ନୂଆଦିଲ୍ଲୀ: ଅଗଷ୍ଟ ୧୫ ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ଦେଶର ରାଜଧାନୀ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି। ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ, ଖାଲିସ୍ତାନୀ ତତ୍ତ୍ୱ ଏବଂ ହଠାତ୍ ବିରୋଧ ପ୍ରଦର୍ଶନ (ସ୍ନାପ୍ ପ୍ରୋଟେଷ୍ଟ)ର ଆଶଙ୍କାକୁ ନଜରରେ ରଖି ଦିଲ୍ଲୀ ପୋଲିସ ଓ ସୁରକ୍ଷା ଏଜେନ୍ସିଗୁଡ଼ିକ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଶେଷକରି ଐତିହାସିକ ଲାଲକିଲ୍ଲା ଏବଂ ଏହାର ଆଖପାଖ ଅଞ୍ଚଳରେ କଡ଼ା ସୁରକ୍ଷା ବଳୟ ସୃଷ୍ଟି କରାଯାଇଛି।
ସୂଚନା ଅନୁଯାୟୀ, ସ୍ୱାଧୀନତା ଦିବସ ସମାରୋହରେ ପ୍ରାୟ ୨୪ ହଜାର ଅତିଥି ଯୋଗଦେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ୧୨ ହଜାରରୁ ଅଧିକ ଦିଲ୍ଲୀ ପୋଲିସ କର୍ମଚାରୀ ସୁରକ୍ଷା ଦାୟିତ୍ୱରେ ମୁତୟନ ହେବେ। ଦିଲ୍ଲୀ ପୁଲିସ ସହ ବିଭିନ୍ନ ସୁରକ୍ଷା ଓ ଗୁଇନ୍ଦା ଏଜେନ୍ସି ମିଳିତ ଭାବେ ସମଗ୍ର ବ୍ୟବସ୍ଥା ଉପରେ ନଜର ରଖିବେ।
ଲାଲକିଲ୍ଲା ଓ ଏହାର ଆଖପାଖ ଅଞ୍ଚଳରେ ୧୦୦୦ରୁ ଅଧିକ AI ଆଧାରିତ CCTV କ୍ୟାମେରା ଲଗାଯାଇଛି। AI ଭିଡିଓ ଆନାଲିଟିକ୍ସ ଜରିଆରେ ରିଅଲ୍-ଟାଇମ୍ ନଜରଦାରି କରାଯିବ। ଏହା ସହ ଭିଡ଼ ନିୟନ୍ତ୍ରଣ, ସନ୍ଦିଗ୍ଧ କାର୍ଯ୍ୟକଳାପ ଚିହ୍ନଟ ଏବଂ ଯେକୌଣସି ଅସ୍ୱାଭାବିକ ପରିସ୍ଥିତିକୁ ତୁରନ୍ତ ମୁକାବିଲା କରିବା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି।