Spread the love

ରାୟଗଡ଼ା: ରାୟଗଡ ଜିଲ୍ଲାର କୁମାର ଡାମୁଣି ଶାଖା ଡାକଘରେ ପୋଷ୍ଟ ମାଷ୍ଟର ମୁକେଶ ଚୌଧୁରୀଙ୍କ ବିରୋଧରେ ଟଙ୍କା ଆତ୍ମସାତ କରିବାର ସଂଗୀନ ଅଭିଯୋଗ। କୁମ୍ଭାରଢାମୁଣି ଗ୍ରାମର ରାମ ଚନ୍ଦ୍ର ପିଡିକାକା କୁମ୍ଭାରଢାମୁଣି ବ୍ରାଞ୍ଚ ପୋଷ୍ଟ ଅଫିସ ଦ୍ବାରା ପ୍ରାୟ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନିୟମିତତା ବା ଦୁର୍ନୀତି କରାଯାଇଥିବା ଜଣାପଡିଛି। ଏସ୍‌ସି ଏବଂ ଏସଟି ପରିବାର ସମେତ ଅନେକ ଗରିବ ଲୋକଙ୍କୁ ଜାଲ୍ ଏନଏସସି ସାର୍ଟିଫିକେଟ୍, ଆରଡି ଧାରଣ କରିଥିବା ମିଥ୍ୟା ପାସ୍ ବୁକ୍, ସଞ୍ଚୟ ଖାତା ଇତ୍ୟାଦି ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି।
ବିଷମକଟକ ଅଞ୍ଚଳର କୁମ୍ଭାରଢାମୁଣି ଗାଁର ରାମଚନ୍ଦ୍ର ପିଡିକାକା ନିଜ ଝିଅ ତୁଲସୀ ପିଡିକାକାଙ୍କ ନାମରେ ଗତ ୨୦୧୩ ଜୁନ ୩୧ ତାରିଖରେ ୨୦ ହଜାର ଟଂକାର ଏନଏସସି କିଣିଥିଲେ। ଏହି ଏନଏସସି ୨୦୨୩ ସେପ୍ଟେମ୍ବର ୩୦ ତାରିଖରେ ମେଚ୍ୟୁରିଟି ହେବ ବୋଲି ଖାତାର ଶେଷ ପୃଷ୍ଟାରେ ଦର୍ଶାଯିବା ସହ ୪୦,୬୯୦ ଟଙ୍କା ହେବ ବୋଲି ଉଲ୍ଲେଖ ରହିଛି। ଏନଏସସିର ନମ୍ବର ହେଉଛି ୭୧୮୨୧୪୩। ଏହି ଏନଏସସି ସାର୍ଟିଫିକେଟକୁ ଧରି ରାମ ଯେତେବେଳେ ପୋଷ୍ଟ ଅଫିସରେ ତନାଘନା କଲେ ଜାଣିପାରିଲେ ଯେ ତାଂକ ଝିଅ ନାମରେ କୌଣସି ଖାତା ଖୋଲାଯାଇ ନାହିଁ। ରାମ ଜଣେ ପାଠୁଆ ଲୋକଙ୍କୁ ନେଇ ରାୟଗଡା ମୁଖ୍ୟ ଡାକ ଘରେ ଯାଇ ଏହି ଖାତା ନମ୍ବର ବିଷୟରେ ତଦନ୍ତ କରିବା ପରେ ଜାଣିପାରିଥିଲେ ଯେ ସେହିଭଳି କୌଣସି ଖାତା ଏହି ନମ୍ବରରେ ନାହିଁ। ତୁରନ୍ତ ରାମ ଏନେଯଇ ଡାକ ବିଭାଗର ସୁପରିଟେଣ୍ଡେଣ୍ଟ ଜବାହାରଲାଲ ରାଓ ସମେତ ରାଜୟଗଡା ଜିଲ୍ଲାପାଳ, ବ୍ରହ୍ମପୁର ପୋଷ୍ଟମାଷ୍ଟର ଜେନେରାଲ , ଭୁବନେଶ୍ବର ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲ, କେନ୍ଦ୍ରୀୟ ଭଇଜିଲାନସ କମିସନ ଇତ୍ୟାଦିଙ୍କୁ ସେ ଲିଖିତ ଜଣାଇଥିଲେ। ଏହିଭଳି ବହୁ ଲୋକଙ୍କର ଟଙ୍କାକୁ ବ୍ରାଞ୍ଚ ପୋଷ୍ଟମାଷ୍ଟର ଆତ୍ମସାତ କରିଥିବା ଅଭିଯୋଗ ଆସୁଥିବା ଜଣାପଡିଛି।
ତେବେ ଏନେଇ ରାୟଗଡା ମୁଖ୍ୟ ଡାକଘରର ଉଚ୍ଚପଦାଧିକାରୀଙ୍କୁ ରାମଚନ୍ଦ୍ର ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି। ଜାଲିଆତି କରି ଆଦିବାସୀ ଅପାଠୁଆ ଲୋକଙ୍କ ଟଙ୍କାକୁ କିପରି ଆତ୍ମସାତ କରାଯାଉଛି ତାହାର ଏହା ହେଉଛି ଜ୍ବଳନ୍ତ ଉଦାହରଣ। ତୁରନ୍ତ ଏନେଇ ବିଭାଗ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ସହ ରାମଙ୍କୁ ତାଂକର କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି ଦାବି ହୋଇଛି। ଏହାର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ କହିଛି।

Leave a Reply

Your email address will not be published. Required fields are marked *