Spread the love

ନୂଆଦିଲ୍ଲୀ: ଫ୍ଲାଏ ଦୁବାଇ ବିମାନରେ କ୍ୟାପଟେନ୍ ଙ୍କୁ ଛୁରାମାଡ଼ ଘଟଣାକୁ ନେଇ ବଡ଼ ବୟାନ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । କହିଛନ୍ତି, ଆକ୍ରମଣ କରିଥିବା ଓମାନର କୋ-ପାଇଲଟ୍ ଇସଲାମିକ୍ କଟ୍ଟରପନ୍ଥୀ ଚିନ୍ତାଧାରାରେ ପ୍ରଭାବିତ ହୋଇଥିଲେ ।  ତେବେ ଘଟଣା ପଛରେ ଆଉ କିଏ ଥିଲେ କିମ୍ବା କୌଣସି ସଂଗଠନର ସମ୍ପର୍କ ଥିଲା କି ନାହିଁ, ସେନେଇ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ନେତାନ୍ୟାହୁ ।   ଅନ୍ୟପଟେ କ୍ୟାପଟେନ୍ ସ୍ମିତ ମାଚ୍ଛରଙ୍କ ଉପରେ ଆକ୍ରମଣ କରିଥିବା କୋପାଇଲଟଙ୍କୁ UAEକୁ ହସ୍ତାନ୍ତର କରାଯାଇଛି । ଇସ୍ରାଏଲୀ ଅଧିକାରୀମାନେ କୋ-ପାଇଲଟଙ୍କୁ ଓମାନର ନାଗରିକ ବୋଲି କହିଛନ୍ତି ।

ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା  ଫ୍ଲାଏ ଦୁବାଇ ବିମାନର କକପିଟରେ ଏହି ଘଟଣା ଘଟିଥିଲା । କ୍ୟାପଟେନ ସ୍ମିତ ମାଚ୍ଛରଙ୍କୁ ଛୁରାମାଡ଼ କରିଥିଲେ କୋ-ପାଇଲଟ୍  । ଏହାପରେ ବିମାନରେ ଥିବା ଅନ୍ୟ କ୍ରୁ ସଦସ୍ୟ ଓ ଯାତ୍ରୀମାନେ ତାଙ୍କୁ କାବୁ କରିଥିଲେ। ପରେ ଅନ୍ୟ ପାଇଲଟ୍ ମାନେ ବିମାନର ନିୟନ୍ତ୍ରଣ ନେଇଥିଲେ। ବିମାନକୁ ସାଉଦି ଆରବର ତାବୁକ୍ ରେ ସୁରକ୍ଷିତ ଭାବେ ଜରୁରୀ ଅବତରଣ କରାଯାଇଥିଲା । ବିମାନରେ ଥିବା ୧୭୦ରୁ ଅଧିକ ଲୋକ ସୁରକ୍ଷିତ ରହିଥିଲେ । ଏବେ UAEର ନ୍ୟାୟିକ କର୍ତ୍ତୃପକ୍ଷ ଘଟଣାର ବିସ୍ତୃତ ତଦନ୍ତ କରୁଛନ୍ତି । କକପିଟ୍  ଭିତରେ ପ୍ରକୃତରେ କ’ଣ ଘଟିଥିଲା, ଆକ୍ରମଣ ପଛର କାରଣ କ’ଣ ଥିଲା ଏବଂ ଜାଣିଶୁଣି ବିମାନକୁ ନିୟନ୍ତ୍ରଣକୁ ନେଇ ଦୁର୍ଘଟଣା ଘଟାଇବାର ଉଦ୍ୟମ ହୋଇଥିଲା କି ନାହିଁ—ସେସବୁ ଦିଗରେ ତଦନ୍ତ ଚାଲିଛି ।  ଆତଙ୍କବାଦୀ କାର୍ଯ୍ୟକଳାପ, ପୂର୍ବ ଯୋଜନା କିମ୍ବା କାହାର ନିର୍ଦ୍ଦେଶ ଏହା ପଛରେ ଥିଲା କି ନାହିଁ, ତାହା ମଧ୍ୟ UAE ତଦନ୍ତର ପରିସରରେ ରହିଛି ।

ଅନ୍ୟପଟେ  ଆକ୍ରମଣରେ ଆହତ ଭାରତୀୟ କ୍ୟାପଟେନ୍ ସ୍ମିତ ମାଚ୍ଛରଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଭାରତୀୟ ଦୂତାବାସ କହିଛି । UAEରେ ଭାରତୀୟ ରାଷ୍ଟ୍ରଦୂତ ଦୀପକ ମିତ୍ତଲ ତାଙ୍କୁ ଓ ତାଙ୍କ ପରିବାରକୁ ଭେଟିଛନ୍ତି ।

Leave a Reply

Your email address will not be published. Required fields are marked *