗୁରୁତ୍ବ ଏବଂ ଛାପା ଏବଂ ବୈଦୁତିକ ଗଣମାଧ୍ୟମ ଜରିଆରେ କ’ଣ କରିବା ଉଚିତ ଏବଂ କ’ଣ କରିବା ଅନୁଚିତ ତାକୁ ନେଇ ପ୍ରଚାର ପ୍ରସାର କରିବାପାଇଁ କୁହାଯାଇଛି।

Leave a Reply

Your email address will not be published. Required fields are marked *