Spread the love

ଓଡ଼ିଶା ରାଜନୀତିର ଏକ ସ୍ପର୍ଦ୍ଧିତ ଉଚ୍ଚାରଣ ହେଲେ ବିଜୁ ପଟ୍ଟନାୟକ | ବିଜୁ ପଟ୍ଟନାୟକଙ୍କ ପୁରା ନାମ ବିଜୟାନନ୍ଦ ପଟ୍ଟନାୟକ | ରାଜ୍ୟବାସୀଙ୍କ ପାଖରେ ସେ ହେଉଛନ୍ତି ଆଦରର ବିଜୁବାବୁ |
ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ମାତା ଆଶାଲତା ପଟ୍ଟନାୟକଙ୍କଠାରୁ ୧୯୧୬ ମସିହା ମାର୍ଚ୍ଚ ୫ ତାରିଖ ଦିନ କଟକର ତୁଳସୀପୁରଠାରେ ତୃତୀୟ ସନ୍ତାନ ଭାବେ ଜନ୍ମ ନେଇଥିଲେ । ସେ ରେଭେନ୍ସା କଲେଜିଏଟ ସ୍କୁଲ, କଟକଠାରେ ସ୍କୁଲଶିକ୍ଷା ସାରିଲା ପରେ ରେଭେନ୍ସା କଲେଜରେ ବିଜ୍ଞାନ ପଢ଼ିଥିଲେ । ପାଠପଢ଼ା ଜୀବନରେ ସେ ଖେଳ ପ୍ରତି ଭାରି ଇଚ୍ଛୁକ ଥିଲେ ଓ ବିଶ୍ୱବିଦ୍ୟାଳୟ ଫୁଟବଲ ଓ ଦଳର କ୍ୟାପଟେନ ରହିଆସିଥିଲେ । ତାହା ପରେ ସେ ଦିଲ୍ଲୀର ଏରୋନଟିକ୍ସ ଟ୍ରେନିଂ ଶିକ୍ଷାନୁଷ୍ଠାନରେ ବିମାନ ଉଡାଣ ଶିକ୍ଷାରେ ଯୋଗଦେଇଥିଲେ ।
ଦିଲ୍ଲୀରୁ ବିମାନ ଉଡ଼ାଣ ଶିକ୍ଷା ସମାପ୍ତ କରି ସେ ଇଣ୍ଡିଆନ ଏୟାର‌ୱେଜରେ ପାଇଲଟ ଭାବରେ ଚାକିରି କରିଥିଲେ । ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ନିଜେ ବିମାନ ଚଳାଇ ଇଣ୍ଡୋନେସିଆର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଆଦିଙ୍କୁ ଡଚମାନଙ୍କଠାରୁ ଉଦ୍ଧାର କରିଥିଲେ । ଏହି ଦୁଃସାହସିକ କାର୍ଯ୍ୟପାଇଁ ତାଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ “ଭୂମିପୁତ୍ର” ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏହି ସମ୍ମାନ ସହ, ପୁରସ୍କାର ସ୍ୱରୂପ ମିଳିଥିବା କୋଟି କୋଟି ଟଙ୍କା ସେ ଇଣ୍ଡୋନେସିଆର ଜନସାଧାରଣଙ୍କ ପାଇଁ ଉତ୍ସର୍ଗ କରିଦେଇଥିଲେ । ବିଜୁ ପଟ୍ଟନାୟକ ଚଳାଉଥିବା ଡାକୋଟା ବିମାନ ୨୦-୨୪ ଫେବୃୟାରୀ ୨୦୧୯ ମସିହାରେ ଅନୁଷ୍ଟିତ ଏୟାର ଶୋ’ରେ ପ୍ରଦର୍ଶିତ ହୋଇଥିଲା ।
ବିଜୁ ପଟ୍ଟନାୟକ ଜ୍ଞାନ ପଟ୍ଟନାୟକଙ୍କୁ ୧୯୩୮ ମସିହାରେ ବିବାହ କରିଥିଲେ । ତାଙ୍କ ପୁଅ ନବୀନ ପଟ୍ଟନାୟକ ଓଡ଼ିଶାର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ । ତାଙ୍କ ଝିଅ ଗୀତା ମେହେଟା ଜଣେ ଲେଖିକା । ତାଙ୍କର ବଡ଼ ପୁଅ ପ୍ରେମ ପଟ୍ଟନାୟକ ଦିଲ୍ଲୀରେ ଜଣେ ବ୍ୟବସାୟୀ ଭାବରେ ଅବସ୍ଥାପିତ ।
ରାଜନୀତି କ୍ଷେତ୍ରରେ ବିଜୁ ପଟ୍ଟନାୟକ ତାଙ୍କ ରାଜନୈତିକ ଜୀବନ ୧୯୪୬ରେ ଆରମ୍ଭକରି ନିର୍ବିରୋଧ ଭାବେ ଓଡ଼ିଶା ବିଧାନ ସଭାକୁ ଉତ୍ତର କଟକ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ୧୯୫୨ ଏବଂ ୧୯୫୭ରେ ସେ ଯଥାକ୍ରମେ ଜଗନ୍ନାଥ ପ୍ରସାଦ ଏବଂ ସୋରଡ଼ାରୁ ଜିତିଥିଲେ । ୧୯୬୧ରେ ସେ ରାଜ୍ୟ କଂଗ୍ରେସର ସଭାପତିତ୍ୱ ଗ୍ରହଣ କରିଥିଲେ । ତାଙ୍କ ନେତୃତ୍ୱରେ କଂଗ୍ରେସ ଦଳ ୧୪୦ରୁ ୮୨ଟି ଆସନରେ ବିଜୟ ଲାଭକରିଥିଲା । ଚୌଦ୍ୱାରରୁ ନିର୍ବାଚିତ ବିଜୁ ପଟ୍ଟନାୟକ ପ୍ରଥମଥର ନିମନ୍ତେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରି ୨ ଅକ୍ଟୋବର ୧୯୬୩ ଯାଏଁ ପଦବୀରେ ରହିଥିଲେ । କଂଗ୍ରେସ ପାର୍ଟିକୁ ପୁଣି ସତେଜ କରିବା ପାଇଁ ସେ କାମରାଜ ଯୋଜନାରେ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ । ବିଜୁ ବାବୁ ଓ ଇନ୍ଦିରା ଗାନ୍ଧୀଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା, ହେଲେ ୧୯୬୯ ରାଷ୍ଟ୍ରପତି ନିର୍ବାଚନ ବେଳେ ତାଙ୍କ ଭିତରେ ମନୋମାଳିନ୍ୟ ହୋଇଯିବାରୁ ଓ ୧୯୭୧ରେ ହୋଇଥିବା ରାଜ୍ୟ ସଭା ନିର୍ବାଚନ ନିମନ୍ତେ କଂଗ୍ରେସ ଟିକଟ ନପାଇବାରୁ ସେ କଂଗ୍ରେସ ପାର୍ଟି ଛାଡ଼ି ଉତ୍କଳ କଂଗ୍ରେସ ନାମରେ ଏକ ନୂତନ ଦଳ କରିଥିଲେ।
୧୯୭୧ ବିଧାନ ସଭା ମତଦାନରେ ତାଙ୍କ ପାର୍ଟି ଯୁକ୍ତିଯୁକ୍ତ ଭାବେ ଭଲ କରିଥିଲା । ବିଜୁ ବାବୁ ତା ପରେ ତାଙ୍କ ପୁରୁଣା ସାଙ୍ଗ ଜୟପ୍ରକାଶ ନାରାୟଣଙ୍କ ସହିତ ସମ୍ପର୍କ ପୁନଃସ୍ଥାପନ କରିଥିଲେ ଓ ୧୯୭୪ରେ ଜେ.ପି ମୁଭମେଣ୍ଟରେ ଯୋଗ ଦେଇଥିଲେ । ୧୯୭୫ରେ ଯେତେବେଳେ ଜରୁରି କାଳୀନ ସ୍ଥିତି ଘୋଷଣା ହେଲା, ବିଜୁ ପଟ୍ଟନାୟକ ପ୍ରଥମ ବ୍ୟକ୍ତି ଥିଲେ ଯିଏ ଅନ୍ୟ ବିରୋଧୀ ନେତାମାନଙ୍କ ସହ ଗିରଫ ହୋଇଥିଲେ । ୧୯୭୭ରେ ସେ ମୁକୁଳିଳେ ଓ ଲୋକ ସଭା ପ୍ରାର୍ଥୀ ହିସାବରେ କେନ୍ଦ୍ରପଡ଼ାରୁ ନିର୍ବାଚିତ ହେଲେ। ୧୯୭୯ ବେଳେ ସେ ମୋରାରଜୀ ଦେଶାଇ ଓ ଚୌଧୁରୀ ଚରଣ ସିଂହଙ୍କ ସରକାର ଅଧିନରେ ଇସ୍ପାତ ଓ ଖଣି ମନ୍ତ୍ରୀ ରହିଥିଲେ । ୧୯୮୦ରେ ବିଜୁ ବାବୁ ଲୋକ ସଭାକୁ ନିର୍ବାଚିତ ହେଲେ ଏବଂ ପୁଣିଥରେ ୧୯୯୬ରେ ଲୋକ ସଭାକୁ ନିର୍ବାଚିତ ହେଇଥିଲେ । ୧୯୯୦ ରାଜ୍ୟ ବିଧାନ ସଭା ନିର୍ବାଚନରେ ଜନତା ଦଳ ଜିତିଲା ଏବଂ ଆଉଥରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୧୯୯୫ ପର୍ଯ୍ୟନ୍ତ କାର୍ଯ୍ୟନିର୍ବାହ କରିଥଲେ ।
ବିଜୁ ବାବୁଙ୍କ ରାଜନୈତିକ ଦୃଷ୍ଟିକୋଣ ମୁଖ୍ୟତଃ ସମାଜବାଦ ଏବଂ ସଂଘିୟ ରାଷ୍ଟ୍ର ଶାସନ ଉପରେ ଦୃଢ଼ୀଭୁତ ଥିଲା । ସେ ଦୃଢ଼ ଭାବରେ ସବୁ ରାଜ୍ୟ ପାଇଁ ଓକିଲତି କରୁଥିଲେ ଏବଂ କହୁଥିଲେ ସବୁ ରାଜ୍ୟମାନଙ୍କୁ ଦରକାର ଅନୁସାରେ ସମାନ ସାଧନ ଦିଆଯିବା ଉଚିତ । ନେହେରୁ ତାଙ୍କୁ ସ୍ନେହରେ ଭାରତର ଦୁସାହସିକ ବ୍ୟକ୍ତି ବୋଲି କହି ଥିଲେ । ସଂସଦରେ ତାଙ୍କ ସମୟରେ ନେହେରୁ ବିଜୁ ବାବୁଙ୍କ ଉଦ୍ଦେଶ୍ୟରେ କହିଥିଲେ ” ବିଜୁ ପଟ୍ଟନାୟକଙ୍କ ପାଖରେ ସାହସ, ଶକ୍ତି ଓ କାମକରିବାର ଆଗ୍ରହ ଅଛି । ତେଣୁ ଓଡ଼ିଶାକୁ ଅଧିକ ସାହାଯ୍ୟ କରିବାରେ କୌଣସି ପ୍ରମାଦ ନାହିଁ ।”
ରାଜ୍ୟର ପ୍ରଗତିରେ ବିଜୁ ବାବୁଙ୍କ ଅବଦାନ ଉଲ୍ଲେଖଯୋଗ୍ୟ | ସେ କଳିଙ୍ଗ ଟାଇଲସ, କଳିଙ୍ଗ ଟ୍ୟୁବସ, କଳିଙ୍ଗ ଆଇରନ ୱାର୍କସ, କଳିଙ୍ଗ ଏୟାରଲାଇନସ ଓ କଳିଙ୍ଗ ରିଫ୍ରାକଟୋରିଜ ଆଦି ନିଜ ଉଦ୍ୟମରେ ପ୍ରତିଷ୍ଠା କରିଥିଲେ । ରାଜ୍ୟର ପ୍ରଗତି ପାଇଁ ତାଙ୍କରି ଉଦ୍ୟମରେ ନିମ୍ନଲିଖିତ ଅନୁଷ୍ଥାନ ଗୁଡ଼ିକ ମଧ୍ୟ ପ୍ରତିଷ୍ଠା କରାଯାଇଥିଲା |
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT), ଆଞ୍ଚଳିକ ଶିକ୍ଷା ଅନୁଷ୍ଠାନ (ଭୁବନେଶ୍ୱର), ଆଞ୍ଚଳିକ ଗବେଷଣା କେନ୍ଦ୍ର (ଭୁବନେଶ୍ୱର), ସୈନିକ ସ୍କୁଲ, ଭୁବନେଶ୍ୱର, ଏନ.ଆଇ.ଟି, ରାଉରକେଲା, ମିଗ ବିମାନ କାରଖାନା, ସୁନାବେଡା, ପାରାଦ୍ୱୀପ ବନ୍ଦର, ଓଟିଏମ, ଚୌଦ୍ୱାର, ରାଉରକେଲା ଷ୍ଟିଲ ପ୍ଲାଣ୍ଟ, ତାଳଚେର ଥର୍ମାଲ ପ୍ରକଳ୍ପ, ନାଲକୋ ପ୍ରକଳ୍ପ, ଦୈତାରୀ ଲୌହ ଇସ୍ପାତ କାରଖାନା, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ବୁର୍ଲା ଇଞ୍ଜିନିୟରିଂ ଓ ମେଡିକାଲ କଲେଜ, ବଡବିଲ ଲୁହା କାରଖାନା ଇତ୍ୟାଦି |
ଓଡ଼ିଶା ସରକାର ଅନେକ ଅନୁଷ୍ଠାନକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିଅଛନ୍ତି । ଭୁବନେଶ୍ୱରରେ ଥିବା ବିଜୁ ପଟ୍ଟନାୟକ ବିମାନ ବନ୍ଦର ସେଥିମଧ୍ୟରୁ ଅନ୍ୟତମ । ତାଙ୍କ ଜନ୍ମ ଦିବସ ମାର୍ଚ ୫କୁ ପଞ୍ଚାୟତି ରାଜ ଦିବସ ଭାବରେ ପାଳନ କରାଯାଉଛି ।

Leave a Reply

Your email address will not be published. Required fields are marked *