ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ ଗିନିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ରବିବାର ଭୋର ସମୟରେ ରାଜଧାନୀ କୋନାକ୍ରିର ସବୁଠାରୁ ବଡ଼ କଚରା ପାହାଡ଼ ଧସି ପଡ଼ିଛି । ଏହି ଘଟଣାରେ ଅତି କମରେ ୩୦ ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଝୁପଡ଼ି ମାଟି ଓ କଚରା ତଳେ ପୋତି ହୋଇଯାଇଛନ୍ତି।
ଅଧିକାରୀମାନେ କହିଛନ୍ତି ଯେ ରବିବାର ରାତି ପ୍ରାୟ ୨ଟାରୁ ଭାରି ବର୍ଷା ହୋଇଥିଲା । ବର୍ଷା ଯୋଗୁଁ ‘ଡାର୍ ଏସ୍ ସଲାମ’ ଅଞ୍ଚଳରେ ଜମା ହୋଇଥିବା କଚରା ଖସିବା ଆରମ୍ଭ କରିଥିଲା । ପରେ ଏହା ଲ୍ୟାଣ୍ଡସ୍ଲାଇଡର ରୂପ ନେଇ ନିକଟରେ ଥିବା ଝୁପଡ଼ିଗୁଡ଼ିକୁ ଚାପି ଦେଇଥିଲା । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ମାଟି ଓ କଚରା ତଳେ ଫସିଥିବା ଲୋକଙ୍କୁ ଖୋଜୁଛନ୍ତି । ଏହି ଘଟଣାରେ ୬ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି ।
ଅଧିକାରୀଙ୍କ ସୂଚନା ଅନୁସାରେ, ଏହି ବଡ଼ ଖୋଲା କଚରା ଡମ୍ପକୁ ବନ୍ଦ କରିବା ପାଇଁ ରବିବାର ନିଷ୍ପତ୍ତି ନିଆଯାଇଥିଲା । ଏହାର ଆଖପାଖରେ ରହୁଥିବା ଲୋକଙ୍କୁ ମଧ୍ୟ ଜାଗା ଖାଲି କରିବାକୁ ନୋଟିସ୍ ଦିଆଯାଇଥିଲା । ଏହି କାରଣରୁ ଅନେକ ପରିବାର ପୂର୍ବରୁ ସେଠାରୁ ଚାଲିଯାଇଥିଲେ । ତଥାପି ଦୁର୍ଘଟଣା ସମୟରେ ଅନେକ ଲୋକ ସେଠାରେ ରହୁଥିଲେ। ଘଟଣାସ୍ଥଳରେ ପହଞ୍ଚିଥିବା ଆଞ୍ଚଳିକ ପ୍ରଶାସନ ଓ ବିକେନ୍ଦ୍ରୀକରଣ ମନ୍ତ୍ରୀ ଡିଏନାବୁ ଟୁରେ କହିଛନ୍ତି ଯେ, ବଞ୍ଚିଥିବା ପରିବାରଗୁଡ଼ିକୁ ଅନ୍ୟ ସ୍ଥାନରେ ରଖିବାର ବ୍ୟବସ୍ଥା କରାଯିବ ।
ମାଟି ଓ କଚରା ତଳେ ଆହୁରି ଲୋକ ଫସିଥିବା ଆଶଙ୍କା ରହିଛି । ତେଣୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ । ଉଦ୍ଧାରକାରୀ ଦଳ ଲଗାତାର ଖୋଜାଖୋଜି ଜାରି ରଖିଛି । ଲୋକଙ୍କୁ ଘଟଣାସ୍ଥଳରୁ ଦୂରେ ରହିବାକୁ ମଧ୍ୟ କୁହାଯାଇଛି ।