Spread the love

କଟକ : ନୂଆ ଶିକ୍ଷା ବର୍ଷ ଆରମ୍ଭ ପୂର୍ବରୁ ରାଜ୍ୟର ସବୁ ଜିଲ୍ଲାରେ ଥିବା ଉଚ୍ଚ ପ୍ରାଥମିକ ଓ ପ୍ରାଥମିକ ସ୍କୁଲ ଗୁଡିକରେ ମୌଳିକ ସୁବିଧା ବ୍ୟବସ୍ଥା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏ ପ୍ରକାର ନ‌ିର୍ଦ୍ଦେଶ ଦେଇଛନ୍ତି।
ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ରାଜ୍ୟର ବିଭିନ୍ନ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ସର୍ବନିମ୍ନ ମୌଳିକ ସୁବିଧା ନାହିଁ। ସ୍କୁଲରେ ପିଇବା ପାଣି, ଛାତ୍ର ଓ ଛାତ୍ରୀଙ୍କ ପାଇଁ ପୃଥକ ଟଏଲେଟ, ବିଭିନ୍ନ ଶ୍ରେଣୀ ପାଇଁ ପୃଥକ କ୍ଲାସରୁମ୍, ବେଞ୍ଚ-ଡେସ୍କ, ବିଦ୍ୟୁତ ସଂ‌େଯାଗ, ଖେଳ ପଡ଼ିଆ, ଆବଶ୍ୟକ ସଂଖ୍ୟକ ଶିକ୍ଷକ/ଶିକ୍ଷୟିତ୍ରୀ ନାହାନ୍ତି। ବୌଦ୍ଧ ଜିଲ୍ଲାର କେତେକ ନମୁନା ସ୍କୁଲ ପରିଦର୍ଶନ କରି ଆମିକସ୍ କ୍ୟୁରୀ ଆଇନଜୀବୀ ପ୍ରଫୁଲ୍ଲ କୁମାର ରଥଙ୍କ ପକ୍ଷରୁ ଦାଖଲ ରିପୋର୍ଟରୁ ଏହା ଜଣାପଡ଼ିଛି। ହାଇକୋର୍ଟ ଏହି ପ୍ରସଂଗରେ ପଦକ୍ଷେପ ଗ୍ରହଣ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଅଶ୍ବଥି ଏସ.ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସବୁ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କ ନିକଟରୁ ସଚିବ ସ୍କୁଲ ଗୁଡିକର ବାସ୍ତବ ସ୍ଥିତି ନେଇ ରିପୋର୍ଟ ତଲବ କରିବେ।
ପ୍ରକୃତ ପକ୍ଷେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ ଗୁଡିକ‌ର କଣ ସ୍ଥିତି ରହିଛି ସେ ନେଇ ରିପୋର୍ଟ ସହିତ ଫଟୋଗ୍ରାଫ୍ ଦାଖଲ ପାଇଁ ଡିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯିବ। ବିଦ୍ୟୁତ ସଂଯୋଗ, ଲାଇଟ-ଫ୍ୟାନ୍ ବ୍ୟବସ୍ଥା, ଛାତ୍ରଛାତ୍ରୀଙ୍କ ପାଇଁ ପୃଥକ ଟଏଲେଟ, ପିଇବା ପାଣି, ସବୁ ଶ୍ରେଣୀ ପାଇଁ ପୃଥକ କ୍ଲାସରୁମ୍, ସବୁ ଛାତ୍ରାଛତ୍ରୀଙ୍କ ପାଇଁ ବେଞ୍ଚ-ଡେସ୍କ, ବ୍ୟବହାରଯୋଗ୍ୟ କଳାପଟା, ଖେଳ ପଡ଼ିଆ ଓ ଅନ୍ୟାନ୍ୟ ସୁବିଧା ସ୍କୁଲ ଉପଲବ୍ଧ ଅଛି କି ନାହିଁ ସେ ନେଇ ରିପୋର୍ଟରେ ଉଲ୍ଲେଖ କରାଯିବ। ଗଣଶିକ୍ଷା ବିଭାଗ ସଚିବ ଏହାକୁ ନେଇ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବେ। ସ୍କୁଲ ଗୁଡିକର ମରାମତି, ଉନ୍ନୟନ କାର୍ଯ୍ୟ, ମୌଳିକ ସୁବିଧା ପ୍ରଦାନ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ସଂପାଦନ ପାଇଁ ଏହି ଆକ୍ସନ ପ୍ଲାନ କରାଯିବ। ଆସନ୍ତା ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ସବୁ ଜିଲ୍ଲାରେ ଉପରୋକ୍ତ ମୌଳିକ ସୁବିଧା ଉଚ୍ଚପ୍ରାଥମିକ ଓ ପ୍ରାଥମିକ ସ୍କୁଲ ଗୁଡ଼ିକରେ ସୁନିଶ୍ଚିତ କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଏହି କାର୍ଯ୍ୟ ସଂପାଦନ କରାଯିବ। ନିକଟରେ ପାରିତ ହୋଇଥିବା ବଜେଟରେ ଉପରୋକ୍ତ କାର୍ଯ୍ୟ ପାଇଁ ପାଣ୍ଠି ବ୍ୟବସ୍ଥା କରାଯାଇଥିବ ବୋଲି ହାଇକୋର୍ଟ ଆଶା ପ୍ରକାଶ କରିଛନ୍ତି। ତୁରନ୍ତ ପଦକ୍ଷେପ ଗ୍ରହଣ ପାଇଁ ଏହି ରାୟର କପି ଗଣଶିକ୍ଷା ସଚିବଙ୍କୁ ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ଉପରୋକ୍ତ ନିର୍ଦ୍ଦେଶ କାର୍ଯ୍ୟକାରୀ ସଂପର୍କିତ ସତ୍ୟପାଠ ଦାଖଲ ପାଇଁ ଗଣଶିକ୍ଷା ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆମିକସ୍ କ୍ୟୁରୀ ବୌଦ୍ଧ ଜିଲ୍ଲାର ୭ଟି ନିର୍ଦ୍ଦିଷ୍ଟ ସ୍କୁଲ ପ୍ରସଂଗରେ ଦେଇଥିବା ରିପୋର୍ଟକୁ ଗଣଶିକ୍ଷା ସଚିବ ତୁରନ୍ତ ଅନୁଧ୍ୟାନ କରିବା ସହିତ ଜିଲ୍ଲାପାଳ ଓ ଡିଇଓଙ୍କ ବୈଠକ ଡାକିବେ। ଏହି ୭ଟି ସ୍କୁଲ ସହିତ ବୌଦ୍ଧ ଜିଲ୍ଲାର ଅନ୍ୟ ସ୍କୁଲ ଗୁଡିକର ମରାମତି ଓ ଉନ୍ନତିକରଣ ପାଇଁ ପାଣ୍ଠି ତୁରନ୍ତ ମଞ୍ଜୁର ହେବ। ଏବେ ଶିକ୍ଷାବର୍ଷ ଶେଷ ହେବାକୁ ଯାଉଥିବା ବେଳେ ଆଗକୁ ଗ୍ରୀଷ୍ମ ଅବକାଶ ପାଇଁ ସ୍କୁଲ ବନ୍ଦ ରହିବ। ପୁଣି ସ୍କୁଲ ଖୋଲିବା ପୂର୍ବରୁ ସଂପୃକ୍ତ ୭ଟି ସ୍କୁଲରେ ସମସ୍ତ ମରାମତି କାର୍ଯ୍ୟ ଶେଷ କରାଯିବ। ଏହି ସ୍କୁଲ ଗୁଡିକ‌ରେ ମୌଳିକ ସୁବିଧା ଉପଲବ୍ଧ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *