Spread the love

ମୁମ୍ବାଇ : ବିଭିନ୍ନ ରାଜ୍ୟ ପାଇଁ ହେଉଥିବା ନିର୍ବାଚନରେ ଭାଗ ନେଉଥିବା ରାଜନେତାମାନଙ୍କ ମଧ୍ୟରେ ସ୍ନାତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଏକ ବିଶ୍ଳେଷଣରୁ ଜଣାପଡ଼ିଛି। ନିକଟରେ ନାଗାଲାଣ୍ଡ, ତ୍ରିପୁରା ଓ ମେଘାଳୟରେ ନିର୍ବାଚନ ଶେଷ ହୋଇଥିବା ବେଳେ ଏଥିରେ ପୂର୍ବ ନିର୍ବାଚନଗୁଡ଼ିକ ତୁଳନାରେ ସମାନ ବା ଅଧିକ ସ୍ନାତକ ପ୍ରାର୍ଥୀ ଭାଗ ନେଇଥିଲେ।
ତେବେ ଏହି ଧାରା ଉପରୋକ୍ତ ତିନି ରାଜ୍ୟରେ ସୀମିତ ନୁହେଁ। ଗତ ୧୦ ବର୍ଷ ଭିତରେ ବିଭିନ୍ନ ରାଜ୍ୟରେ ହୋଇଥିବା ନିର୍ବାଚନଗୁଡ଼ିକରେ ସ୍ନାତକ ଓ ଉଚ୍ଚଶିକ୍ଷିତ ପ୍ରାର୍ଥୀଙ୍କ ସଂଖ୍ୟାରେ ୩ ପ୍ରତିଶତ ବୃଦ୍ଧି ଘଟିଛି। ସେହିପରି ବିଜେତାଙ୍କ ସଂଖ୍ୟାରେ ୨.୫ ପ୍ରତିଶତ ବୃଦ୍ଧି ଘଟିଛି। ଏହି ତାଲିକାରେ ଶୀର୍ଷରେ ରହିଛି ଉତ୍ତର-ପୂର୍ବ ରାଜ୍ୟ ମଣିପୁର। ସେଠାରେ ବିଗତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଓ ଜିତିଥିବା ନେତାଙ୍କ ମଧ୍ୟରୁ ୭୭ ପ୍ରତିଶତ ହେଉଛନ୍ତି ସ୍ନାତକ। ସେହିପରି ବିଗତ ନିର୍ବାଚନରେ ଗୁଜରାଟରେ ପ୍ରାର୍ଥୀଙ୍କ ମଧ୍ୟରେ ୨୮ ପ୍ରତିଶତ ଏବଂ ବିଜେତାଙ୍କ ମଧ୍ୟରେ ୪୬ ପ୍ରତିଶତ ଥିଲେ ସ୍ନାତକ ବା ତଦୂର୍ଦ୍ଧ୍ବ।
ଶିକ୍ଷିତ ରାଜନେତାଙ୍କ ସଂଖ୍ୟା ରାଜ୍ୟର ମୋଟ ଶିକ୍ଷିତଙ୍କ ସଂଖ୍ୟା ସହ ସମ୍ବନ୍ଧିତ ଥିବା ପରି ମନେହୁଏ। ଗୁଜରାଟର ଉଦାହରଣ ନିଆଯାଉ। ସେଠାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରେ ପ୍ରତି ୧୦୦ ଜଣରେ ୧୪ ଜଣ ଉଚ୍ଚତର ଶିକ୍ଷାରେ ପ୍ରବେଶ କରନ୍ତି।
ଜାତୀୟ ରାଜନୀତିରେ କିନ୍ତୁ ସ୍ନାତକଙ୍କ ପ୍ରବେଶ ବର୍ଦ୍ଧିତ ହାରରେ ଘଟିବା ଦେଖାଯାଉ ନାହିଁ। ଜାତୀୟ ରାଜନୀତିରେ ସ୍ନାତକଙ୍କ ସଂଖ୍ୟା ସମ୍ପ୍ରତି ୪୮ ପ୍ରତିଶତ ରହିଛି। ୨୦୦୪ରେ ବି ସେତିକି ଥିଲା। ଜାତୀୟସ୍ତରରେ ଉଚ୍ଚଶିକ୍ଷାର ଉପଲବ୍ଧତାକୁ ଦେଖିଲେ ଏଥିରେ ଆଶ୍ଚର୍ଯ୍ୟ ହେବାର କାରଣ ନାହିଁ। କାରଣ ଦେଶ ଜନସଂଖ୍ୟାର ମାତ୍ର ୧୦.୬ ପ୍ରତିଶତ ଲୋକ ସ୍ନାତକ ଡିଗ୍ରି ହାସଲ କରିଥାନ୍ତି।

Leave a Reply

Your email address will not be published. Required fields are marked *