ଭୁବନେଶ୍ବର : ୬୦ଦଶକ ପରେ ଦ୍ବିତୀୟ ସବୁଜ ବିପ୍ଳବ ପରେ ପରେ ଭାରତର କୃଷି, କୃଷକ ଓ କୃଷି ଉତ୍ପାଦନ ଏଭଳି ଭାବେ ବଦଳି ଯାଇଛି ଯେ, କୃଷକ ହୋଇଯାଇଛି ଭୂମିଦାସ। ଏଥିସହ ନିଜେ ଚାଷ କରୁନଥିବା ବ୍ୟକ୍ତିଙ୍କ ହାତକୁ କୃଷି ଚାଲିଯାଇଛି। ଫଳରେ ଆଜି ଚାଷୀ ଆତ୍ମହତ୍ୟା ହିଁ ସାର ହୋଇଛି। ଏପରିକି କ୍ଷୁଦ୍ରଚାଷୀଙ୍କ ପାଇଁ ଚାଷକୁ ବେଉସା କରି ପରିବାର ପ୍ରତିପୋଷଣ କରିବା ସମ୍ଭବ ହେଉନାହିଁ। କୃଷି ଏବେ କୃଷକ ପାଇଁ ବୋଝ ହୋଇ ଯାଇଥିବା ବେଳେ ଏଥିଯୋଗୁଁ ଗ୍ରାମ୍ୟ ଜୀବନ ବିକୃତ ହୋଇଗଲାଣି ବୋଲି କହିଛନ୍ତି ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକ। ଶୁକ୍ରବାର ଦିନ ଜୟଦେବ ଭବନଠାରେ ସ୍ତମ୍ଭକାର ନଟବର ଖୁଣ୍ଟିଆଙ୍କ ପୁସ୍ତକ ‘ମୋ ପିଲାଦିନର ଆମ ଗାଁ’ ଉନ୍ମୋଚନ କରି ଏହା କହିଛନ୍ତି ଶ୍ରୀ ପଟ୍ଟନାୟକ।
ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସବୁଜ ବିପ୍ଳବ ବେଳେ ଅଧିକ ଉତ୍ପାଦନକ୍ଷମ ଧାନ ବିହନ ଚାଷୀଙ୍କୁ ଯୋଗାଇ ଦିଆଗଲା। ପାରମ୍ପରିକ ବିହନ ଉଭେଇ ଗଲା। ଏହି ଅଧିକ ଉତ୍ପାଦନକ୍ଷମ ଧାନ ଚାଷ ପାଇଁ ଗୋବର, ଖତ ପର୍ଯ୍ୟାପ୍ତ ହେଲା ନାହିଁ। ମାଟି ଭିତରୁ ଉର୍ବର ଶକ୍ତିକୁ ଟାଣି ଆଣି ଉତ୍ପାଦନ ବଢ଼ାଇବା ପାଇଁ ରାସାୟନିକ ସାର ଓ କୀଟନାଶକ ଅଧିକ ବ୍ୟବହାର ହେଲା। ଏହି ବାବଦୀୟ ଖର୍ଚ୍ଚ ଚାଷ ଜମିରୁ ବାହାରିଲା ନାହିଁ। ଫଳରେ ଅନେକ ଚାଷୀ ଜମି ବିକ୍ରି କରି ଅନ୍ୟ ବେଉସା ଅପଣାଇଲେ। କୃଷି ଧୀରେଧୀରେ ଅଣକୃଷକଙ୍କ ହାତକୁ ଚାଲିଗଲା।
‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସ୍ତମ୍ଭକାର ଭଗବାନ ପ୍ରକାଶ ଯୋଗଦେଇ କହିଥିଲେ, ଆତ୍ମଜୀବନୀ ଲିଖନ ଭାରତୀୟ ଦାର୍ଶନିକ ପରମ୍ପରାର ଅଂଶ ନୁହେଁ। ଆତ୍ମଜୀବନୀରେ ଆତ୍ମପ୍ରଶଂସା ଅଧିକ ମାତ୍ରାରେ ରହୁଥିବାରୁ ଏହା ଭାରତୀୟମାନେ ଗ୍ରହଣ କରନ୍ତି ନାହିଁ। ଏହି କାରଣରୁ ମୋଗଲ ସମ୍ରାଟ ବାବର ଯେତେବେଳେ ନିଜ ଆତ୍ମଜୀବନୀ ‘ବାବରନାମା’ ଲେଖିଥିଲେ ତାହାକୁ କେହି ପଢ଼ିନଥିଲେ। କିନ୍ତୁ ଲେଖକ ଶ୍ରୀ ଖୁଣ୍ଟିଆଙ୍କ ଏହି ପୁସ୍ତକ ଆତ୍ମପ୍ରଶଂସା ନୁହେଁ, ଏକ କାଳଖଣ୍ଡର ଦସ୍ତାବିଜ। ଆତ୍ମଜୀବନୀ ଲିଖନ ଓ ପ୍ରକାଶନୀ ଭିତରେ ଏକ ବଡ଼ ବ୍ୟବଧାନ ରହିବା ଉଚିତ। ତେବେ ଯାଇ ଆତ୍ମଜୀବନୀ ଅଧିକ ବିଶ୍ବାସଭାଜନ ହୋଇପାରିବ।
