Spread the love

ନୂଆଦିଲ୍ଲୀ: ‌ମୌସୁମୀ ଆଗମନକୁ ଆହୁରି ତିନି ମାସ ବାକି ଥିବା ବେଳେ ଏବେଠାରୁ ଏଲ୍‌ ନିନୋର ପ୍ରଭାବକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ଜଳବାୟୁରେ ଏଲ୍‌ ନିନୋ ପ୍ରଭାବ ରହିଲେ ମରୁଡ଼ି ଭଳି ସ୍ଥିତି ସୃଷ୍ଟି ହେବ। ଫସଲ ଅମଳ କମିଯିବ। ସେଭଳି ସମସ୍ୟା ଦେଖାଦେଲେ ଖାଦ୍ୟ ସାମଗ୍ରୀ ଦର ଉଚ୍ଚା ରହିବ। କୃଷି ଉତ୍ପାଦନ ହ୍ରାସ ପାଇଲେ ନିୟନ୍ତ୍ରଣ ବାହାରେ ଥିବା ମୁଦ୍ରାସ୍ଫୀତି ଆହୁରି ବେଲଗାମ ହେବ।
ଜଳବାୟୁର ଦୁଇଟି ରୂପରେଖ ହେଉଛି ଏଲ୍‌ ନିନୋ ଓ ଲା ନିନା। ଲା ନିନା ଭାରତ ପାଇଁ ଲାଭଦାୟକ। ମାତ୍ର ଏଲ୍‌ ନିନୋ ପ୍ରଭାବ ରହିଲେ ଅଧିକ ଗରମ ହୋଇଥାଏ ଏବଂ ନିଅଣ୍ଟିଆ ମୌସୁମୀ ବର୍ଷା ହୁଏ। ଆମ ଦେଶର କୃଷି କାର୍ଯ୍ୟ ମୌସୁମୀ ବର୍ଷା ଉପରେ ଅତ୍ୟଧିକ ନିର୍ଭରଶୀଳ। ତେଣୁ ଏଲ୍‌ ନିନୋ ପ୍ରଭାବ ରହିଲେ ତାହା କୃଷି କାର୍ଯ୍ୟକୁ ସିଧାସଳଖ ଭାବେ ପ୍ରଭାବିତ କରିଥାଏ। ୨୦୨୩ର ଜୁନ୍‌-ଡିସେମ୍ବର ଭିତରେ ଏଲ୍‌ ନିନୋର ପ୍ରଭାବ ରହିବ ବୋଲି ଆମେରିକାର ସଂସ୍ଥା ନ୍ୟାସନାଲ୍ ଓସେନିକ୍ ଆଣ୍ଡ୍‌ ଆଟମୋସ୍ଫିୟରିଂକ୍ ଆଡମିନିଷ୍ଟ୍ରେସନ (ଏନ୍‌ଓଏଏ) ଆକଳନ କରିଛି। ତାହା ଭାରତରେ ଜୁନ୍‌-ଅକ୍ଟୋବରରେ ହେବାକୁ ଥିବା ମୌସୁମୀ ବର୍ଷାକୁ ପ୍ରଭାବିତ କରିବ। ସେହିପରି ଜେଫେ‌ରିଜ୍ ନାମକ ଆଉ ଏକ ସଂସ୍ଥା ମଧ୍ୟ ଏଲ୍‌ ନିନୋକୁ ନେଇ ଚିନ୍ତା ପ୍ରକଟ କରିଛି।
ଏମ୍‌କେ ଗ୍ଲୋବାଲ୍ ଏହାର ରିପୋର୍ଟରେ ଜଣାଇଛି ଯେ ଗତ ୨୦ ବର୍ଷ ଭିତରେ ଯେଉଁ ସବୁ ବର୍ଷ ମରୁଡ଼ି ହୋଇଥିଲେ ସେହି ବର୍ଷଗୁଡ଼ିକରେ ଏଲ୍‌ ନିନୋର ପ୍ରଭାବ ଥିଲା। ନିକଟରେ ଅର୍ଥ ମନ୍ତ୍ରାଳୟ ଏହାର ମାସିକ ଅର୍ଥନୈତିକ ସମୀକ୍ଷା ରିପୋର୍ଟରେ ଏଲ୍‌ ନିନୋ ବିଷୟରେ ଉଲ୍ଲେଖ କରିଥିଲା। ମାର୍ଚ୍ଚ ମାସରେ ଅଧିକ ଗରମ ହେବ ବୋଲି ଆକଳନ କରାଯାଉଛି। ତାହା ରବି ଫସଲ ଅମଳକୁ ପ୍ରଭାବିତ କରିବା ଆଶଙ୍କା ରହିଛି। ଫସଲ ଉତ୍ପାଦନ କମିଲେ ଗୋଟିଏ ପଟେ ସବୁ ଗ୍ରାହକଙ୍କ ପାଇଁ ଖାଦ୍ୟ ସାମଗ୍ରୀ ମହଙ୍ଗା ହେବ ଏବଂ ଦ୍ବିତୀୟରେ କୃଷି ଉପରେ ନିର୍ଭରଶୀଳ ଗ୍ରାମୀଣ ଲୋକଙ୍କ ଆୟ କମିଯିବ।

Leave a Reply

Your email address will not be published. Required fields are marked *