Spread the love

ମହାରାଷ୍ଟ୍ର:  ମୁମ୍ବାଇ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ପରିସରରେ ନିର୍ମିତ ଏକ ମସଜିଦକୁ ବେଆଇନ ବୋଲି ଦର୍ଶାଇ ଏହାକୁ ହଟାଇବା ପାଇଁ ଆଦେଶ ଦେଇଛି ମହାରାଷ୍ଟ୍ର ରିଜିଓନାଲ୍ ଆଣ୍ଡ ଡେଭଲପମେଣ୍ଟ ଅଥରିଟି (MMRDA) । ବିମାନବନ୍ଦରର ଟର୍ମିନାଲ୍-୨ର VIP ଆରାଇଭାଲ୍ ଏବଂ ଟ୍ୟାକ୍ସି ଷ୍ଟାଣ୍ଡ ଅଞ୍ଚଳରେ ନିର୍ମିତ ଏହି ମସଜିଦ ପାଇଁ ନିର୍ମାଣ ଅନୁମତି ଦିଆଯାଇନଥିଲା । ତେଣୁ ଏବେ ଏହାକୁ ହଟାଯିବ ବୋଲି ସୂଚନା ମିଳିଛି।

ସୂଚନାନୁଯାୟୀ, ଛତ୍ରପତି ଶିବାଜୀ ମହାରାଜ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ (CSMIA)ର ଟର୍ମିନାଲ୍-୨ ନିକଟରେ ନିର୍ମିତ ମସଜିଦ ଭଳି ଦେଖାଯାଉଥିବା ଏକ କୋଠା ବେଆଇନ ଏବଂ ବିନା ଅନୁମତିରେ ନିର୍ମାଣ କରାଯାଇଛି ବୋଲି MMRDA ସ୍ପଷ୍ଟ କରିଛି । ଏହାରି ମଧ୍ୟରେ ଏହି ମାମଲାକୁ ନେଇ BJP ନେତା କିରିଟ ସୋମାୟାଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, “ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଅଧୀନରେ ମରାଠୀ ମୁମ୍ବାଇକୁ ମୁସଲିମ୍ ମୁମ୍ବାଇରେ ପରିଣତ କରାଯାଉଛି । ଆପଣ ବାନ୍ଦ୍ରା ରେଳ ଟର୍ମିନସ୍ ନିକଟରେ ମଧ୍ୟ ଦେଖିଥିବେ ଯେ, ସେଠାରେ ବହୁ ସଂଖ୍ୟାରେ ବାଂଲାଦେଶୀ ମୁସଲିମ୍ ଆସିଛନ୍ତି ।”

BJP ନେତାଙ୍କ କହିବା ଅନୁସାରେ, ମୁମ୍ବାଇ ଏୟାରପୋର୍ଟର VIP ଗେଟ୍‌ଠାରୁ ମାତ୍ର ୧୫୦ ଫୁଟ୍ ଦୂରରେ ପ୍ରାୟ ୨ରୁ ଅଢ଼େଇ ହଜାର ବର୍ଗଫୁଟ୍ ଅଞ୍ଚଳରେ ଏହି ମସଜିଦ ନିର୍ମାଣ କରାଯାଇଛି । ଏହା ସମ୍ପୂର୍ଣ୍ଣ ଏୟାର କଣ୍ଡିସନ୍ଡ ବୋଲି ସେ ଦାବି କରିଛନ୍ତି । ଏଥିରେ ୧୨ଟି ବଡ଼ ଏୟାର କଣ୍ଡିସନର୍ ଏବଂ ପାଣିର ୩୦ଟି ଟ୍ୟାପ୍ ଲଗାଯାଇଛି ବୋଲି ମଧ୍ୟ ସେ କହିଛନ୍ତି । ଏହା ବିରୋଧରେ ସେ ପୂର୍ବରୁ ସ୍ୱର ଉଠାଇଥିବା ମଧ୍ୟ କହିଛନ୍ତି । ଏବେ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ମୁମ୍ବାଇ ମେଟ୍ରୋପଲିଟାନ୍ ରିଜିଓନ୍ ଡେଭଲପମେଣ୍ଟ ଅଥରିଟି (MMRDA) ମୁମ୍ବାଇ ଏୟାରପୋର୍ଟ କମ୍ପାନୀକୁ ଏହା ଭୁଲ୍ ବୋଲି ଚେତାବନୀ ଦେଇଛି ।

ଅନ୍ୟପକ୍ଷରେ, ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟର T2 ନିକଟରେ ନିର୍ମିତ ମସଜିଦକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ଶରଦ ପାୱାର ଗୋଷ୍ଠୀର ପ୍ରତିକ୍ରିୟା ମଧ୍ୟ ଆସିଛି । NCP-SP ବିଧାୟକ ରୋହିତ ପାୱାର କହିଛନ୍ତି ଯେ, “ମୁମ୍ବାଇ ଏୟାରପୋର୍ଟ ଭିତରେ କୌଣସି ମସଜିଦ ଥିବା ମୋତେ ଜଣା ନଥିଲା। ଯେଉଁ ନିଷ୍ପତ୍ତି ନିଆଯାଇଛି, ଯାହା ସମ୍ଭବତଃ ସୁରକ୍ଷା ଏବଂ ବିମାନ କିମ୍ବା ସାଧାରଣ ଲୋକଙ୍କୁ କୌଣସି ପ୍ରକାର ସମସ୍ୟାରୁ ରକ୍ଷା କରିବା ପାଇଁ ନିଆଯାଇଥିବ । ସେହି ନିଷ୍ପତ୍ତି କିଏ ଏବଂ କାହିଁକି ନେଇଛି, ତାହା ଆମକୁ ଜାଣିବାକୁ ପଡ଼ିବ । ମସଜିଦଟି ଏୟାରପୋର୍ଟ ପରିସର ଭିତରେ ଅଛି ନା ବାହାରେ ଅଛି ତାହା ମଧ୍ୟ ଦେଖିବାକୁ ପଡିବ । କାରଣ ଏହି ମାମଲା ସମ୍ପର୍କରେ ମୋ ପାଖରେ ସମ୍ପୂର୍ଣ୍ଣ ତଥ୍ୟ ନାହିଁ, ତେଣୁ ଏହା ଉପରେ ମୁଁ କୌଣସି ମନ୍ତବ୍ୟ ଦେଇପାରିବି ନାହିଁ ।”

Leave a Reply

Your email address will not be published. Required fields are marked *