Spread the love

ପୁନେ : ଚତୁର୍ଥ ୱାଇ୨୦ ପରାମର୍ଶ ବୈଠକ ଆଜି ପୁନେସ୍ଥିତ ସିମ୍ବାଓସିସ୍ ଅନ୍ତର୍ଜାତୀୟ ବିଶ୍ୱ ବିଦ୍ୟାଳୟ (ଏସ୍‌ଆଇୟୁ)ରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ଉଦ୍‌ଘାଟନୀ ସମାରୋହରେ କେନ୍ଦ୍ର ଯୁବ ବ୍ୟାପାର, କ୍ରୀଡ଼ା, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଷ୍ଟ୍ରାଟେଜିକ୍ ଫୋରସାଇଟ୍ ଗ୍ରୁପ୍‌ର ଅଧ୍ୟକ୍ଷ ଡ. ସନ୍ଦୀପ ୱାସ୍‌ଲେକର ଏହି ବୈଠକରେ ମୁଖ୍ୟବକ୍ତା ଥିଲେ।
ଏହି ଅବସରରେ ଉଦ୍‌ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଠାକୁର କହିଛନ୍ତି ଯେ, ମହାରାଷ୍ଟ୍ରର ସାଂସ୍କୃତିକ ରାଜଧାନୀ ତଥା ଅଗ୍ରଣୀ ଶିକ୍ଷା କେନ୍ଦ୍ର ଭାବରେ ପୁନେର ସୁନାମ ରହିଛି। ୧୦ରୁ ଅଧିକ ବିଶ୍ୱବିଦ୍ୟାଳୟ ଏବଂ ୧୦୦ଟି ଅନୁଷ୍ଠାନ ସହିତ ଏହି ସହର ଅନେକ ପିଢ଼ି ଧରି ଜ୍ଞାନ ଓ ସଂସ୍କୃତିର ଏକ ଆଲୋକସ୍ତମ୍ଭ ପାଲଟିଛି, ଯାହା ସାରା ବିଶ୍ୱର ଛାତ୍ର ତଥା ବିଦ୍ୱାନମାନଙ୍କୁ ଆକର୍ଷିତ କରିଥାଏ। ସିମ୍ବାଓସିସ୍ ପରି ଅନୁଷ୍ଠାନ ସମଗ୍ର ବିଶ୍ୱରେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିଥାଏ। ଏହି ୱାଇ୨୦ କାର୍ଯ୍ୟକ୍ରମକୁ ଆୟୋଜନ କରିବା ପାଇଁ ଏହାଠାରୁ ଏକ ଉତ୍ତମ ସ୍ଥାନ ଆଉ କିଛି ହୋଇପାରିବ ନାହିଁ। ଏହିପରି ଅନୁଷ୍ଠାନଗୁଡ଼ିକ ପରିବର୍ତ୍ତନର ମଞ୍ଜି ବପନ କରିଥାନ୍ତି ଏବଂ ତାହାର ପାଳନ ପୋଷଣ କରନ୍ତି।

ମନ୍ତ୍ରୀ ଆହୁରି କହିଲେ,- ଭାରତ ସମ୍ମାନଜନକ ଜି୨୦ର ଆୟୋଜନ କରିବା ଆମ ପାଇଁ ଗର୍ବର ବିଷୟ। ସମ୍ମାନଜନକ ୱାଇ୨୦ ଶିଖର ସମ୍ମିଳନୀ ଆୟୋଜନ କରିବା ମୋ ପାଇଁ ତଥା ଆମ ବିଭାଗ ନିମନ୍ତେ ଏକ ସୌଭାଗ୍ୟର ବିଷୟ। ବିଶ୍ୱର ଯୁବକମାନଙ୍କ ସାମୂହିକ ପ୍ରୟାସକୁ ଅଧିକ ଗୁରୁତ୍ୱପୂର୍ଣ କରିବା ନିମନ୍ତେ ଏହା ଏକ ଅସାଧାରଣ ସୁଯୋଗ। ଏହି ଶିଖର ସମ୍ମିଳନୀରେ ଭାରତର ଭୂମିକା କେବଳ କହିବା ପର୍ଯ୍ୟନ୍ତ ସୀମିତ ନୁହେଁ, ଏହା ମଧ୍ୟ ଯୁବକମାନଙ୍କ ପାଇଁ ଶୁଣିବାକୁ ଏବଂ ସକ୍ରିୟ ଭାବରେ ବିଶ୍ୱସ୍ତରୀୟ ଏଜେଣ୍ଡା ଗଠନ କରିବାକୁ ଲକ୍ଷ୍ୟ ରଖିଛି। ସେହି ଅନୁଯାୟୀ, ୱାଇ୨୦ ଶିଖର ସମ୍ମିଳନୀ ୨୦୨୩ ପାଞ୍ଚଟି ମୁଖ୍ୟ ବିଷୟ ଚିହ୍ନଟ କରିଛି ଯାହା ଆମ ଯୁବଗୋଷ୍ଠୀ ପାଇଁ ମାର୍ଗଦର୍ଶିକା ଭାବରେ କାର୍ଯ୍ୟ କରିବ।

Leave a Reply

Your email address will not be published. Required fields are marked *