Spread the love

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀର ପ୍ରଗତି ମୈଦାନସ୍ଥିତ ଭବ୍ୟ ‘ଭାରତ ମଣ୍ଡପମ୍’ଠାରେ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ । ଶନିବାର ଦିନ ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁନିଆର ବଛା ବଛା ଶୀର୍ଷ ନେତାଙ୍କୁ ସ୍ୱାଗତ କରିବା ସହ ‘ଗ୍ଲୋବାଲ୍ ସାଉଥ୍’ର ସ୍ୱରକୁ ଦୃଢ଼ତାର ସହ ଉପସ୍ଥାପନ କରିଛନ୍ତି। ଏହି ଅବସରରେ ମୋଦୀ କହିଛନ୍ତି ଯେ, ନିଜର ୨୦ ବର୍ଷର ସଫଳ ଯାତ୍ରା ପୂରଣ କରି ବ୍ରିକ୍ସ ଏବେ ଏକ ନୂତନ ଏବଂ ପରିପକ୍ୱ ପର୍ଯ୍ୟାୟରେ ପହଞ୍ଚିଛି, ଯେଉଁଠି ଦାୟିତ୍ୱବୋଧର ମହତ୍ତ୍ୱ ଆହୁରି ବଢ଼ିଯାଇଛି ।

ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ବିଶ୍ୱ ଶାସନ ବ୍ୟବସ୍ଥାରେ ଏକ ବଡ଼ ଧରଣର ପରିବର୍ତ୍ତନ ପାଇଁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଯେ, ଆଜିର ସମୟରେ ଗ୍ଲୋବାଲ ସାଉଥର ଦେଶଗୁଡ଼ିକ ବିଶ୍ୱସ୍ତରୀୟ ସମସ୍ୟାର ସମ୍ମୁଖୀନ ହେବାରେ ସବୁଠାରୁ ଆଗରେ ରହୁଥିବା ବେଳେ, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ବେଳେ ସେମାନଙ୍କୁ ପଛରେ ରଖାଯାଉଛି। ତେଣୁ ପୁରୁଣା ‘ବିଶେଷାଧିକାରର ପିରାମିଡ୍ ବ୍ୟବସ୍ଥା’କୁ ବଦଳାଇ ଏକ ନୂତନ ‘ସମାନ ଭାଗିଦାରୀ ମଞ୍ଚ’ ଗଠନ କରିବାର ସମୟ ଆସିଯାଇଛି।

ମୋଦୀଙ୍କ ୧୦ ସୂତ୍ରୀ ରୋଡମ୍ୟାପ୍ ଓ ଜାତିସଂଘ ସଂସ୍କାର: ଆଗାମୀ ବ୍ରିକ୍ସ ସମ୍ମିଳନୀ ସୁଦ୍ଧା ବିଶ୍ୱର ବିଭିନ୍ନ ପ୍ରସଙ୍ଗକୁ ନେଇ ଏକ ‘ବ୍ରିକ୍ସ ସଂସ୍କାର ରୋଡମ୍ୟାପ୍’ ପ୍ରସ୍ତୁତ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ଏଥିରେ ପ୍ରତିନିଧିତ୍ୱ, ଜବାବଦେହିତା ଏବଂ ନିୟମ ପ୍ରଣୟନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ବିଶେଷକରି ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଏବଂ ଅନ୍ତର୍ଜାତୀୟ ଆର୍ଥିକ ସଂସ୍ଥାଗୁଡ଼ିକରେ ବ୍ୟାପକ ସଂସ୍କାର ଆଣିବା ପାଇଁ ସେ ମତ ରଖିଛନ୍ତି ।

ନାବିକଙ୍କ ସୁରକ୍ଷାକୁ ଗୁରୁତ୍ୱ ସମୁଦ୍ର ପଥରେ ବିଶ୍ୱ ବାଣିଜ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ନାବିକମାନଙ୍କ ସୁରକ୍ଷା ନେଇ ମୋଦୀ ଏକ ସ୍ୱତନ୍ତ୍ର ‘ସିଫେରର୍ସ ଇମର୍ଜେନ୍ସି ସପୋର୍ଟ ନେଟୱର୍କ’ ଗଠନ କରିବାକୁ ବିଶ୍ୱ ନେତାଙ୍କୁ ପ୍ରସ୍ତାବ ଦେଇଛନ୍ତି । ଏହାଦ୍ୱାରା ଜରୁରୀ ସମୟରେ ବିଭିନ୍ନ ଦେଶର ନାବିକମାନଙ୍କୁ ତୁରନ୍ତ ଡାକ୍ତରୀ ସହାୟତା ଏବଂ ସୁରକ୍ଷିତ ଉଦ୍ଧାର କାର୍ଯ୍ୟ ସହଜ ହୋଇପାରିବ । ଏହାସହ ବ୍ରିକ୍ସର କାର୍ଯ୍ୟକଳାପରେ ନିରନ୍ତରତା ବଜାୟ ରଖିବା ପାଇଁ ‘ଟ୍ରୋଇକା’ ବ୍ୟବସ୍ଥା ଏବଂ ନିଷ୍ପତ୍ତିଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଏକ ‘ଡିଜିଟାଲ୍ ରିପୋଜିଟୋରୀ’ ପ୍ରତିଷ୍ଠା ଲାଗି ମଧ୍ୟ ସେ ଆହ୍ୱାନ ଦେଇଛନ୍ତି ।

ବୈଠକର ଶେଷ ଭାଗରେ ସବୁଠାରୁ ବଡ଼ ସଫଳତା ସ୍ୱରୂପ ଭାରତ ଦ୍ୱାରା ଆଗତ ‘ନୂଆଦିଲ୍ଲୀ ଘୋଷଣାନାମା ୨୦୨୬’ କୌଣସି ବିରୋଧ ବିନା ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି । ଏହି ବିଶାଳ ସମ୍ମିଳନୀରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସମେତ ବିଶ୍ୱର ଅନେକ ଶୀର୍ଷ ନେତା ଅଂଶଗ୍ରହଣ କରିଛନ୍ତି ।

Leave a Reply

Your email address will not be published. Required fields are marked *