ନୂଆଦିଲ୍ଲୀ : ସୀମା ନିର୍ଦ୍ଧାରଣ ବିଲ୍ ଓ ମହିଳା ସଂରକ୍ଷଣ ସଂଶୋଧନ ବିଲ୍କୁ ସଂସଦରେ ଗୃହୀତ କରିବା ପାଇଁ କେନ୍ଦ୍ର ସରକାର କଂଗ୍ରେସର ସହଯୋଗ ଲୋଡ଼ିଛନ୍ତି। ଏଥିପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବୁଧବାର ରାହୁଲ ଗାନ୍ଧୀଙ୍କୁ ସଂସଦ ଭବନସ୍ଥିତ ତାଙ୍କ କାର୍ଯ୍ୟାଳୟରେ ଭେଟିଛନ୍ତି। ପ୍ରାୟ ୧ ଘଣ୍ଟା ଧରି ହୋଇଥିବା ସାକ୍ଷାତ କାଳରେ ରାହୁଲଙ୍କ ସହିତ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉପସ୍ଥିତ ରହିଥିଲେ। ତେବେ ଏହି ଦୁଇ ବିଲ୍ ଗୃହୀତ କରାଇବା ଲାଗି ସରକାରଙ୍କୁ କୌଣସି ପ୍ରକାର ସମର୍ଥନ କରିବାକୁ ରାହୁଲ ମନା କରିଦେଇଛନ୍ତି। ବିଲ୍ ପାଇଁ ସରକାରଙ୍କ ପାଖରେ ଲୋକସଭାରେ ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ନଥିବାରୁ କଂଗ୍ରେସର ସମର୍ଥନ ଲୋଡିଥିଲେ। ମାତ୍ର କଂଗ୍ରେସ ଏହି ପ୍ରସଙ୍ଗରେ ସରକାରଙ୍କୁ ସମର୍ଥନ କରିବାକୁ ମନା କରିଛି।
ରାହୁଲ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାକୁ ଏକ ଷଡ଼ଯନ୍ତ୍ର ବୋଲି ଅଭିହିତ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ ଜନସଂଖ୍ୟା ନିୟନ୍ତ୍ରଣରେ ସଫଳ ହୋଇଥିବା ତାମିଲନାଡୁ, ଓଡ଼ିଶା ଓ ଅନ୍ୟ ଦକ୍ଷିଣ ତଥା ଅଣ-ହିନ୍ଦୀ ଭାଷୀ ରାଜ୍ୟଗୁଡ଼ିକର ସଂସଦୀୟ ଆସନ ଓ ରାଜନୈତିକ ପ୍ରଭାବ କମାଇବା ପାଇଁ ଏହା କରାଯାଉଛି। ଏହି ବିଲ୍ ବ୍ୟତୀତ ଅନ୍ୟ କେତେକ ପ୍ରସଙ୍ଗରେ ସରକାର ଓ ବିରୋଧୀଙ୍କ ମଧ୍ୟରେ ମତାନ୍ତର ହେତୁ ସଂସଦ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ସୀମା ନିର୍ଦ୍ଧାରଣ ବିଲ୍ ଆଗାମୀ ଦିନରେ ଦେଶର ରାଜନୈତିକ ମାନଚିତ୍ର ଓ ରାଜ୍ୟଗୁଡ଼ିକର ଲୋକସଭା ଆସନ ସଂଖ୍ୟା ବଦଳାଇବାର ସମ୍ଭାବନା ଥିବାରୁ ଏହାକୁ ନେଇ କେନ୍ଦ୍ର ଓ ବିରୋଧୀଙ୍କ ମଧ୍ୟରେ ଚର୍ଚ୍ଚା ତୀବ୍ର ହୋଇଛି। ପୂର୍ବରୁ ରାହୁଲ ଏହି ବିଲ୍ ପ୍ରସଙ୍ଗରେ ବିରୋଧୀ ଦଳଗୁଡିକୁ ଏକଜୁଟ୍ ହେବାକୁ କହିଆସୁଛନ୍ତି। ତେଣୁ ଏବେ ବିଲ୍କୁ ସମର୍ଥନ କରିବା ରାହୁଲଙ୍କ ପକ୍ଷେ ସମ୍ଭବ ନୁହେଁ। ସୀମା ପୁନଃନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ବିଲ୍ ପାସ୍ ପାଇଁ ସମ୍ବିଧାନ ସଂଶୋଧନର ଆବଶ୍ୟକ। ଏଥିପାଇଁ ୧୩୧ ତମ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରାଯିବ। ବିଲ୍ ପାଇଁ ସରକାରଙ୍କୁ ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ଆବଶ୍ୟକ। ଲୋକସଭାରେ ଏବେ ଏନଡିଏର ସଂଖ୍ୟା ୨୯୨ ରହିଛି। ଶିବସେନା ୟୁବିଟିର ୬ ଓ ଟିଏମସିର ୨୦ ବିଦ୍ରୋହୀ ସାଂସଦଙ୍କୁ ମିଶାଇ ମୋଟ ସଂଖ୍ୟା ୩୧୮ ହୋଇଛି। ମାତ୍ର ସରକାରଙ୍କୁ ୩୬୦ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ରାଜ୍ୟସଭାରେ ମଧ୍ୟ ସରକାରଙ୍କର ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ନାହିଁ। ରାଜ୍ୟସଭାରେ ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତାର ଅଙ୍କ ହେଉଛି ୧୬୬। ମାତ୍ର ଏନଡିଏର ସଂଖ୍ୟା ଏବେ ୧୫୨ ରହିଛି। ଯାହା ସଂଖ୍ୟାଗରିଷ୍ଠତା ଠାରୁ ଆହୁରି ୧୪ କମ୍। ସୀମା ପୁନଃ ନିର୍ଦ୍ଧାରଣ ବିଲ୍ ଦ୍ବାରା ଲୋକସଭା ସଦସ୍ୟ ସଂଖ୍ୟା ୫୦% ବୃଦ୍ଧି ହେବ।