ଗୌହାଟୀ: ପୂର୍ବରୁ ପଶ୍ଚିମ ହେଉ କି ଉତ୍ତରରୁ ଦକ୍ଷିଣ ଭାରତର ବିଭିନ୍ନ ବିଜେପିଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସବୁଠାରୁ ସକ୍ରିୟ ଚେହେରା ଏବଂ ଫାୟାରବ୍ରାଣ୍ଡ ଭାବମୂର୍ତ୍ତି ବିଷୟରେ ଆଲୋଚନା କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଚେହେରା ପ୍ରଥମେ ଆସିଥାଏ। ଏହା ବ୍ୟତୀତ ବିଜେପିର ଏମିତି ଜଣେ ମୁଖ୍ୟମନ୍ତ୍ରୀ ମଧ୍ୟ ଅଛନ୍ତି, ଯିଏ କଂଗ୍ରେସରୁ ବିଜେପିକୁ ଆସିବା ପରେ ଏବେ ବିଜେପିର ଜଣେ ପ୍ରମୁଖ ନେତା ହୋଇପାରିଛନ୍ତି | ସିଏ ହେଉଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଦିନେ ଏମିତି ଏକ ସମୟ ଥିଲା ଯେତେବେଳେ ହିମନ୍ତ ସମଗ୍ର ଉତ୍ତର ପୂର୍ବରେ କଂଗ୍ରେସକୁ ବଂଚାଇବାରେ ନିଜକୁ ସମ୍ପୂର୍ଣ୍ଣ ଭାବେ ବିନିଯୋଗ କରିଥିଲେ | କିନ୍ତୁ ଆଜିର କଥା କହିବାକୁ ଗଲେ ହିମନ୍ତ ବିଜେପିରେ ଅଛନ୍ତି ଏବଂ ସେ ହେଉଛନ୍ତି ଏକମାତ୍ର ନେତା ଯାହାଙ୍କର ଉତ୍ତର-ପୂର୍ବ ଭାରତର ସମସ୍ତ ରାଜ୍ୟରେ ଦବଦବା ରହିଛି ।
ଗତକାଲି ୩ଟି ରାଜ୍ୟର ଫଳାଫଳ ସାମ୍ନାକୁ ଆସିଥିବାବେଳେ ତ୍ରିପୁରା ଓ ନାଗାଲାଣ୍ଡ୍ରେ ବିଜେପି ପୁଣି ଥରେ ସରକାର ଗଠନ କରିବାକୁ ସଂଖ୍ୟାଗରିଷ୍ଠତା ହାସଲ କରିଛି | ସେହିପରି ମେଘାଳୟରେ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମାଙ୍କ ଏନ୍ପିପି ୨୬ ଆସନରେ ବିଜୟୀ ହୋଇଥିବାବେଳେ ବିଜେପିକୁ ମାତ୍ର ୨ଟି ଆସନ ମିଳିଥିଲା। ମେଘାଳୟରେ ଏନ୍ପିପିକୁ ସଂଖ୍ୟା ଗରିଷ୍ଠତା ମିଳିନଥିବାରୁ ବିଜେପି ସହାୟତାରେ ରାଜ୍ୟରେ ସରକାର ଗଠନ କରିବାକୁ ମେଘାଳୟ ମୁଖ୍ୟମନ୍ତ୍ରୀ ସାଙ୍ଗମା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହ କଥାବାର୍ତ୍ତା କରିଥିଲେ | ତେବେ ଏସବୁ ପଛରେ ହିମନ୍ତଙ୍କ ରଣନୀତି ହିଁ କାମ ଦେଇଥିଲା |
କାରଣ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ବିଜେପି ସହ ମେଣ୍ଟ ଭାଙ୍ଗି ଅଲଗା ନିର୍ବାଚନ ଲଢ଼ିଥିବା କନରାଡଙ୍କୁ ସରକାର ଗଠନରେ ବିଜେପିର ଭୂମିକା ନେଇ ବୁଝାଇଥିଲେ ହିମନ୍ତ | ଅଲ ଆସାମ ଛାତ୍ର ସଂଘରୁ ରାଜନୀତି ଆରମ୍ଭ କରିଥିବା ହିମନ୍ତ ଏକଦା କଂଗ୍ରେସ ବିରୋଧୀ ଥିଲେ। ତା’ପରେ କିଛି ବର୍ଷ ପରେ ସେ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ୨୦୧୫ରେ ସେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ। କୁହାଯାଏ ଯେ ସେ କଂଗ୍ରେସ ଛାଡିବାର ଅନ୍ୟତମ କାରଣ ଥିଲେ ଗୁରୁ ତରୁଣ ଗୋଗୋଇ। କୁହାଯାଏ ଯେ ତରୁଣ ଗୋଗୋଇ ତାଙ୍କ ପୁଅ ଗୌରବ ଗୋଗୋଇଙ୍କୁ ଆଗକୁ ନେବାକୁ ଚେଷ୍ଟା କରୁଥିଲେ ଏବଂ ହିମନ୍ତ ଏହାକୁ ପସନ୍ଦ କରୁନଥିଲେ। ଏହା ପରେ ସେ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟି ଏବାବଦରେ ଜଣାଇଥିଲେ ବି କୌଣସି ଲାଭ ମିଳିନଥିଲା | ତଥାପି ୨୦୧୧ ନିର୍ବାଚନରେ ଆସାମରେ କଂଗ୍ରେସର ଗୋଗୋଇ ସରକାରଙ୍କ ବିଜୟ ପଛରେ ହିମନ୍ତଙ୍କର ଏକ ପ୍ରମୁଖ ଭୂମିକା ଥିଲା। ଏହା ସତ୍ତ୍ୱେ ଯେତେବେଳେ କଂଗ୍ରେସ ତାଙ୍କୁ ଗୁରୁତ୍ୱ ଦେଇନଥିଲା ସେ ୨୦୧୫ ମସିହାରେ ବିଜେପିରେ ଯୋଗ ଦେଇଥିଲେ |
ସେବେଠାରୁ ସେ କଂଗ୍ରେସକୁ ପରାସ୍ତ କରିବାରେ ଏବଂ ବିଜେପିକୁ ଜିତାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତେବେ କେବଳ କଂଗ୍ରେସକୁ ପରାସ୍ତ କରିବା ନୁହେଁ ବରଂ ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସକୁ କଡା ଟାର୍ଗେଟ କରିବାରେ ସେ ଲାଗିପଡ଼ିଥିଲେ, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି | ଅନ୍ୟପଟରେ କହିବାକୁ ଗଲେ ହିମନ୍ତଙ୍କୁ ଉତ୍ତର-ପୂର୍ବ ଭାରତର ରାଜନୀତି ଚାଣକ୍ୟ ମଧ୍ୟ କୁହାଯାଏ | ଉତ୍ତର ପୂର୍ବ ଭାରତର ତ୍ରିପୁରା ହେଉ କିମ୍ବା ମଣିପୁର ହେଉ, ଯେତେବେଳେ ବି ଏହି ରାଜ୍ୟଗୁଡିକରେ ବିଜେପି ସରକାର ଅସୁବିଧାରେ ପଡ଼ିଥିଲେ, ହିମନ୍ତ ବିଶ୍ୱସର୍ମା ତାଙ୍କ ରାଜନୈତିକ ଗୋଟିଚାଳନା ଚଳାଇ ବିଜେପି ସରକାରକୁ ଭାଙ୍ଗିବାକୁ ଦେଇନଥିଲେ |