Spread the love

ବୁର୍ଲା/ଭୁବନେଶ୍ୱର: ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ଘଟଣାରେ ଅଟକ ଥିବା ପୁରୁଷ ବନ୍ଧୁ ପ୍ରୀତିମାନଙ୍କ ହେବ ଲାଇଡିଟେକସନ୍‌ ଟେଷ୍ଟ। ଏଥିସହିତ ମାନସ ଟୁଡୁଙ୍କର ମଧ୍ୟ ଲାଇଡିଟେକସନ୍‌ ଟେଷ୍ଟ କରାଯିବ। ଭୁବନେଶ୍ୱର ଫୋରେନ୍‌ସିକ ଲ୍ୟାବରେ ଆଜି ଏହି ଟେଷ୍ଟ ହେବ। ସମ୍ବଲପୁର ପୁଲିସର ଏକ ଟିମ୍‌ ୨ ଜଣଙ୍କୁ ଭୁବନେଶ୍ୱର ଆଣିଛି।
ସୂଚନାଯୋଗ୍ୟ ଯେ, ଗତ ମଙ୍ଗଳବାର ଦିନ ଭିସୁଟ୍‌ର ସମାବର୍ତ୍ତନ ଉତ୍ସବରେ ଚିନ୍ମୟୀ ନିଜ ସ୍ନାତକ ଡିଗ୍ରି ପ୍ରମାଣପତ୍ର ନେବା ପାଇଁ ଆସିଥିଲେ। ଉତ୍ସବ ପରେ ସେ ନିଜ ସହପାଠୀ ପ୍ରୀତିମାନ ଦେଙ୍କ ସହ ପାୱାର ଚ୍ୟାନେଲ ପାଖକୁ ବୁଲିବାକୁ ଆସିଥିଲେ। ସେଠାରେ କଥାବାର୍ତ୍ତା ହେଉଥିବା ବେଳେ ଚିନ୍ମୟୀ ପାୱାର ଚାନେଲକୁ ଡେଇଁପଡ଼ିଥିଲେ। ପାରିବାରିକ କଳହ ଯୋଗୁ ବିଷାଦରେ ଥିବା ଚିନ୍ମୟୀ ମାନସିକ ଭାରସାମ୍ୟ ହରାଇ ଏଭଳି ପଦକ୍ଷେପ ନେଇଥିବା ପ୍ରୀତିମାନ ପୁଲିସକୁ କହିଥିଲେ। ତେବେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ।
ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ଘଟଣାରେ ବୁର୍ଲା ପୁଲିସର ଏକ ପାଞ୍ଚଜଣିଆ ଟିମ୍‌ ଶୁକ୍ରବାର ଭୁବନେଶ୍ବର ବିଜେବି ନଗରରେ ଚିନ୍ମୟୀ ରହୁଥିବା ଭଡ଼ା ଘରକୁ ଯାଇ ଛାନଭିନ୍‌ କରିବା ସହ ଘର ମାଲିକାଣୀ ଓ ପଡ଼ୋଶୀଙ୍କୁ ପଚରାଉଚରା କରିଛି। ଚିନ୍ମୟୀ ମାସରେ କେତେ ଦିନ ଏଠାରେ ରହୁଥିଲେ, ତାଙ୍କ ସହ ଆଉ କିଏ କିଏ ରହୁଥିଲେ, ତାଙ୍କ ପାଖକୁ କିଏ କିଏ ଆସୁଥିଲେ, ପରିବାରଲୋକ ଭେଟିବାକୁ ଆସୁଥିଲେ ନା ନାହିଁ ଆଦି ସଂପର୍କରେ ପୁଲିସ ପଚରାଉଚରା କରିଥିବା ଜଣାଯାଇଛି। କେବଳ ସେତିକି ନୁହେଁ, ସେଠାରୁ ଗୋଟିଏ ଲାପ୍‌ଟପ୍‌, ଡାଏରି, ପେନ୍‌ଡ୍ରାଇଭ୍‌, ହାର୍ଡଡିସ୍କ ସହ ବିଭିନ୍ନ ଖାତା ଓ ବହି ଜବତ କରାଯାଇଛି। ସେପଟେ ବୁର୍ଲାରେ ସାଇଣ୍ଟିଫିକ୍‌ ଟିମ୍‌ ଶୁକ୍ରବାର ପୁଣିଥରେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି।

Leave a Reply

Your email address will not be published. Required fields are marked *