Spread the love

ଦେବଗଡ଼:ସାମାନ୍ୟ ବଚସାକୁ କେନ୍ଦ୍ର କରି ବାପା ଓ ପୁଅଙ୍କୁ ଛୁରାମାଡ। ଏଭଳି ଜଘନ୍ୟ ହତ୍ୟାକାଣ୍ତ ଘଟିଛି, ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଗୌଡସୁଗୁଡ଼ା ଗ୍ରାମରେ। ଛୁରାମାଡରେ ପୁଅ ଟିକେଶ୍ଵର ସାହୁ ଆହାତ ହୋଇଥିବା ବେଳେ  ତାଙ୍କ ବାପା ଗୌତମ ସାହୁଙ୍କ ମୃତ୍ୟୁ ଘଟିଛି। ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ସୂଚନା ଅନୁଯାୟୀ, ଗୌଡସୁଗୁଡ଼ା ଗ୍ରାମରେ ଏକ ମଣ୍ଡପ ନିର୍ମାଣ କାମ ଚାଲିଥିଲା। ଆଜି ସକାଳେ ଗୌତମ ସାହୁ ଏକ ପାଣି ଟ୍ୟାଙ୍କର ନେଇ ସେହି ରାସ୍ତା ଦେଇ ଯାଉଥିଲେ। ତେବେ ରାସ୍ତାରେ ଗୋରୁ ବନ୍ଧା ହୋଇଥିବାରୁ ଟ୍ୟାଙ୍କର ଯିବାରେ ସମସ୍ୟା ହୋଇଥିଲା। ଏନେଇ ବିଜୟ ନାଏକଙ୍କୁ  ଗୌତମ ଗୋରୁ ହଟାଇବାକୁ କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।

ଏହି ସମୟରେ ଗୌତମଙ୍କ ପୁଅ ଟିକେଶ୍ୱର ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଭିଯୋଗ ଅନୁଯାୟୀ, ବଚସା ମଧ୍ୟରେ ବିଜୟ ଉତ୍ତ୍ୟକ୍ତ ହୋଇ ଘରୁ ଏକ ଛୁରୀ ଆଣି ବାପା-ପୁଅଙ୍କ ଉପରେ ଆକ୍ରମଣ କରିଥିଲେ। ଛୁରାମାଡ଼ରେ ଗୌତମଙ୍କ ପେଟରେ ଗଭୀର ଆଘାତ ଲାଗିଥିବାବେଳେ ଟିକେଶ୍ୱରଙ୍କ ପିଠିରେ ଆଘାତ ଲାଗିଥିଲା।

ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ଡାକ୍ତର ଗୌତମ ସାହୁଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଟିକେଶ୍ୱରଙ୍କୁ ଉତ୍ତମ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।ଘଟଣା ପରେ ବାରକୋଟ ପୁଲିସ ହତ୍ୟା ଅଭିଯୁକ୍ତ ବିଜୟ ନାଏକଙ୍କୁ ଅଟକ ରଖିବା ସହ ଘଟଣା ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *