ନୂଆଦିଲ୍ଳୀ: ଆଦାନୀ-ହିଣ୍ଡେନ୍ବର୍ଗ ମାମଲାର ତଦନ୍ତ କରି ୨ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ବଜାର ନିୟାମକ ସଂସ୍ଥା ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ (ସେବି)କୁ ଗୁରୁବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସେବିକୁ ଏକ ଷ୍ଟାଟସ ରିପୋର୍ଟ ଦେବାକୁ ମଧ୍ୟ କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ସେବି ପୂର୍ବରୁ ହିଣ୍ଡେନ୍ବର୍ଗ ରିପୋର୍ଟ ଓ ଆଦାନୀ ଗ୍ରୁପ୍ ବିରୋଧରେ ଆସିଥିବା ଅଭିଯୋଗକୁ ତଦନ୍ତ କରୁଛି। ଏ ନେଇ ସୁପ୍ରିମ୍କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ବରେ ଗଠନ ହୋଇଥିବା ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି କହିଛନ୍ତି ଏହି ସଂକ୍ରାନ୍ତୀୟ ଆହୁରି ଅନେକ ଦିଗକୁ ନେଇ ନିୟାମକ ସଂସ୍ଥା ତଦନ୍ତ କରିବ। ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପୂର୍ବରୁ ଓ ପରେ ଷ୍ଟକ ବଜାରରେ କି ପ୍ରକାରର ପ୍ରଭାବ ଅନୁଭୂତ ହୋଇଛି, ତାହା ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ କରିଛନ୍ତି। ଷ୍ଟକ୍ କାରବାର ସଂପର୍କିତ ନିୟମରେ ଉଲ୍ଲଂଘନ ଓ ‘ମ୍ୟାନିପୁଲେସନ୍’ ହୋଇଛି କି ନାହିଁ ତାହାର ତଦନ୍ତ ବି ସେବି କରିବ ବୋଲି ଖଣ୍ଡପୀଠ କହିଛନ୍ତି।
ଷ୍ଟକ୍ ମାର୍କେଟର ନିୟାମକ ପ୍ରଣାଳୀର ବିସ୍ତୃତ ସମୀକ୍ଷା କରିବାକୁ ସୁପ୍ରିମକୋର୍ଟ ଏକ ବିଶେଷଜ୍ଞ ଦଳ ମଧ୍ୟ ଗଠନ କରିଛନ୍ତି। ଏହି ଦଳର ନେତୃତ୍ବ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଏଏମ୍ ସାପ୍ରେ ନେଇଥିବା ବେଳେ ଏଥିରେ ଓପି ଭଟ୍ଟ, ଜଷ୍ଟିସ୍ କେପି ଦେଓଧର, କେଭି କମାତ୍, ନନ୍ଦନ ନିଲେକାନି ଏବଂ ସୋମାଶେଖର ସୁଦର୍ଶନ୍ ରହିଛନ୍ତି। ଏହି ବିଶେଷଜ୍ଞ କମିଟିକୁ ତଦନ୍ତର ଅଗ୍ରଗତି ସଂପର୍କରେ ଅବଗତ କରିବାକୁ କୋର୍ଟ ସେବିକୁ ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଗବେଷକ ସଂସ୍ଥା ହିଣ୍ଡେନ୍ବର୍ଗ ଆଦାନୀ ଗ୍ରୁପ୍ ବିରୋଧରେ ହିସାବ ଠକେଇ ଏବଂ ଷ୍ଟକ୍ ହେରଫେର ସମେତ ଅନ୍ୟାନ୍ୟ ଅଭିଯୋଗ ଆଣିବା ପରେ ଏ ନେଇ ଖୋଳତାଢ଼ ଆରମ୍ଭ ହୋଇଛି। ଅଦାନି ଗ୍ରୁପ୍ ଏହି ଅଭିଯୋଗକୁ ଖଣ୍ଡନ କରିଛି। ଗଣମାଧ୍ୟମରେ ଦୁହିଁଙ୍କ ମଧ୍ୟରେ ବିବାଦ ବଢିଥିଲା ଏବଂ ଦୁହେଁ ନିଜ ଦାବି ଉପରେ ଅଟଳ ରହିଛନ୍ତି। ଗତ ଜାନୁଆରି ୨୪ ତାରିଖରେ ହିଣ୍ଡେନବର୍ଗ କମ୍ପାନିର ରିପୋର୍ଟ ଆସିବା ପରଠାରୁ ଆଦାନି ଗ୍ରୁପ୍ ଅଧିନସ୍ଥ କମ୍ପାନିଗୁଡ଼ିକ ବ୍ୟାପକ କ୍ଷତି ସହିସାରିଲେଣି ।