Spread the love

ପୁରୀ:‌ ବଡ଼ଦାଣ୍ଡ ସମ୍ରାଟ ମାର୍କେଟ୍‌ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ପରେ ପୁରୀ ସହରର ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନ ଠିଆ ହୋଇଛି। ସୌଭାଗ୍ୟକୁ କେହି ମୃତାହତ ହୋଇନଥିଲେ ବି କୋଠାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା, ପିକେଡିଏ ପ୍ଲାନିଂ ନିୟମକୁ ପାଦରେ ଦଳି ଦିଆଯାଇଥିବା ବେଳେ କାର୍ଯ୍ୟାନୁଷ୍ଠାନରେ ବିଳମ୍ବକୁ ନେଇ ଅଞ୍ଚଳବାସୀ, ବୁଦ୍ଧିଜୀବୀ, ଆଇନଜୀବୀମାନେ ସନ୍ଦେହ ପ୍ରକଟ କରିଛନ୍ତି। ସେପଟେ କେବଳ ଏହି କୋଠା ନୁହେଁ, ପୁରୀ ସହରରେ ଏଭଳି ହଜାର ହଜାର ହୋଟେଲ, ଲଜିଂ, ଧର୍ମଶାଳା ବିନା ଅଗ୍ନି ନିରାପତ୍ତା ପ୍ରମାଣପତ୍ର, ପିକେଡିଏ ପ୍ଲାନିଂରେ ଚାଲିଥିବା ଜିଲ୍ଲା ଅଗ୍ନିଶମ ଅଧିକାରୀ ପ୍ରଦୀପ କୁମାର ରାଉତ କହିଛନ୍ତି। ଏ ଦିଗରେ ଜିଲ୍ଲା ପ୍ରଶାସନ ଯଦି ସହଯୋଗ କରେ, ଆମେ ଆବଶ୍ୟକ ପଦକ୍ଷେପ ନେଇପାରିବୁ ବୋଲି ଶ୍ରୀ ରାଉତ କହିଛନ୍ତି।
ଶ୍ରୀ ରାଉତ କହିଛନ୍ତି, ପୁରୀ ସହରରେ ୩ହଜାରରୁ ଅଧିକ ହୋଟେଲ, ଲଜିଂ ସହ ବ୍ୟବସାୟିକ ପ୍ରତିଷ୍ଠାନର କୋଠା ରହିଛି। ଇତିମଧ୍ୟରେ ଅଗ୍ନିଶମ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇ ୩ଶହ ଅନୁଷ୍ଠାନକୁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପାଇବାକୁ ଯୋଗ୍ୟ ବୋଲି ଚିହ୍ନଟ କରାଯାଇଛି। ଏହି ୩ଶହରୁ ମାତ୍ର ୧୩ଟି ଅନୁଷ୍ଠାନ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନେଇଛନ୍ତି। ବାରମ୍ବାର ନୋଟିସ୍‌ କଲେ ବି ଅନ୍ୟମାନେଏହାକୁ କର୍ଣ୍ଣପାତ କରୁନାହାନ୍ତି। ଶ୍ରୀ ରାଉତ କହିଛନ୍ତି, ଯେଉଁମାନେ ବ୍ୟକ୍ତିଗତ ଘର ପାଇଁ ପ୍ଲାନିଂ ନେଉଛନ୍ତି, ସେମାନେ ପରବର୍ତ୍ତୀ ସମୟରେ ଏହାକୁ ହୋଟେଲ, ଲଜିଂ ଆଦି କରି ଦେଉଛନ୍ତି। ଏହା ଆଇନ ଦୃଷ୍ଟିରୁ ଅପରାଧ। ଏ ଦିଗରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି ଶ୍ରୀ ରାଉତ କହିଛନ୍ତି।
ଅନ୍ୟପଟେ ପୂର୍ବରୁ ପୁରୀରେ ବହୁ ହୋ‌ଟେଲ, ଲଜିଂ, ଧର୍ମଶାଳା, ମାର୍କେଟ୍‌ କମ୍ପ୍ଲେକ୍ସ ବିନା ଅଗ୍ନି ନିରାପତ୍ତା ପ୍ରମାଣପତ୍ରରେ ଚାଲିଥିବା ବହୁବାର ଅଭିଯୋଗ ହୋଇଛି। ୨୦୧୯ ମସିହାରେ ପୁରୀ ବିକାଶ ପରିଷଦ ଏ ଉପରେ ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ କରିଥିଲା। ଅଭିଯୋଗରେ ପରିଷଦ କହିଥିଲା ଯେ ପୁରୀ ସହରରେ ୫ଶହରୁ ଅଧିକ ହୋଟେଲ, ୧୬ଟି ମାର୍କେଟ ‌କମ୍ପ୍ଲେକ୍ସ, ୪ଟି ଧର୍ମଶାଳା, ବହୁ ଲଜ୍‌ ଅଗ୍ନି ନିରାପତ୍ତା ବ୍ୟବସ୍ଥା ବିନା ଚାଲୁଛି। ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପରିଷଦ ନିବେଦନ କରିଥିଲା। ଏହା ପରେ ରାଜ୍ୟ ମାନବାଧିକାର କମିସନ ପୁରୀ ଜିଲ୍ଲାପାଳଙ୍କୁ ଷ୍ଟାଟସ୍‌ ରିପୋର୍ଟ ମାଗିଥିଲେ। କମିସନଙ୍କ ଆଦେଶ ପରେ ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ପୁରୀ ସର୍କଲ୍‌ ଡେପୁଟି ଫାୟାର ଅଫିସରଙ୍କୁ ଏହାର ରିପୋର୍ଟ ମାଗିଥିଲେ। ଡେପୁଟି ଫାୟାର ଅଫିସର ୨୦୨୧ ଜୁନ ୧୪ ତାରିଖରେ ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କୁ ବି ଏ ସମ୍ପର୍କିତ ଏକ ରିପୋର୍ଟ ଦେଇଥିଲେ। ଯେଉଁଥିରେ ସେ ଦର୍ଶାଇଥିଲେ, ପୁରୀର ମାତ୍ର ୪୫ଟି ହୋଟେଲ୍‌ ଓ ଲଜିଂ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପାଇଁ ଆବେଦନ କରିଛନ୍ତି। ଆବଶ୍ୟକ ଯାଞ୍ଚ ପରେ ୧୩ଟି ହୋଟେଲ ଓ ଲଜିଂକୁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପ୍ରଦାନ କରାଯାଇଛି।
ବାକି ୨୨୬ରୁ ଅଧିକ ହୋଟେଲ, ଲଜିଂକୁ ଅଗ୍ନି ନିରାପତ୍ତା ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ‌ନୋଟିସ୍‌ ଜାରି କରାଯିବା ସହ ଅନଲାଇନ୍‌ ଆବେଦନ ସମ୍ପର୍କରେ ସଚେତନ କରାଯାଇି। ହେଲେ ଏହାକୁ କେହି ଗୁରୁତ୍ବ ଦେଉନଥିବା ରିପୋର୍ଟରେ ଦର୍ଶାଯାଇଥିଲା। ଏଣୁ ବ୍ୟବସାୟିକ ଲାଇସେନ୍ସ ପ୍ରଦାନ କରୁଥିବା କର୍ତ୍ତୃପକ୍ଷଙ୍କୁ ଏ ଦିଗରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେବାକୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ସେ ନିବେଦନ କରିଥିଲେ।
ଜିଲ୍ଲାପାଳ ୨୦୨୧ ଅଗଷ୍ଟ ୨୪ରେ ଡେପୁଟି ଫାୟାର ଅଫିସରଙ୍କ ଏହି ରିପୋର୍ଟକୁ ପ୍ରତିଜବାବ ଆକାରରେ ରାଜ୍ୟ ମାନବାଧିକାର କମିସନଙ୍କୁ ପ୍ରଦାନ କରିଥିଲେ। ଏପରିକି ପୁରୀ ସହରରେ ଥିବା ଅନ୍ୟ ହୋଟେଲ, ଲଜିଂ, ଧର୍ମଶାଳା ମାଲିକଙ୍କୁ ଏ ଉପରେ ସଚେତନ କରିବାକୁ ପୌରସଂସ୍ଥା ନିର୍ବାହୀ ଅଧିକାରୀ, ଟ୍ୟାକ୍ସ କଲେକ୍ଟର, ହୋଲ୍ଡିଂ ଟ୍ୟାକ୍ସ ସେକ୍ସନ୍‌କୁ ନିର୍ଦ୍ଦେଶ ଦିଆଯାଇଥିବା ଚିଠିରେ କହିଥିଲେ। କିନ୍ତୁ ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପ ‌କେବଳ ଚିଠିରେ ସୀମିତ ରହିଛି।

Leave a Reply

Your email address will not be published. Required fields are marked *