Spread the love

ଭୁବନେଶ୍ବର : ତୃଣମୂଳସ୍ତରରୁ କଂଗ୍ରେସକୁ ମଜଭୂତ କରିବାର ଆବଶ୍ୟକତା ଅଛି। ଯେପର୍ଯ୍ୟନ୍ତ ଏହା ନ ହୋଇଛି କଂଗ୍ରେସ ସଂଗଠିତ ହୋଇପାରିବନି କି ଦଳ ସୁଦୃଢ଼ ହୋଇପାରିବନି। ବରିଷ୍ଠ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ ଆଜି ଏହା କହିଛନ୍ତି।
ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ନବାଗତ କଂଗ୍ରେସ ନେତା ବିଜୟ ପଟ୍ଟନାୟକଙ୍କ ସହ ଭେଟଘାଟ ଅବସରରେ ସେ ଏହି ମତ ଦେଇଛନ୍ତି। ଯାହା ପରେ ରାଜ୍ୟରେ ଦୀର୍ଘ ସମୟ ଧରି କ୍ଷମତାରେ ଥିବା କଂଗ୍ରସର ସ୍ଥିତି ପୁଣି ଥରେ ପଦାରେ ପଡ଼ିଛି। ଆସନ୍ତା ସାଧାରଣ ନିର୍ବାଚନକୁ ଆଉମାତ୍ର ହାତଗଣତି କେତୋଟି ମାସ ରହିଥିବା ବେଳେ ଦଳ ଏପର୍ଯ୍ୟନ୍ତ ତୃଳମୂଳସ୍ତରରେ ସୁଦୃଢ଼ ହୋଇପାରିନି ବୋଲି ଚିରଞ୍ଜୀବଙ୍କ ମତରୁ ସ୍ପଷ୍ଟ ଅନୁମେୟ ହେଉଛି। ତେଣୁ କଂଗ୍ରସ ଆଗାମୀ ପଦକ୍ଷେପ କ’ଣ ହେଉଛି ତାହା ଦେଖିବାର କଥା।
ସେପଟେ ଆଜି ଚିରଞ୍ଜୀବଙ୍କ ବାସଭବନକୁ ଯାଇ ଶ୍ରୀ ପଟ୍ଟନାୟକ ଭେଟିବା କଂଗ୍ରେସ ରାଜନୀତିରେ ଉଷ୍ମତା ଆଣିଛି। ଏହି ଭେଟଘାଟ ପରେ ଚିରଞ୍ଜୀବଙ୍କ କଂଗ୍ରେସ ଛାଡ଼ିବା ଚର୍ଚ୍ଚା ଉପରେ ପୂର୍ଣ୍ଣ ଛେଦ ପଡ଼ିଛି। ତେବେ ସେ କଂଗ୍ରେସ୍ ଛାଡ଼ିବା ଓ ଅନ୍ୟ ଦଳରେ ଯୋଗଦେବା ଚର୍ଚ୍ଚା ଉପରେ ଗଣମାଧ୍ୟମ ଭୂମିକା ଥିବା ଅଙ୍ଗୁଳି ଉଠାଇ କହିଛନ୍ତି।
ସେ କହିଛନ୍ତି, ବିଜୟଙ୍କ ସହ ଭେଟ ଏକ ସୌଜନ୍ୟମୂଳକ ସାକ୍ଷାତ୍ ଥିଲା। ଦଳ ଆଗକୁ କିପରି ରଣନୀତି କରିବ ସେନେଇ ଦୀର୍ଘ ୨ ଘଣ୍ଟା ଅଲୋଚନା ହୋଇଥିଲା।
କଂଗ୍ରେସ ଭବନକୁ କାହିଁକି ଆସୁନାହାନ୍ତି ବୋଲି ପଚାରିବାରୁ ସେ କହିଥିଲେ, କଂଗ୍ରେସ ଭବନରେ ବସିଲେ ଭୋଟ ଆସିବନି। ନିଜ ଏରିଆରୁ ହିଁ ଭୋଟ ଆସିବ। ଜିଲ୍ଲା ଓ ନିର୍ବାଚନ ମଣ୍ଡଳିକୁ ଦେଖିଲେ ହିଁ ଭୋଟ ଆସିବ। ନଚେତ୍ କାର୍ଯ୍ୟାଳୟରେ ବସି କ’ଣ କରାଯାଇପାରିବ? ବାଦାମ୍ ଖାଇବ! ମୁଁ ଆକ୍ଟିଭ୍ ରାଜନୀତିରେ ଅଛି ନା ନାହିଁ, ପଚାରିଲେ ଜାଣିହେବ। ଦଳ ପରିବର୍ତନ କରିବାର ଆଲୋଚନା ୩ ବର୍ଷ ହେଉଛି। କିନ୍ତୁ ମୁଁ କଂଗ୍ରେସରେ ଅଛି।
ସେପଟେ ଶ୍ରୀ ପଟ୍ଟନାୟକ କହିଛନ୍ତି, ଚିରଞ୍ଜୀବ ଜଣେ ପୁରୁଖା ନେତା। ତେଣୁ ତାଙ୍କୁ ଭେଟି କଂଗ୍ରେସ ଦଳକୁ ସୁଦୃଢ଼ କରାଯିବ ଓ ଆଗାମୀ ନିବାଚନରେ ଦଳର କେଉଁପ୍ରକାର ରଣନୀତି ରହିବ ସେନେଇ ଆଲୋଚନା ହୋଇଥିଲା। କ’ଣ କଲେ କଂଗ୍ରେସ ଦଳ ମଜଭୂତ ହେବ ସେନେଇ ଚିରଞ୍ଜୀବ ମତାମତ ଦେଇଥିଲେ। ତାଙ୍କ ମନ ଉଣା ନେଇ କୌଣସି ପ୍ରକାର ଚିହ୍ନ ଦୃଷ୍ଟିକୁ ଆସିନି। ସେ କଂଗ୍ରେସରେ ରହିବେ ବୋଲି ଦୃଢ଼ ବିଶ୍ୱାସ ରହିଛି।

Leave a Reply

Your email address will not be published. Required fields are marked *