Spread the love

ଆଠଗଡ଼: ଆଠଗଡ଼ ଗଡ଼ଜାତର ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରା ଏବଂ ହୋଲି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରବିବାର ପଞ୍ଚୁଦୋଳ ଉପଲକ୍ଷେ ଆଠଗଡ଼ ସହରକୁ ଧବଳେଶ୍ୱର ଓ ସର୍ପେଶ୍ୱର ସମେତ ବିଭିନ୍ନ ଗ୍ରାମାଞ୍ଚଳରୁ ୫୬ଟି ବିମାନରେ ଦିଅଁ ଆଠଗଡ଼ ଆସିବା ପରେ ଝୁଣ ପଡ଼ିଆଠାରେ ମେଲଣ ଅନୁଷ୍ଠିତ ହେବ। ସେଠାରୁ ରାତି ପ୍ରାୟ ୧୦ଟା ପରେ ଏକ ଭବ୍ୟ ଶୋଭାଯାତ୍ରାରେ ସମସ୍ତ ବିମାନ ସହର ପରକ୍ରମା କରିବା ପରେ ଦୁର୍ଗାବଜାରସ୍ଥିତ ଦୋଳବେଦୀ ନିକଟରେ ରାତ୍ରି ବିଶ୍ରାମ ନେବେ। ସୋମବାର ସକାଳେ ବିମାନରୂଢ ଦିଅଁଙ୍କୁ ଶୋଭାଯାତ୍ରାରେ ପୁନଃ ରାଧାଗୋବିନ୍ଦ ମନ୍ଦିର ନିକଟରେ ପହଞ୍ଚିବା ପରେ ସେଠାରେ ଉପଜିଲ୍ଲାପାଳ ସମସ୍ତ ବିମାନ, ପୁରୋହିତ ଓ ବିମାନ ବାହକଙ୍କୁୁ ସମ୍ବର୍ଦ୍ଧିତ କରିବେ। ସେଠାରୁ ବିମାନଗୁଡିକ ଶୋଭାଯାତ୍ରାରେ ଆସି ଯଜ୍ଞ ନାରାୟଣ ମନ୍ଦିରଠାରେ ପହଞ୍ଚିବା ପରେ ସେଠାରେ ରାଜଭୋଗ ଲାଗି ହେବ। ସୋମବାର ଆଠଗଡ଼ରେ ହୋଲି ଉତ୍ସବ ଶାନ୍ତିଶୃଙ୍ଖଳାର ସହିତ କିପରି ପାଳନ କରାଯିବ ସେଥିପାଇଁ ଆଠଗଡ଼ ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପରୀକ୍ଷାର୍ଥୀ, ପରୀକ୍ଷାରେ ନିୟୋଜିତ ଶିକ୍ଷକ ଓ ଅଧ୍ୟାପକ, ରୋଗୀ ଓ ସେମାନଙ୍କ ସହାୟକ, ବରିଷ୍ଠ ନାଗରିକ, କର୍ତ୍ତବ୍ୟରତ ସରକାରୀ କର୍ମଚାରୀ, ଅସୁସ୍ଥ ବ୍ୟକ୍ତି, ରଙ୍ଗଖେଳିବା ପାଇଁ ଅନିଚ୍ଛା ପ୍ରକାଶ କରୁଥବା ବ୍ୟକ୍ତି, ଭିନ୍ନକ୍ଷମ, ଭିନ୍ନ ସଂପ୍ରଦାୟର ବ୍ୟକ୍ତି, ମହିଳା ଓ ଶିଶୁଙ୍କୁ କେହିଁ ରଙ୍ଗ ମାରିପାରିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ସେହିପରି କୌଣସି ରସାୟନିକ ପ୍ରଦାର୍ଥ ବା ଶରୀରକୁ କ୍ଷତି ପହଞ୍ଚାଉଥିବା ଭଳି ପଦାର୍ଥକୁ ରଙ୍ଗଖେଳରେ ବ୍ୟବହାର ନକରିବା ଲାଗି ଚେତାଇ ଦିଆଯାଇଛି। ଆଠଗଡ଼ର ଏହି ପ୍ରସିଦ୍ଧ ପଞ୍ଚୁଦୋଳ ଓ ହୋଲି ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହିତ ସମାପନ କରିବା ପାଇଁ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *