ନୂଆଦିଲ୍ଲୀ : ଚୀନ ବିପଦର ମୁକାବିଲା ପାଇଁ ଭାରତ ନିଜର ଅସ୍ତ୍ରାଗାରରେ ଅତ୍ୟାଧୁନିକ ଲଢୁଆ ଡ୍ରୋନ ସାମିଲ କରିବାକୁ ଉଦ୍ୟମ କରିଚାଲିଛି । ଆମେରିକାଠାରୁ ବିଶ୍ବର ସବୁଠାରୁ ଶକ୍ତିଶାଳୀ ଲଢୁଆ ଡ୍ରୋନ ଏମକ୍ୟୁ-୯ବି ଡ୍ରୋନ କିଣିବାକୁ ଭାରତ ସରକାର ଆସନ୍ତା କିଛି ସପ୍ତାହ ମଧ୍ୟରେ ମଂଜୁରୀ ଦେଇପାରନ୍ତି ବୋଲି ଆମେରିକୀୟ ସମ୍ବାଦପତ୍ର ଦି ଓ୍ବାଲ ଷ୍ଟ୍ରିଟ୍ ଜର୍ନାଲ ରିପୋର୍ଟ ପ୍ରକାଶ କରିଛି ।
ଏହି ରିପୋର୍ଟରେ କୁହାଯାଇଛି ଯେ ଏହି ଡ୍ରୋନ କ୍ରୟ ପାଇଁ ଦୁଇ ଦେଶ ନିକଟତର ହୋଇଛନ୍ତି । ଆସନ୍ତା କିଛି ସପ୍ତାହ ମଧ୍ୟରେ ଭାରତ ସରକାର ଏହି ଡିଲକୁ ମଂଜୁରୀ ଦେବେ । ଅନ୍ୟପକ୍ଷରେ ଏହି ଡିଲ ପାଇଁ ଆମେରିକା କଂଗ୍ରେସ (ସଂସଦ)ର ମଂଜୁରୀ ଆବଶ୍ୟକ ପଡ଼ିବ । ତେବେ ଏହି ଡ୍ରୋନ ଭାରତକୁ ମିଳିବା ନିଶ୍ଚିତ ବୋଲି କୁହାଯାଉଛି । ମାତ୍ର ଆମେରିକୀୟ କଂଗ୍ରେସରେ ଏହି ପ୍ରସ୍ତାବ ଆଗତ ନ ହେବା ପର୍ଯ୍ୟନ୍ତ ଏ ସଂପର୍କରେ କୌଣସି ଔପଚାରିକ ବୟାନ ଜାରି କରାଯାଇପାରିବ ନାହିଁ ।
ଏହି ଡ୍ରୋନ ପାଇଲେ ନାଟୋ ବାହାରେ ଭାରତ ହେବ ପ୍ରଥମ ଦେଶ । ଏହି ଡ୍ରୋନକୁ ବାୟୁସେନା ଓ ନୌସେନା ବ୍ୟବହାର କରିପାରିବ । ଏହା ହିମାଳୟର ଉଚ୍ଚ ପାର୍ବତ୍ୟାଞ୍ଚଳରେ ଉଡ଼ିପାରିବ, ପ୍ରହରା ଦେଇପାରିବ ଓ ଆକ୍ରମଣ କରିପାରିବ ।
ଭାରତ ଏବେ ଆମେରିକାଠାରୁ ଭଡ଼ାରେ ଆଣି ୨ଟି ଏପରି ଡ୍ରୋନ ବ୍ୟବହାର କରୁଛି । ଗତ ୨୦୨୦ ଭାରତ-ଚୀନ ସଂଘର୍ଷ ପରେ ଭାରତ ଏହି ଡ୍ରୋନ ଭଡ଼ାରେ ଆଣିଥିଲା ।