ସଭାରେ ମୁଖ୍ୟବକ୍ତା ଭାବେ ଲେଖକ ଅଧ୍ୟାପକ ବିଶ୍ବରଞ୍ଜନ ଯୋଗଦେଇ କହିଥିଲେ, ସହରର ନିଆଁଗିଳା ଆଁ ଭିତରେ ଗାଁ ନିଜ ଅସ୍ତିତ୍ବ ହରାଇଛି। ପରିବର୍ତ୍ତନ ଯଦି ଆମ ଐତିହ୍ୟ, ସଂସ୍କୃତି, ପରମ୍ପରା, ସାମାଜିକ ସ୍ଥିତି ଓ ଅର୍ଥନୈତିକ ସାମ୍ୟକୁ ପ୍ରଭାବିତ କରୁଛି ତାହା ଗ୍ରହଣୀୟ ନୁହେଁ। ସମ୍ମାନିତ ଅତିଥି ଭାବେ ଲେଖକ ଗୋବିନ୍ଦ ଭୂୟାଁ ଯୋଗ ଦେଇ ପୁସ୍ତକର ସମୀକ୍ଷା କରିଥିଲେ। ଶେଷରେ ଲେଖକ ଶ୍ରୀ ଖୁଣ୍ଟିଆ ନିଜର ଲେଖକୀୟ ମନ୍ତବ୍ୟ ଦେବା ସହ ପୁସ୍ତକ ଲେଖିବା ପଛର କାହାଣୀ ବର୍ଣ୍ଣନା କରିଥିଲେ।
କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକ ନିଜ ସଭାପତିତ୍ବ ଅଭିଭାଷଣରେ କହିଥିଲେ, ଆମ ସମୟରେ ସମକାଳୀନ ଇତିହାସ ଅଧିକ ଲେଖାଯାଉନାହିଁ। ଯାହାଫଳରେ ଏବେର ଯୁବପିଢ଼ି ସମକାଳୀନ ଇତିହାସ ସମ୍ପର୍କରେ ଅଧିକ ଧାରଣା ରଖିବାର ଅବକାଶ ନାହିଁ। ଆଜି ଉନ୍ମୋଚିତ ପୁସ୍ତକ ୧୯୫୦ରୁ ୬୦ ଦଶକର ଓଡ଼ିଶାର ଗ୍ରାମ୍ୟ ଜୀବନ, କୃଷି, ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ସ୍ଥିତିର ଏକ ବଳିଷ୍ଠ ଦସ୍ତାବିଜ ହୋଇରହିବ। ଏଥିସହ ଏହି ପୁସ୍ତକଟି ସୁଖପାଠ୍ୟ ଗଦ୍ୟ ହେବ। ଗଦ୍ୟ ଯଦି ସୁଖପାଠ୍ୟ ନ ହେବ, ତେବେ ଆମ ଭାଷା ବ୍ୟବହାର ହେବ ନାହିଁ, ସମୃଦ୍ଧି ହୋଇପାରିବ ନାହିଁ, କିମ୍ବା ଆମ ଉତ୍ତରପିଢ଼ି ନିକଟରେ ଭାଷାର ଆଦର ବଢ଼ିବ ନାହିଁ। ତେବେ ଏହି ସୁଖପାଠ୍ୟ ଗଦ୍ୟଟି ପାଠକଙ୍କ ମଧ୍ୟରେ ସହଜ ପଠନ ଅଭ୍ୟାସ ସୃଷ୍ଟି କରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
କାର୍ଯ୍ୟକ୍ରମରେ ‘ଗାଉଁଲି ବିଚାର’ ଅନୁଷ୍ଠାନ ପକ୍ଷରୁ ଲେଖକଙ୍କ ଗାଁ ‘ଗୋପେଇ’ରେ ଶିକ୍ଷା କ୍ଷେତ୍ରରେ ପ୍ରଥମ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ପ୍ରତିନିଧି ବାଉରୀବନ୍ଧୁ ପଟ୍ଟନାୟକ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସୁଦତ୍ତା ଖୁଣ୍ଟିଆ ସ୍ବାଗତ ଭାଷଣ ଓ ଶିବଦତ୍ତା ନାୟକ ଧନ୍ୟବାଦ ଜଣାଇଥିଲେ। ପୁସ୍ତକର ପ୍ରକାଶକ ତଥା ‘ବିଦ୍ୟାପୁରୀ’ର ଜୀବାନନ୍ଦ ମିଶ୍ର ଉପସ୍ଥିତି ଥିଲେ।