Spread the love

ନୂଆଦିଲ୍ଲୀ : ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌) ନିଯୁକ୍ତିରେ ପୂର୍ବତନ ଅଗ୍ନିବୀରଙ୍କ ଲାଗି ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ରହିବ ବୋଲି ଗୁରୁବାର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି। ଏହାଛଡ଼ା ସେମାନଙ୍କ ଲାଗି ବୟସରେ ମଧ୍ୟ କୋହଳ କରାଯିବ ବୋଲି କୁହାଯାଇଛି।
ସୀମା ସୁରକ୍ଷା ବାହିନୀ, ଜେନେରାଲ ଡ୍ୟୁଟି କ୍ୟାଡର (ଅଣଗେଜେଟେଡ୍‌) ନିଯୁକ୍ତି ଅଧିନିୟମ ୨୦୧୫ରେ ସଂଶୋଧନ କରାଯାଇଛି। ଏହି ସଂଶୋଧିତ ନିୟମ ମାର୍ଚ୍ଚ ୯ରୁ ଲାଗୁ କରାଯାଇଛି। ସେହି ଅନୁଯାୟୀ କନେଷ୍ଟବଳ ନିଯୁକ୍ତି‌ ପାଇଁ ରହିଥିବା ନିୟମରେ ପ୍ରଥମ ବ୍ୟାଚ୍ ଅଗ୍ନିବୀରଙ୍କ ଲାଗି ୫ ବର୍ଷ ଓ ଅନ୍ୟ ବ୍ୟାଚ୍ ଅଗ୍ନିବୀରଙ୍କ ନିମନ୍ତେ ୩ ବର୍ଷ ଉପର ବୟସ ସୀମାରେ କୋହଳ କରାଯିବ। ତା’ଛଡ଼ା ସୀମା ସୁରକ୍ଷା ବାହିନୀ, ଜେନେରାଲ ଡ୍ୟୁଟି କ୍ୟାଡର (ଅଣଗେଜେଟେଡ୍) (ସଂଶୋଧନ) ନିଯୁକ୍ତି ଅଧିନିୟମ ୨୦୨୩ ଅନୁଯାୟୀ ପୂର୍ବତନ ଅଗ୍ନିବୀରଙ୍କ ଲାଗି ଶାରୀରିକ ଦକ୍ଷତା ପରୀକ୍ଷାର ବି ଆବଶ୍ୟକତା ନାହିଁ।

ସୂଚନାଯୋଗ୍ୟ ୪ ବର୍ଷିଆ କାର୍ଯ୍ୟକାଳ ସରିଲା ପରେ ମାତ୍ର ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ସେନାରେ ନିୟମିତ ନିଯୁକ୍ତି ଦିଆଯିବା ବ୍ୟବସ୍ଥାକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସମାଲୋଚନାର ଶରବ୍ୟ ହୋଇଆସୁଥିଲା। ଏହାପରେ ମନ୍ତ୍ରଣାଳୟ ପକ୍ଷରୁ ଅର୍ଦ୍ଧସମାରିକ ବାହିନୀ ଓ ଆସାମ ରାଇଫଲ୍‌ସରେ ୧୦ ପ୍ରତିଶତ ଖାଲିସ୍ଥାନ ଅଗ୍ନିବୀରଙ୍କ ଦ୍ବାରା ପୂରଣ କରାଯିବ ବୋଲି ଘୋଷଣା କରାଯାଇଥିଲା। ଏଥି ସହ ପ୍ରଥମ ବ୍ୟାଚ୍ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୫ ବର୍ଷ ଓ ଅନ୍ୟ ବ୍ୟାଚ୍ ପାଇଁ ୩ ବର୍ଷ ଉପର ବୟସ ସୀମାରେ କୋହଳ କରାଯିବ ବୋଲି ଘୋଷଣା କରାଯାଇଥିଲା।

Leave a Reply

Your email address will not be published. Required fields are marked *