Spread the love

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରି ଇନ୍‌ଫ୍ଲୁଏଞ୍ଜା ଜନିତ ରୋଗ(ଆଇଏଲ୍‌ଆଇ) ଓ ଗୁରୁତର ନିଶ୍ବାସ ପ୍ରଶ୍ବାସ ଜନିତ ରୋଗ(ଏସ୍‌ଏଆରଆଇ) ଆକ୍ରାନ୍ତଙ୍କ ଉପରେ ନଜର ରଖିବାକୁ ନିର୍ଦେଶ ଦିଆଯାଇଛି। ଦେଶବ୍ୟାପୀ ଇନ୍‌ଫ୍ଲୁଏଞ୍ଜା-ଏ(ଏଚ୍‌୧ଏନ୍‌୧, ଏଚ୍‌୩ଏନ୍‌୨) ସମେତ ଏଡିନୋଭାଇରସ୍ ଭଳି ମାମଲା ବୃଦ୍ଧି ପାଉଥିବାରୁ ରାଜ୍ୟଗୁଡ଼ିକ ସତର୍କ ରହିବାକୁ କୁହାଯାଇଛି। ଆଜି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏ ସଂକ୍ରାନ୍ତରେ ସବୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।
ଗତ ୩ମାସ ହେବ ଓଡ଼ିଶା ସମେତ ଦେଶରେ ଥଣ୍ଡା, ଜ୍ବରରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦେଶବ୍ୟାପୀ ବିଭିନ୍ନ ପରୀକ୍ଷାଗାରରେ ହୋଇଥିବା ନମୁନା ପରୀକ୍ଷାରେ ଏଚ୍‌୩ଏନ୍‌୨ ଇନ୍‌ଫ୍ଲୁଏଞ୍ଜା ସଂଖ୍ୟା ଅଧିକ ରହିଥିବା ନଜରକୁ ଆସିଛି। ଶିଶୁ, ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା ଓ ଜଟିଳ ରୋଗ ଥିବା ଲୋକମାନେ ଏଚ୍‌୧ଏନ୍‌୧, ଏଚ୍‌୩ଏନ୍‌୨ ଓ ଏଡିନୋଭାଇରସ ପ୍ରତି ସମ୍ବେଦନଶୀଳ ରହିବାକୁ ପରାମର୍ଶ ଦିଆଯାଇଛି। ଆଇଏଲ୍‌ଆଇ ଓ ଏସ୍‌ଏଆର୍‌ଆଇରେ ଆକ୍ରାନ୍ତଙ୍କ ବ୍ୟକ୍ତିଙ୍କ ନମୁନା ନିୟମିତ ଭାବେ ପରୀକ୍ଷା କେନ୍ଦ୍ରକୁ ପଠାଇବା ସହ ସତର୍କ ରହିବାକୁ କୁହାଯଇଛି।
ଦେଶରେ ଯଦିଓ କୋଭିଡ ସଂକ୍ରମଣ ଯଥେଷ୍ଟ ହ୍ରାସ ପାଇଛି ତଥାପି କିଛି ରାଜ୍ୟରେ କୋଭିଡ୍‌ ସଂକ୍ରମଣ ହାରରେ ବୃଦ୍ଧି ଦେଖିବାକୁ ମିଳିଛି। ତେଣୁ ଲୋକମାନେ କୋଭିଡ୍‌ ପାଇଁ ୫ ସୂତ୍ରୀ କାର୍ଯ୍ୟକ୍ରମ ଯଥା ଟେଷ୍ଟ, ଟ୍ରାକ୍, ଟ୍ରିଟ୍‌, ଟିକାକରଣ ସହିତ କୋଭିଡ ନିୟମାବଳୀ ପାଳନ କରିବା ଉଚିତ। ଏହାସହିତ ରାଜ୍ୟ ସରକାର କୋଭିଡ-୧୯ ସଂକ୍ରାନ୍ତୀୟ ସଂଶୋଧିତ ନିର୍ଦେଶାବଳୀ ଜାରି କରିବା ଆବଶ୍ୟକ।
ଆରଏମ୍‌ଆରସିକୁ ପଠାଯାଇଥିବା ୨୨୫ ନମୁନାରୁ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୫୯ଜଣ ଇନ୍‌ଫ୍ଲୁଏଞ୍ଜା ଏଚ୍‌୩ଏନ୍‌୨ରେ ଚିହ୍ନଟ ହୋଇଛନ୍ତି। ମାତ୍ର ଏଚ୍‌୧ଏନ୍‌୧ ବା ସ୍ବାଇନ୍‌ ଫ୍ଲୁରେ କେହି ଆକ୍ରାନ୍ତ ହୋଇ ନାହାନ୍ତି। ଏହା ବାଦ୍ ଆରଏସ୍‌ଭିରେ ୧୧ଜଣ ଆକ୍ରାନ୍ତ ହୋଇଥିବା ନଜରକୁ ଆସିଛି।

Leave a Reply

Your email address will not be published. Required fields are marked *