Spread the love

ବଲୁଚିସ୍ତାନ: ବଲୁଚିସ୍ତାନର ଖୁଜଦାର୍‌ ଜିଲ୍ଲାରେ ଦୁଇଟି ପୃଥକ୍‌ ଘଟଣାରେ ଜଣେ ୧୩ ବର୍ଷୀୟ ବାଳକଙ୍କ ସମେତ ୫ ନାଗରିକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବଲୁଚିସ୍ତାନ ନ୍ୟାସନାଲ ପାର୍ଟି (ବିଏନ୍‌ପି) ଏହି ହତ୍ୟା ପାଇଁ ପାକିସ୍ତାନ ସୁରକ୍ଷାବାହିନୀକୁ ଦାୟୀ କରିଥିବା ବଲୁଚିସ୍ତାନ ପୋଷ୍ଟ ପ୍ରକାଶ କରିଛି। ରାତି ପ୍ରାୟ ୧୦ଟା ସମୟରେ ୱାଧ ତହସିଲର ଏକ ଆବାସିକ ଘରେ ଫ୍ରଣ୍ଟିୟର୍ କର୍ପସ୍ କର୍ମଚାରୀମାନେ ଚଢାଉ କରିବା ପରେ ଚାରି ଜଣ ଲୋକଙ୍କୁ ହତ୍ୟା କରିଥିଲେ।

ଏହି ଘଟଣାରେ ଜଣେ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ହତ୍ୟାକାଣ୍ଡ ପରେ ସ୍ଥାନୀୟ ଲୋକମାନେ କ୍ବେଟା-କରାଚୀ ହାଇୱେ ଅବରୋଧ କରି ପ୍ରତିବାଦ କରିଥିଲେ। ଫ୍ରଣ୍ଟିୟର୍ କର୍ପସ୍ ପକ୍ଷରୁ ନାଗରିକଙ୍କ ଉପରେ ଗୁଳିଚାଳନା କରାଯାଇଥିଲା ବୋଲି ଅଭିଯୋଗ କରାଯାଇଛି। ବିଏନ୍‌ପି ପକ୍ଷରୁ ପୀଡିତଙ୍କୁ ନ୍ୟାୟ ପ୍ରଦାନ ଓ ଦାୟିତ୍ୱ ସ୍ଥାପନ ପାଇଁ ସ୍ୱଚ୍ଛ ଓ ନିରପେକ୍ଷ ତଦନ୍ତ ଦାବି କରାଯାଇଛି। ବଲୁଚ୍ ୟାକଜେହତି କମିଟି ନେତା ଡକ୍ଟର ସବିହା ବଲୁଚ୍ କହିଛନ୍ତି ଯେ, ଗୁଳିଚାଳନାରେ ଅନେକ ସାଧାରଣ ନାଗରିକ ଆହତ ହୋଇଛନ୍ତି, ଯେଉଁଥିରେ ଜଣେ ସାତ ବର୍ଷର ବାଳକ ମଧ୍ୟ ସାମିଲ ଅଛନ୍ତି। ଦିନକ ପୂର୍ବରୁ ଜେହରିର ବଲବାଲ୍ ଅଞ୍ଚଳରେ ବୋମା ବିସ୍ଫୋରଣରେ ଜଣେ ୧୩ ବର୍ଷୀୟ ବାଳକଙ୍କ ମୃତ୍ୟୁ ହୋଇଥିଲା।

Leave a Reply

Your email address will not be published. Required fields are marked *