Spread the love

କୋହିମା : ରାଜ୍ୟ ଗଠନ ହେବାର ୬୦ ବର୍ଷ ପରେ ନାଗାଲାଣ୍ଡ ପ୍ରଥମଥର ପାଇଁ ଜଣେ ମହିଳା ବିଧାୟକଙ୍କୁ ପାଇଛି। ବିଜେପିର ସହଯୋଗୀ ଏନଡିପିପିରୁ ହେକାନି ଜାଖାଲୁ ଦିମାପୁର-୩ ଆସନରୁ ବିଜୟୀ ହୋଇଛନ୍ତି।
ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ପୂର୍ବରୁ ଭୋଟ୍ ଗ୍ରହଣ ହୋଇଥିବା ବେଳେ ଆଜି ଚାଲିଛି ଗଣତି। ​​ଶ୍ରୀମତୀ ଜାଖାଲୁ ଲୋକ ଜନକ୍ଷେତ୍ର ପାର୍ଟିର ଆଜେତୋ ଜିମୋମିଙ୍କୁ ପରାସ୍ତ କରିଛନ୍ତି। ସେହିପରି ପଶ୍ଚିମ ଅଙ୍ଗାମି ଆସନରେ ଏନଡିପିପିରୁ ଅନ୍ୟ ଜଣେ ମହିଳା ପ୍ରାର୍ଥୀ ସାଲହୁତୁନୁ କ୍ରୁସ ମଧ୍ୟ ଆଗୁଆ ଅଛନ୍ତି।
ଶାସକ ଏନଡିପିପି-ବିଜେପି ମେଣ୍ଟ ନାଗାଲାଣ୍ଡରେ ପୁଣି ‌ଥରେ କ୍ଷମତା ବଜାୟ ରଖିବାକୁ ଯାଉଛି। ବର୍ତ୍ତମାନ ସୁଦ୍ଧା ଏନଡିପିପି-ବିଜେପି ମେଣ୍ଟ ୩ଟି ଆସନ ଜିତି ଥିବା ବେଳେ ୩୫ଟିରେ ଆଗୁଆ ରହିଛି। ମୁଖ୍ୟମନ୍ତ୍ରୀ ନେପହ୍ୟୁ ରିଓଙ୍କ ନେତୃତ୍ୱାଧୀନ ନ୍ୟାସନାଲିଷ୍ଟ ଡେମୋକ୍ରାଟିକ୍ ପ୍ରଗ୍ରେସିଭ ପାର୍ଟି (ଏନଡିପିପି) ୨୦୧୮ ମସିହାରୁ ବିଜେପି ସହ ମେଣ୍ଟ କରିଆସୁଛି।
ପୂର୍ବ ନିର୍ବାଚନରେ ​​ଏହି ମେଣ୍ଟ ୩୦ଟି ଆସନ ଜିତିଥିବାବେଳେ ଏନପିଏଫ ୨୬ଟି ସିଟ୍‌ ହାତେଇଥିଲା। ମେଘାଳୟରେ ଦଳର ଭଲ ପ୍ରଦର୍ଶନ ପାଇଁ ରାଜ୍ୟ ବିଜେପି ଗୁରୁବାର ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛି। କେନ୍ଦ୍ରମନ୍ତ୍ରୀ କିରନ ରିଜିଜୁ କହିଛନ୍ତି ଯେ, ଏହି ଅଞ୍ଚଳର ଲୋକମାନେ ପ୍ରଥମଥର ଶାନ୍ତି ଏବଂ ବିକାଶ ଦେଖିବାକୁ ପାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଉକ୍ତ ଅଞ୍ଚଳରେ ବିକାଶ ଜୋରଦାର ଆଗେଇ ଚାଲୁଛି। ରାଜପଥ ନିର୍ମାଣଠାରୁ ଆରମ୍ଭ କରି ପାନୀୟ ଜଳ ପର୍ଯ୍ୟନ୍ତ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *