Spread the love

ଲକ୍ଷ୍ନୌ: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ରାଜ୍ୟରେ ‘ଜନ ଚୌପାଲ’ (ଜନସଭା) ଅଭିଯାନ ଆରମ୍ଭ କରିବ। ଚଳିତମାସ ୧୯ ତାରିଖରେ ଗୋରଖପୁରରୁ ଏହି ଅଭିଯାନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହି କାର୍ଯ୍ୟକ୍ରମରେ ସେ ସିଧାସଳଖ ଲୋକଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ଅଭିଯୋଗ ଶୁଣିବେ ଏବଂ ସ୍ଥାନୀୟ ସମସ୍ୟା ସମ୍ପର୍କରେ ମତାମତ ସଂଗ୍ରହ କରିବେ।
ପ୍ରଥମ କାର୍ଯ୍ୟକ୍ରମରେ ଗୋରଖପୁର ସଦର ନିର୍ବାଚନ ମଣ୍ଡଳୀର ପ୍ରାୟ ୫ ହଜାର ଲୋକ ଯୋଗଦେବେ ବୋଲି ଆଶା କରାଯାଉଛି। ଏହାପରେ ରାଜ୍ୟର ସମସ୍ତ ୪୦୩ଟି ନିର୍ବାଚନ ମଣ୍ଡଳୀରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଅଭିଯାନ ଜରିଆରେ ସରକାର ଓ ଦଳ ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚିବାକୁ ଯୋଜନା କରିଛନ୍ତି। ଏଥିରେ ମନ୍ତ୍ରୀ, ଦଳର ବରିଷ୍ଠ ନେତାଙ୍କ ସହ ତୃଣମୂଳ ସ୍ତରର କର୍ମୀମାନେ ମଧ୍ୟ ସାମିଲ ହେବେ।
ଉଲ୍ଲେଖଯୋଗ୍ୟ, ୨୦୨୨ ବିଧାନସଭା ନିର୍ବାଚନରେ ଉତ୍ତରପ୍ରଦେଶର ମୋଟ ୪୦୩ଟି ଆସନ ମଧ୍ୟରୁ ବିଜେପି ୨୫୫ଟିରେ ଏବଂ ସମାଜବାଦୀ ପାର୍ଟି ୧୧୧ଟିରେ ବିଜୟୀ ହୋଇଥିଲା। ଲଗାତାର ତୃତୀୟ ଥର କ୍ଷମତାକୁ ଫେରିବା ବିଜେପି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ଏକ ବଡ଼ ପରୀକ୍ଷା ହେବ।

Leave a Reply

Your email address will not be published. Required fields are marked *