ମୁମ୍ବାଇ : ମହାମାରୀ କରୋନା ସଂକ୍ରମଣ ବେଳେ ଦେଶର ବିଭିନ୍ନ ଜେଲରୁ କିଛି କଏଦୀଙ୍କୁ ପାରୋଲରେ ଛାଡ଼ିବାକୁ ନିଷ୍ପତ୍ତି ହୋଇଥିଲା। ଏହିକ୍ରମରେ ମହାରାଷ୍ଟ୍ର ଜେଲରେ ଥିବା ୪,୨୫୩ ଜଣଙ୍କୁ କର୍ତ୍ତୃପକ୍ଷ ପାରୋଲରେ ଛାଡ଼ିଥିଲେ। ସେମାନଙ୍କୁ ଠିକ ସମୟରେ ଆସି ଆତ୍ମସମର୍ପଣ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଥିଲା। ହେଲେ ପାରୋଲ ଅବଧି ପରେ ମଧ୍ୟ କରୋନା ବେଳେ ଜେଲରୁ ବାହାରକୁ ଯାଇଥିବା ପ୍ରାୟ ୪୦୦ ଜଣ କଏଦୀ ଆଉ ଫେରି ନାହାନ୍ତି।
ଏହି ଘଟଣା ସାମ୍ନାକୁ ଆସିବା ପରେ ମୁମ୍ବାଇ ପୁଲିସ୍ ଆକ୍ସନ ମୋଡରୁ ଆସି ପାରୋଲ ଅବଧି ଶେଷ ହେବା ପରେ ବି ବାହାରେ ବୁଲୁଥିବା ୧୮ ଜଣ କଏଦୀଙ୍କୁ ଜେଲରେ ଭର୍ତ୍ତି କରିଛି। କିନ୍ତୁ ଏବେ ବି ୩୫ରୁ ଅଧିକ କଏଦୀଙ୍କ ସମ୍ପର୍କରେ କୌଣସି ପ୍ରକାରର ସୂଚନା ମିଳନାହିଁ।
ମୁମ୍ବାଇ ପୁଲିସ୍ ପକ୍ଷରୁ କୁହାଯାଇଛି ଯେ କୋଭିଡ ସମୟରେ କିଛି କଏଦୀଙ୍କୁ ପାରୋଲରେ ଖଲାସ କରାଯାଇଥିଲା। କରୋନା ମହାମାରୀର ପ୍ରଭାବ ଶେଷ ହେବା ପରେ ସେମାନଙ୍କ ଜେଲ କର୍ତ୍ତୃପକ୍ଷଙ୍କ ଆଗରେ ରିପୋର୍ଟ କରିବାର ଥିଲା। ହେଲେ ସେମାନଙ୍କ ମଧ୍ୟରୁ କିଛି କଏଦୀ ଆଉ ଫେରି ନାହାନ୍ତି।
ଫେରି ନଥିବା କଏଦୀଙ୍କ ଗୋଟିଏ ତାଲିକା ପ୍ରସ୍ତୁତ କରାଯାଇଥିଲା ଓ ସବୁ ଥାନା ଅଧିକାରୀଙ୍କୁ ଏ ସମ୍ପର୍କରେ ସୂଚିତ କରାଯାଇଥିଲା। ଏହି ସୂଚନା ପରେ ପୁଲିସ୍ ୧୮ ଜଣଙ୍କୁ ଧରି ଜେଲ ଆଣିଛି ଓ କିଛି ଲୋକଙ୍କ ନାଁରେ ପୁଣି କେସ୍ କରାଯାଇଛି।
ମୁମ୍ବାଇ ଓ ମହାରାଷ୍ଟ୍ରର ୨୦ଟି ଜେଲରେ ୩୫ ହଜାରରୁ ଅଧିକ କଏଦୀ ରହିଛନ୍ତି। ଏହା ଜେଲର ଧାର୍ଯ୍ୟ କ୍ଷମତାରୁ ଯଥେଷ୍ଟ ଅଧିକ। କରୋନା ବେଳେ ଜେଲରେ ଅତ୍ୟଧିକ ଭିଡ଼ ଯୋଗୁ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଥିଲା। ତେଣୁ ୨୦୨୦ରେ ମହାରାଷ୍ଟ୍ରର ବିଭିନ୍ନ ଜେଲରୁ ମୋଟ ୪,୨୫୩ ଜଣ କଏଦୀଙ୍କୁ ସ୍ୱତନ୍ତ୍ର ପାରୋଲରେ ଛଡ଼ା ଯାଇଥିଲା।