ମଥୁରା : ମଥୁରା ବୃନ୍ଦାବନରେ ଏକ ନିର୍ମାଣାଧୀନ ମଲରେ ଅଭାବନୀୟ ଅଘଟଣ । ଓମେକ୍ସ କୋର୍ଟୟାର୍ଡ ମଲ୍ ରେ ଢଳେଇ କାମ ଚାଲିଥିବା ବେଳେ ହଠାତ୍ ସେଣ୍ଟ୍ରିଂ ଧସିବା ଯୋଗୁଁ ୩ ଜଣ ଶ୍ରମିକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଘଟଣାରେ ଅନ୍ୟ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି ।
ଖବର ମୁତାବକ, ଓମେକ୍ସ କୋର୍ଟୟାର୍ଡ ମଲ୍ ରେ ଛାତ ଢଳେଇ କାମ ଚାଲୁଥିଲା । ଏହି ସମୟରେ ହଠାତ୍ ସେଣ୍ଟ୍ରିଂ ଧସିପଡିଥିଲା । ଏହି ସମୟରେ କାମ କରୁଥିବା ଶ୍ରମିକ ତଳେ ଫସିଯାଇଥିଲେ । ଘଟଣା ପରେ ଚିତ୍କାର ଶୁଣାଯିବା ପରେ ଆଖପାଖର ଲୋକ ଏବଂ ସୁରକ୍ଷାକର୍ମୀ ଘଟଣା ସ୍ଥଳକୁ ଦୌଡି ଆସିଥିଲେ । ସୂଚନା ପାଇ ସ୍ଥାନୀୟ ପୋଲିସ, ଫାୟାର ବ୍ରିଗେଡ ଏବଂ ଆମ୍ବୁଲାନ୍ସ ଗାଡ଼ି ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା ।
ଘଟଣାରେ ଜୀବନ ହରାଇଥିବା ମୃତକଙ୍କ ପରିଚୟ ମିଳିଛି । ସେମାନଙ୍କ ମଧ୍ୟରୁ ନେପାଳବାସୀ ୪୨ ବର୍ଷୀୟ ଶିବରାମ ଜଣେ ରହିଥିବା ବେଳେ ଅନ୍ୟ ଜଣେ ପଶ୍ଚିମବଙ୍ଗଳର ୨୮ ବର୍ଷୀୟ ରଫ୍ୟୁଲ ଏବଂ ୩୦ ବର୍ଷୀୟ ଆଲାମ ବୋଲି ଜଣାପଡିଛି ।
ଘଟଣାରେ ଗୁରୁତର ଥିବା ଜଣେ ଶ୍ରମିକକୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଆଗ୍ରା ଏସଏନ ମେଡିକାଲ କଲେଜକୁ ରେଫର କରାଯାଇଛି । ଘଟଣା ସ୍ଥଳରେ ପ୍ରତ୍ୟକ୍ଷଦର୍ଶୀଙ୍କ ଅଭିଯୋଗ ଯେ, ନିର୍ମାଣ କାର୍ଯ୍ୟରେ ସୁରକ୍ଷା ମାନକ ସଠିକ୍ ନଥିଲା । କାର୍ଯ୍ୟସ୍ଥଳରେ ଶ୍ରମିକଙ୍କ ସୁରକ୍ଷା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କିମ୍ବା ସେଫ୍ଟି ଗିୟର ଉପଲବ୍ଧ ନଥିଲା, ଯେଉଁଥିପାଇଁ ଏଭଳି ଅଘଟଣ ଘଟିଗଲା ।
ସ୍ଥାନୀୟ ଏସପି ସିଟି ରାଜୀବ କୁମାର ସିଂ କହିଛନ୍ତି, ଦୁର୍ଘଟଣାରେ ମୋଟ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣେ ଆହତ ରହିଛନ୍ତି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଉଦ୍ଧାର କାର୍ଯ୍ୟ ସରିବା ପରେ ଅଘଟଣର କାରଣ ଯାଞ୍ଚ କରାଯିବ ।