ନୂଆଦିଲ୍ଲୀ: ଅଯୋଧ୍ୟାର ରାମମନ୍ଦିରକୁ ଭକ୍ତମାନେ ଦାନ କରିଥିବା ଅର୍ଥ ହଡ଼ପ ଅଭିଯୋଗର ତଦନ୍ତ ପାଇଁ ନୂଆ ଓ ସ୍ୱାଧୀନ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଗଠନ କରିବାକୁ ସୋମବାର କଂଗ୍ରେସ ଦାବି କରିଛି। ଏହି ତଦନ୍ତକାରୀ ଦଳ କେବଳ ସୁପ୍ରିମ୍କୋର୍ଟଙ୍କୁ ସିଧାସଳଖ ରିପୋର୍ଟ ଦେବା ସହ ମନ୍ଦିର ଟ୍ରଷ୍ଟର କାର୍ଯ୍ୟକଳାପ ସମେତ ଅର୍ଥ ହଡ଼ପ ଘଟଣାର ସମସ୍ତ ଦିଗର ତଦନ୍ତ କରୁ ବୋଲି ଦଳ କହିଛି। କଂଗ୍ରେସ ମହାସଚିବ ତଥା ଯୋଗାଯୋଗ ବିଭାଗ ଦାୟିତ୍ୱରେ ଥିବା ଜୟରାମ ରମେଶ ଏହି ଦାବି ଉଠାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିରବତାକୁ ନେଇ ପ୍ରଶ୍ନ କରିଛନ୍ତି।
ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ୍ କରି ରମେଶ କହିଛନ୍ତି, ରାମମନ୍ଦିରରେ ଭକ୍ତମାନଙ୍କ ଦାନ ଅର୍ଥ ହଡ଼ପ ସମ୍ପର୍କରେ ପ୍ରତିଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହାଦ୍ୱାରା ବିଜେପି, ଆର୍ଏସ୍ଏସ୍ ଓ ବିଶ୍ୱ ହିନ୍ଦୁ ପରିଷଦ ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ କେନ୍ଦ୍ର ଓ ଉତ୍ତରପ୍ରଦେଶ ସରକାର ସୁରକ୍ଷା ଦେଉଥିବା ଅଭିଯୋଗ ଉଠୁଛି। ଏହି ମାମଲା ଆଉ କେବଳ ଚୋରି ଅଭିଯୋଗ ମଧ୍ୟରେ ସୀମିତ ନାହିଁ। ତଦନ୍ତ ନାମରେ ଜନସାଧାରଣ ଓ ସୁପ୍ରିମ୍କୋର୍ଟଙ୍କୁ ଭ୍ରମିତ କରାଯାଇଛି କି ନାହିଁ, ତାହା ମଧ୍ୟ ଏବେ ପ୍ରଶ୍ନବାଚୀ ବୋଲି ସେ କହିଛନ୍ତି।
ରମେଶଙ୍କ ଅଭିଯୋଗ ଅନୁଯାୟୀ, ଏହି ମାମଲାରେ ଦୁଇଟି ଏସ୍ଆଇଟି ଗଠନ ହୋଇଥିଲା। ଜୁଲାଇ ୨୦ ତାରିଖରେ ସରକାର ସୁପ୍ରିମ୍କୋର୍ଟଙ୍କୁ ପ୍ରଥମ ଦଳ ତଦନ୍ତ କରୁନଥିବା ଜଣାଇଥିଲେ। କିନ୍ତୁ ଅଗଷ୍ଟ ୪ ତାରିଖରେ ଉତ୍ତରପ୍ରଦେଶ ବିଧାନସଭାରେ ମୁଖ୍ୟମନ୍ତ୍ରୀ ସେହି ଦଳର ପ୍ରାଥମିକ ତଦନ୍ତ ରିପୋର୍ଟକୁ ଉଦ୍ଧୃତ କରିଥିଲେ। ଯଦି ତଦନ୍ତ ହୋଇନଥିଲା, ତେବେ ଜୁଲାଇ ୬ ତାରିଖରେ ରାମମନ୍ଦିର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟଙ୍କୁ କେଉଁ ଅନ୍ତରୀଣ ରିପୋର୍ଟ ଆଧାରରେ ଦୋଷମୁକ୍ତ କରାଯାଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।
ସେହିପରି ଆଇଜି କିରଣ ଏସ୍ ପ୍ରଥମ ତଦନ୍ତକାରୀ ଦଳର ସଦସ୍ୟ ଥିବାବେଳେ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଦ୍ୱିତୀୟ ଏସ୍ଆଇଟିର ମୁଖ୍ୟ ହୋଇଥିଲେ। ଏହାକୁ ନେଇ ମଧ୍ୟ କଂଗ୍ରେସ ପ୍ରଶ୍ନ ଉଠାଇଛି। ପ୍ରଥମ ଦଳର ରିପୋର୍ଟ ଟ୍ରଷ୍ଟକୁ କେଉଁ ଅଧିକାର ବଳରେ ଦିଆଯାଇଥିଲା ଏବଂ ତାହାର ଆଧାରରେ ଟ୍ରଷ୍ଟ କିପରି ନିଜ ପଦାଧିକାରୀଙ୍କୁ ଦୋଷମୁକ୍ତ କଲା, ତାହା ସ୍ପଷ୍ଟ କରିବାକୁ ଦଳ ଦାବି କରିଛି।
ଅଗଷ୍ଟ ୧୭ ତାରିଖରେ ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି. ମୋହନଙ୍କ ଖଣ୍ଡପୀଠ ଏସ୍ଆଇଟିକୁ ତଦନ୍ତ ଶୀଘ୍ର ଶେଷ କରିବା ଏବଂ ଗୋପନୀୟ ଭାବେ ଆବଦ୍ଧ ଲଫାପାରେ ସ୍ଥିତି ରିପୋର୍ଟ ଦାଖଲ କରିବାକୁ କହିଥିଲେ। ସେପ୍ଟେମ୍ବର ୨୩ରେ ଦାଖଲ ହୋଇଥିବା ଅଭିଯୋଗଫର୍ଦ୍ଦ କେବଳ ଦାନ ଅର୍ଥ ଗଣତି କେନ୍ଦ୍ରର ଆଠଜଣ କର୍ମଚାରୀଙ୍କ ବିରୋଧରେ ସୀମିତ ରହିଥିବାରୁ ଟ୍ରଷ୍ଟର କାର୍ଯ୍ୟକଳାପ ଓ ଦାୟିତ୍ୱରେ ଥିବା ପଦାଧିକାରୀଙ୍କ ଭୂମିକା କାହିଁକି ତଦନ୍ତ ପରିସରକୁ ଆସିଲା ନାହିଁ ବୋଲି ରମେଶ ପ୍ରଶ୍ନ କରିଛନ୍ତି।