Spread the love

ଭୁବନେଶ୍ବର : ଆବଣ୍ଟନ କଂପାନିମାନଙ୍କର ସାମଗ୍ରିକ ବୈଷୟିକ ଓ ବାଣିଜ୍ୟିକ କ୍ଷତିର ବୋଝ ଉପଭୋକ୍ତା ମୁଣ୍ଡାଉଛନ୍ତି। ଆଉ କାହାର ତ୍ରୁଟି ଲାଗି ଉପଭୋକ୍ତା କାହିଁକି ତଣ୍ଡ ଗଣିବେ? ବିଜୁଳି ଦର ବୃଦ୍ଧି ପଛରେ ଏହା ହିଁ ମୁଖ୍ୟ କାରଣ। ବିଦ୍ୟୁତ୍ ଚୋରି, ବେଆଇନ ବିଦ୍ୟୁତ୍ ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ଉପରେ କରାଯାଉଥିବା ଜରିମାନାର ଅନ୍ତିମ ମୂଲ୍ୟାଙ୍କନ ଓ ଆଦାୟ ଜରିମନା ସେମାନଙ୍କ ମାସିକ ବିଲ୍‌ରେ ଦର୍ଶାଯିବନାହିଁ କାହିଁକି? ଜରିମାନା ଅର୍ଥ ଆତ୍ମସାତ୍ ପାଇଁ ଏହା ସୁଯୋଗ ସୃଷ୍ଟି କରୁନାହିଁ କି? ଏମିତି ପ୍ରଶ୍ନ ଫିଙ୍ଗି ଆଜି ଆପତ୍ତିକର୍ତ୍ତା (ଅବଜେକ୍ଟର) ମାନେ ଟାଟା ପାୱାର କେନ୍ଦ୍ରୀୟ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌(ଟିପିସିଓଡିଏଲ୍‌) ବିରୋଧରେ ଗର୍ଜିଥିଲେ।
କେବଳ ସେତିକି ନୁହେଁ, ବିଦ୍ୟୁତ୍‌ ଦର ଧାର୍ଯ୍ୟ ସଂକ୍ରାନ୍ତରେ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆରସି) ପକ୍ଷରୁ ଚାଲିଥିବା ଜନଶୁଣାଣିରେ ଆବଣ୍ଟନ କମ୍ପାନି ଅଧିକ ଆଦାୟ କରିଥିବା ଟାରିଫ୍‌କୁ ସୁଧ ସହ ଉପଭୋକ୍ତାକୁ ଫେରସ୍ତ ପ୍ରସଙ୍ଗ ବି ଉଠିଥିଲା। ଆପତ୍ତିକର୍ତ୍ତା ପୁଣି ଦୋହରାଇଥିଲେ ଯେ ଯେହେତୁ ଆବଣ୍ଟନ କମ୍ପାନିଗୁଡ଼ିକ ଅନୁମୋଦିତ ଟାରିଫ୍‌ଠାରୁ ଅଧିକ ଆଦାୟ କରିଛନ୍ତି, ତେଣୁ ଅଧିକ ଆଦାୟ ହୋଇଥିବା ଟାରିଫ୍‌କୁ ସୁଧ ସହ ଉପଭୋକ୍ତାଙ୍କୁ ଫେରସ୍ତ କରିବା ପାଇଁ ବିଦ୍ୟୁତ୍‌ ଆଇନ ୨୦୦୩ ଧାରା ୬୨(୬)‌ରେ ସ୍ପଷ୍ଟ ଭାବେ କୁହାଯାଇଛି। ତାହାକୁ ଟ୍ରୁଇଙ୍ଗ୍‌ ଅପ୍‌ କରାଯିବାର ଆବଶ୍ୟକତା ନାହିଁ। ବରଂ ସିଧାସଳଖ ସୁଧ ସହ ଉପଭୋକ୍ତାଙ୍କୁ ଫେରସ୍ତ କରାଯିବା କଥା। ଆବଣ୍ଟନ କମ୍ପାନିଗୁଡ଼ିକ ନିଜର କ୍ଷତିଭରଣା ଲାଗି ଉପଭୋକ୍ତାଙ୍କୁ ୨୦୨୧-୨୨ରେ ୟୁନିଟ୍‌ ପିଛା ୧ ଟଙ୍କା ୨୮ ପଇସା ବିଲ୍‌ କରିଥିବା ବେଳେ ୨୦୨୧-୨୨ରେ ୧ ଟଙ୍କା ୮୫ ପଇସା ବିଲ୍‌ କରିଛନ୍ତି। ଏଣୁ ଆୟୋଗଙ୍କ ଠାରୁ ଏ ସଂକ୍ରାନ୍ତରେ ରାୟ ଉପଭୋକ୍ତାମାନେ ଅପେକ୍ଷା କରିଛନ୍ତି।
ଓଇଆର୍‌ସିର ଭାରପ୍ରାପ୍ତ ଅଧ୍ୟକ୍ଷ ଗଜେନ୍ଦ୍ର ମହାପାତ୍ର ଓ ସଦସ୍ୟ ସୁଶାନ୍ତ କୁମାର ରାୟ ମହାପାତ୍ରଙ୍କ ଉପସ୍ଥିତିରେ କରାଯାଇଥିବା ଶୁଣାଣି ଟିପିସିଓଡିଏଲ୍‌ ତାଙ୍କର ପ୍ରାରମ୍ଭିକ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ପରେ ପୁଣେସ୍ଥିତ ୱାଇଜ୍‌ ପକ୍ଷରୁ ତାହା ଉପରେ ସମୀକ୍ଷା କରାଯାଇଥିଲା। ଉପଭୋକ୍ତା ମହାସଂଘ ସଭାପତି ରମେଶ ଶତପଥୀ ଭାଗ ନେଇ ଜନଶୁଣାଣିରେ ସାଧାରଣ ଲୋକଙ୍କୁ ସାମିଲ କରାଯାଉ ନଥିବାରୁ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ। ସେ କହିଥିଲେ ଯେ ଗ୍ରାହକଙ୍କୁ ଅବଗତ କରିବାକୁ ଏଭଳି ଜନଶୁଣାଣି କରାଯାଉଛି। ମାତ୍ର ଅନ୍‌ଲାଇନ୍‌ ଲିଙ୍କ୍‌ ଦେବାକୁ ଅନୁରୋଧ କରାଯାଉଥିଲେ ମଧ୍ୟ ଓଇଆରସି କାର୍ଯ୍ୟାଳୟ ତାହାକୁ ଗ୍ରହଣ କରୁନାହାନ୍ତି। ଫଳରେ ରାଜ୍ୟର ହଜାର ହଜାର ଲୋକ ଜନଶୁଣାଣିରେ ଭାଗ ନେଇପାରୁନାହାନ୍ତି। ଏ ଦିଗରେ କର୍ତ୍ତୃପକ୍ଷ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି।
ଟିପିସିଓଡିଏଲ୍‌ ସମ୍ପର୍କରେ ଶ୍ରୀ ଶତପଥୀ କହିଲେ, ଏହି କମ୍ପାନିର ୩୩/୧୧ କେଭି ବିଶିଷ୍ଟ ୩୫୯ଟି ସବ୍‌ଷ୍ଟେସନ ରହିଛି। ସେଥିମଧ୍ୟରୁ ୩୦୦ଟି ଆବଶ୍ୟକ ଲୋଡ୍‌ଠାରୁ କମ୍‌ରେ ଚାଲିଛି। ଫଳରେ ଏଟିସି କ୍ଷତି କମିବା ବଦଳରେ ବଢ଼ୁଛି। ଏହାର ସମ୍ପୂର୍ଣ୍ଣ ତଥ୍ୟ ଶୁଣାଣିରେ ରଖାଯାଉ। ୩୩ କେଭି ବ୍ୟବସ୍ଥାରେ ସାରା ଦେଶରେ ଏଟିସି କ୍ଷତି ୪.୭୫% ଥିବା ବେଳେ ଏଠାରେ ୮% ହେଉଛି। ତାହାକୁ କମାଇବା ଦିଗରେ ପଦକ୍ଷେପ ନିଆଯାଉ। ଟିପିସିଓଡିଏଲ୍‌ରେ ନନ୍‌-ଏକ୍‌ଜିକ୍ୟୁଟିଭ୍‌ ବର୍ଗର କର୍ମଚାରୀଙ୍କ ସଂଖ୍ୟା ୪୨୯୯ରୁ ହ୍ରାସ ପାଇ ୩୭୧୦ରେ ପହଞ୍ଚିଛି। ବିଜ୍‌ନେସ୍‌ ଆସୋସିଏଟ୍‌ରେ ଯେଉଁମାନଙ୍କୁ ନିଯୁକ୍ତି ଦିଆଯାଇଛି, ତାହାର ସଂଖ୍ୟା ବଢ଼ିଯାଇଛି। କେତେଜଣ ନିୟମିତ ଲୋକ ରହିଛନ୍ତି? ସେମାନଙ୍କୁ କିଭଳି ତାଲିମ ଦିଆଯାଉଛି? ତାହାର ସମ୍ପୂର୍ଣ୍ଣ ବିବରଣୀ ଉପଭୋକ୍ତା ଜାଣିବାର ଆବଶ୍ୟକ ରହିଛି। ସେହିଭଳି ୨୦୨୫ ସୁଦ୍ଧା ସବୁଆଡ଼େ ପ୍ରିପେଡ୍‌ ମିଟର ବସିବାକୁ ସମୟ ଧାର୍ଯ୍ୟ ହୋଇଛି। ଏବେ ମାତ୍ର ୧୦ ହଜାର ପ୍ରିପେଡ୍‌ ମିଟର ବସିଛି। କେବେ ସୁଦ୍ଧା ସମସ୍ତଙ୍କ ଘରେ ପ୍ରିପେଡ୍‌ ମିଟର ବସିବ, ତାହା ଆୟୋଗ ସ୍ଥିର କରନ୍ତୁ। ଏହି ଅବସରରେ ଶ୍ରୀ ଶତପଥୀ ପ୍ରତି ସର୍କଲରେ ବିଦ୍ୟୁତ୍‌ ପୁଲିସ ଷ୍ଟେସନ ପ୍ରତିଷ୍ଠା ନେଇ ଟିପିସିଓଡିଏଲ୍‌ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଘୋର ବିରୋଧ କରିଥିଲେ।
ଶକ୍ତି ସମୀକ୍ଷକ ଅନନ୍ଦ ମହାପାତ୍ର ଭାଗନେଇ କହିଲେ, ଚିଙ୍ଗୁଡ଼ି ଶିଳ୍ପଗୁଡ଼ିକ ବିନା ଶୀତଳଭଣ୍ଡାରରେ କାର୍ଯ୍ୟକ୍ଷମ ହୋଇପାରିବ ନାହିଁ। ଓଇଆର୍‌ସି ସେଥିପାଇଁ ୨୦୦୪, ୨୦୧୧ ଓ ୨୦୧୯ ରେ ଯେଉଁ ବିଦ୍ୟୁତ୍‌ ଆବଣ୍ଟନ କୋଡ ବିଜ୍ଞପ୍ତି କରିଛନ୍ତି ସେଥିରେ ସହଯୋଗୀ କୃଷିଶିଳ୍ପ ଉପଭୋକ୍ତା ବର୍ଗଙ୍କ ପାଇଁ କୌଣସି ୨୦% ଲୋଡ୍‌ ଫ୍ୟାକ୍ଟର ପ୍ରତିବନ୍ଧକ ନାହିଁ। କିନ୍ତୁ ଲାଇସେନ୍ସ ଟାରିଫ୍‌ ଆଦେଶରେ ଥିବା ନୋଟକୁ ଆଧାର କରି ସେମାନଙ୍କୁ ୨୦% ଲୋଡ୍‌ ଫ୍ୟାକ୍ଟର ସହ ବ୍ୟାବସାୟିକ ଉପଭୋକ୍ତା ବର୍ଗରେ ସାମିଲ କରିବା ଦ୍ବାରା ତାଙ୍କର ପ୍ରବଳ କ୍ଷତି ହେଉଛି। ଉପଭୋକ୍ତାଙ୍କର ବର୍ଗ ପରିବର୍ତ୍ତନ ପାଇଁ ସପ୍ଲାଏ କୋଡ୍‌ ରହିଛି, ସେଥିରେ ଟାରିଫ୍‌ ଅର୍ଡରର କୌଣସି ଆବଶ୍ୟକତା ନାହିଁ। କିନ୍ତୁ ଟିପିସିଓଡିଏଲ୍‌ ଟାରିଫ୍‌ ଅର୍ଡର ଆଳରେ ଅନ୍ୟାୟ ଭାବେ ଉପଭୋକ୍ତାଙ୍କ ବର୍ଗ ପରିବର୍ତ୍ତନ କରି ଶୋଷଣ କରୁଥିବା ସେ ଅଭିଯୋଗ କରିଥିଲେ।
ଅନ୍ୟତମ ଆପତ୍ତିକର୍ତ୍ତା ଠିକାଦାର ପ୍ରିୟବ୍ରତ ସାହୁ ଆଜି ବି ସ୍ମାର୍ଟ ମିଟରର ବୋଝ ଗ୍ରାହକଙ୍କ ଉପରେ ନ ଲଦିବାକୁ ନିବେଦନ କରିଥିଲେ। ଉତ୍କଳ ଚାମ୍ବର ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି ପକ୍ଷରୁ ବିଭୁ ଚରଣ ସ୍ବାଇଁ ଭାଗ ନେଇ ଏମ୍‌ଏସ୍‌ଏମ୍‌ଇଙ୍କ ପାଇଁ ଟାରିଫ୍‌ରେ ସୁବିଧା କରିବାକୁ ଯୁକ୍ତି ବାଢ଼ିଥିଲେ। ଅବସରପ୍ରାପ୍ତ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ଅକ୍ଷୟ କୁମାର ସାହାଣୀ ଭାଗ ନେଇ ଟିପିସିଓଡିଏଲ୍‌ ଅଞ୍ଚଳରେ ହେଉଥିବା ବିଦ୍ୟୁତ୍‌ କାଟ୍‌ ସମ୍ପର୍କରେ ଉତ୍‌ଥାପନ କରିଥିଲେ। ଭୁବନେଶ୍ବରରେ ଲଗାତାର ଭାବେ କିଭଳି ବିଦ୍ୟୁତ୍‌ କଟୁଛି, ସେ ସମ୍ପର୍କରେ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଯେଉଁମାନେ ବିଦ୍ୟୁତ୍‌ ଚୋରି କରୁଛନ୍ତି, ସେମାନଙ୍କୁ ଚିହ୍ନଟ କରାଯିବା ସହ ଜେଲ୍‌ ପଠାଇବାକୁ ପ୍ରସ୍ତାବ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟୁତ୍‌ ବିଭାଗର ପୂର୍ବତନ ମୁଖ୍ୟ ଯନ୍ତ୍ରୀ ତଥା ଓଏସ୍‌ଇବିର ସଦସ୍ୟ(ସାଧାରଣ) ରାମପ୍ରସାଦ ମହାପାତ୍ର, ପୂର୍ବତଟ ରେଳପଥ, ଗ୍ରିଡ୍‌କୋ ପ୍ରମୁଖ ଆଲୋଚନାରେ ଭାଗନେଇ ସୁଚିନ୍ତିତ ମତାମତ ରଖିଥିଲେ।

Leave a Reply

Your email address will not be published. Required fields are marked *