Spread the love

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟର କୋର୍ଟ ରୁମ୍‌ ନମ୍ବର ୧ରେ ସୋମବାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍‌ ସୂର୍ଯ୍ୟକାନ୍ତଙ୍କ ସମ୍ମୁଖରେ ଜଣେ ଓକିଲ ନିଜ ଆବେଦନର ଶୁଣାଣିରେ ବିଳମ୍ବକୁ ନେଇ ଉତ୍‌କ୍ଷିପ୍ତ ହୋଇପଡ଼ିଥିଲେ। ଏପରିକି ସେ ପ୍ରଧାନ ବିଚାରପତିଙ୍କୁ ଏହି ଚୌକିରେ ବସିବାକୁ ଯୋଗ୍ୟ ନୁହଁ ବୋଲି କହିବା ସହ ତାଙ୍କ ସଚ୍ଚୋଟତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ଏହାପରେ ତୁରନ୍ତ କୋର୍ଟ କାର୍ଯ୍ୟ ବନ୍ଦ କରିଦିଆଯାଇଥିଲା। କୋର୍ଟର ସୁରକ୍ଷାକର୍ମୀ ଓକିଲଙ୍କୁ ସେଠାରୁ ବାହାର କରିଦେଇଥିଲେ।
ରିପୋର୍ଟ ଅନୁଯାୟୀ, ଅବମାନନା ମାମଲାରେ ଅଭିଯୁକ୍ତ ଥିବା ଏହି ଓକିଲ ନିଜ ମାମଲାର ତୁରନ୍ତ ଶୁଣାଣି ପାଇଁ ସିଜେଆଇ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ, ଜଷ୍ଟିସ୍‌ ଜୟମାଲ୍ୟ ବାଗ୍‌ଚୀ ଓ ଜଷ୍ଟିସ୍‌ ଭି ମୋହନାଙ୍କ ଖଣ୍ଡପୀଠଙ୍କ ନିକଟରେ ଆବେଦନ କରିଥିଲେ। ତାଙ୍କ ମାମଲା ନଭେମ୍ବର ୨ରେ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟରେ ରଖାଯାଇଥିଲେ ମଧ୍ୟ ୧୫ ଦିନ ପରେ କୌଣସି ଉତ୍ତର ମିଳିନଥିବା ସେ କହିଥିଲେ। ତେଣୁ ତାଙ୍କୁ ନିଜେ କୋର୍ଟକୁ ଆସିବାକୁ ପଡ଼ିଲା ବୋଲି ସେ ଯୁକ୍ତି ଦର୍ଶାଇଥିଲେ। ତେବେ ଆରମ୍ଭରେ ଉପଯୁକ୍ତ ପ୍ରକ୍ରିୟା ଅନୁସରଣ କରିନଥିବାରୁ ସେ କ୍ଷମା ମାଗିବା ସହ ଜରୁରୀ ପରିସ୍ଥିତି ଯୋଗୁଁ ଏପରି କରିଥିବା କହିଥିଲେ।
ଜଷ୍ଟିସ୍‌ ଭି ମୋହନା ତାଙ୍କୁ ଏପରି ମନ୍ତବ୍ୟ ନ ଦେବାକୁ କହିଥିଲେ। କିନ୍ତୁ ଓକିଲ ଜଣକ ନିଜ ଜିଦ୍‌ରେ ଅଟଳ ରହି ନିଜ ଆବେଦନର କାଗଜପତ୍ର ଦେଖିବାକୁ ଅନୁରୋଧ କରିଥିଲେ। ଏହି ସମୟରେ ସିଜେଆଇ ତାଙ୍କୁ ଅପେକ୍ଷା କରିବାକୁ କହିବାରୁ ସେ ଉତ୍‌କ୍ଷିପ୍ତ ହୋଇ ପ୍ରଧାନ ବିଚାରପତିଙ୍କ ପ୍ରତି ବ୍ୟକ୍ତିଗତ ଆକ୍ଷେପ କରିଥିଲେ। ଖଣ୍ଡପୀଠର ଅନ୍ୟ ଦୁଇ ବିଚାରପତିଙ୍କୁ ସମ୍ମାନ କରୁଥିବା କହିଥିଲେ ମଧ୍ୟ ସିଜେଆଇଙ୍କୁ ସେହି ଚୌକି ପାଇଁ ଯୋଗ୍ୟ ମଣୁନଥିବା ସ୍ପଷ୍ଟ କରିଥିଲେ। ଏହାପରେ କୋର୍ଟ କାର୍ଯ୍ୟର ଅଡିଓ ଓ ଭିଡିଓ ରେକର୍ଡିଂ ବନ୍ଦ କରାଯାଇଥିଲା। କୋର୍ଟ ରୁମ୍‌ରେ ଉପସ୍ଥିତ ଅନ୍ୟ ଓକିଲମାନେ ଏହି ଆଚରଣ ପାଇଁ ସମ୍ପୃକ୍ତ ଓକିଲଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସିଜେଆଇଙ୍କୁ ଅନୁରୋଧ କରିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *