Spread the love

ଭୁବନେଶ୍ୱର: ନବ ଦାସଙ୍କ ମୃତ୍ୟୁର ତଦନ୍ତକୁ ନେଇ ବିରୋଧୀଙ୍କ କଡ୍ଡା ସମାଲୋଚନା ପରେ ମୁହଁ ଖୋଲିଛନ୍ତି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା। ବର୍ଷା  ଟୁଇଟ କରି ଏପରି ସମାଲୋଚନାରୁ କ୍ଷାନ୍ତ ହେବାକୁ ବିରୋଧୀକୁ ଅନୁରୋଧ କରିଛନ୍ତି।

ବିଜେଡି ବିଧାୟିକା ବର୍ଷା  ତାଙ୍କ ଟୁଇଟକୁ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟ୍ୟାଗ କରି  କହିଛନ୍ତି,  ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ମୃତ୍ୟୁ ପରେ ଓଡ଼ିଶା ବିଜେପିର କିଛି ନେତା ତାଙ୍କୁ ନିନ୍ଦିତ କରିବାକୁ ଉଦ୍ୟମ କରୁଛନ୍ତି । ହେଲେ ଏପରି ସମାଲୋଚନା  ହିନ୍ଦୁ ପରମ୍ପରା ଓ ଓଡ଼ିଆ ସଂସ୍କୃତିରେ ଆଦୌ ଗ୍ରହଣୀୟ ନୁହେଁ । ତେଣୁ ରାଜନୈତିକ ଉଦ୍ଦେଶ୍ୟ ରଖି ଜଣେ ଦିବଂଗତ ନେତାଙ୍କ ଉପରେ କଟୁ ମନ୍ତବ୍ୟ ଦେବାରୁ  ଦଳର ନେତା କ୍ଷାନ୍ତ ହୁଅନ୍ତୁ ବୋଲି ସେ କହିଛନ୍ତି ।

ଶ୍ରୀମତୀ ବରିହା ନିଜ ଟୁଇଟ୍‌ରେ ଆହୁରି ଉଲ୍ଲେଖ କରିଛନ୍ତି, ଯେତେବେଳେ ମୋ ବାପାଙ୍କର ଦେହାନ୍ତ ହୋଇଥିଲା, ସେତେବେଳେ ମଧ୍ୟ ରାଜ୍ୟ ବିଜେପିର କିଛି ନେତା ତାଙ୍କୁ ଠିକ୍ ଏମିତି ଆକ୍ଷେପ କରୁଥିଲେ । ମୋ ଚରିତ୍ର ଓ ବାହାଘରକୁ ନେଇ କୁତ୍ସାରଟନା କରୁଥିଲେ । ମୁଁ ସମସ୍ତଙ୍କୁ ହାତ ଯୋଡ଼ି ଯେତେ ଅନୁରୋଧ କଲେ ବି ସେମାନେ ଆକ୍ରୋଶମୂଳକ ଭାବେ ବ୍ୟକ୍ତିଗତ ଆକ୍ରମଣ ଜାରି ରଖିଥିଲେ । ଏହା ମୋତେ ଏବଂ ମୋ ପରିବାରକୁ ଗଭୀର ମାନସିକ ଆଘାତ ଦେଇଥିଲା । ସେତେବେଳେ ମୁଁ ଆପଣଙ୍କୁ ମଧ୍ୟ ଅନୁରୋଧ କରିଥିଲି, ଦୟାକରି ମୋତେ ଏପରି ଆକ୍ଷେପ କରିବାକୁ ଆପଣଙ୍କ ଦଳର  ନେତାମାନଙ୍କୁ ବାରଣ କରନ୍ତୁ । ତଥାପି ଆପଣ କିଛି କଲେନି, ବୋଧେ  ଜାଣିଶୁଣି ନିରବ ରହିଲେ । ଏହା ମୋତେ ଖୁବ୍ ଦୁଃଖ ଦେଇଥିଲା।

ଏବେ ସମାନ ଢଙ୍ଗରେ ସ୍ୱର୍ଗତ ନବକିଶୋର ଦାସଙ୍କ ଚରିତ୍ର ସଂହାର ପାଇଁ ଯେଉଁ ଉଦ୍ୟମ ହେଉଛି, ତାହା ତାଙ୍କ ଝିଅ ଓ ପରିବାରର ଅନ୍ୟ ସଦସ୍ୟମାନଙ୍କୁ କେତେ ମାନସିକ ଯନ୍ତ୍ରଣା ହେଉଥିବ, ତାହା ମୁଁ ଅନୁଭବ କରିପାରୁଛି । ତେଣୁ ଆପଣଙ୍କୁ ମୋର ଅନୁରୋଧ, ଅନ୍ତତଃ ପକ୍ଷେ ନିରବ ରୁହନ୍ତୁ ନାହିଁ  । ଏହାକୁ ପରୋକ୍ଷ ଭାବେ ସମର୍ଥନ କରନ୍ତୁ ନାହିଁ । ଦୟା କରି ଆପଣଙ୍କ ଦଳର ନେତାମାନଙ୍କୁ କୁହନ୍ତୁ, ଜଣେ ମୃତ ବ୍ୟକ୍ତିଙ୍କ ସଂପର୍କରେ ସେମାନେ ଏପରି ହୀନ ମନ୍ତବ୍ୟ ଦେବାରୁ ନିଜକୁ କ୍ଷାନ୍ତ ରଖନ୍ତୁ।

Leave a Reply

Your email address will not be published. Required fields are marked *