ବସ୍ତା : ବାଲେଶ୍ବର ଜିଲ୍ଲା ସିଂଲା ଥାନା ପାଣିସୁଳିଆ ଗ୍ରାମ ବାହାରେ ଥିବା ଖାଲ ଭିତରୁ ଅଖାରେ ଭର୍ତ୍ତି କଙ୍କାଳ ଜବତ ହୋଇଛି। ହତ୍ୟା ସନ୍ଦେହରେ ପୁଲିସ ପକ୍ଷରୁ ଛାନଭିନ ଜାରି ରହିଛି।
ସୂଚନାରୁ ପ୍ରକାଶ ଆଜି ସକାଳ ସମୟରେ ପାଣିସୁଳିଆ ଗ୍ରାମର କିଛି ଲୋକ ଗ୍ରାମ ବାହାରେ ଥିବା ଏକ ଖାଲରୁ ମାଛ ଧରିବା ପାଇଁ ଦଳ ସଫା କରିବା ସହିତ ପାଣି ବାହାର କରିଥିଲେ। ଖାଲରୁ ମାଛ ଧରିବା ସମୟରେ ଏକ ବସ୍ତାରେ କିଛି ଥିବା ଲୋକେ ଦେଖିଥିଲେ। ପରେ ଖାଲ ହୁଡ଼ାକୁ ଆଣି ଆଖଟି ଖୋଲିବାରୁ ସେଥିରେ ମଣିଷ ମୁଣ୍ଡ ଖପୁରି ସହିତ କଙ୍କାଳ ଓ ସାର୍ଟ,ପ୍ୟାଣ୍ଟ୍ ଥିବା ଦେଖିବାକୁ ପାଇଥିଲେ। ଏହି ଖବର ପ୍ରଚାରିତ ହେବାପରେ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା।
ଖବର ପାଇ ସ୍ଥାନୀୟ ସରପଞ୍ଚ ପ୍ରଭାତ ଦାସ ଘଟଣାସ୍ଥଳରେ ପହଞ୍ଚି ସିଂଲା ପୁଲିସ କୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି କଙ୍କାଳ ଜବତ କରିବା ସହିତ ଘଟଣାର ତଦନ୍ତ ଚଳାଇଛି। ତେବେ କେହି ଦୁର୍ବୃତ୍ତ କାହାରିକୁ ହତ୍ୟାକରି ଅଖାରେ ଭର୍ତ୍ତିକରି ପ୍ରମାଣ ନଷ୍ଟ ପାଇଁ ଖାଲକୁ ମୃତ ଶରୀର ଫିଙ୍ଗିଥିବା ଅନୁମାନ କରାଯାଉଛି। ମାତ୍ର ଉଦ୍ଧାର କଙ୍କାଳ କାହାର ତାଙ୍କର କୌଣସି ପରିଚୟ ମିଳିପାରି ନାହିଁ। ଅଧିକ ତଦନ୍ତ ପାଇଁ ସାଇନଟିଫିକ ଟିମ୍ କୁ ପୁଲିସ ଖବର ଦେଇଥିବା ଜଣାଯାଇଛି। ଉକ୍ତ ଘଟଣାର ଅଧିକ ତଦନ୍ତ ହେଲେ ପ୍ରକୃତ କଙ୍କାଳର ପରିଚୟ ଓ କିଏ କାହିଁକି ହତ୍ୟା କରିଛି ତାହାର ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୁଲିସ ପ୍ରକାଶ କରିଛି।