Spread the love

ନବରଙ୍ଗପୁର: ନିର୍ଦ୍ଦୋଷରେ ୨୨ ବର୍ଷ ସଜା କାଟିଲେ । ୨୦୦୪ ମସିହାରେ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ହିରିଲି ଅଞ୍ଚଳରେ ତିନି ମହିଳାଙ୍କୁ ହତ୍ୟା ଘଟଣା । ନିର୍ଦ୍ଦୋଷରେ ଖଲାସ ହେଲେ ଗିରଫ ବ୍ୟକ୍ତି । ଦୀର୍ଘ ୨୨ ବର୍ଷ ସଜା କାଟିବା ପରେ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ସୁପ୍ରିମକୋର୍ଟ । ମାମଲାରେ ଉପସ୍ଥାପିତ ପ୍ରମାଣକୁ ଦୁର୍ବଳ ଓ ଅତ୍ୟନ୍ତ ଅବିଶ୍ୱସନୀୟ ବୋଲି କୋର୍ଟ କହିଛନ୍ତି । କଡ଼ା ଟିପ୍ପଣୀ ରଖି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, କୌଣସି ବିଶ୍ୱସନୀୟ ପ୍ରମାଣ ବିନା ଜଣେ ବ୍ୟକ୍ତିଙ୍କ ଜୀବନର ୨୨ ବର୍ଷ କାଢ଼ି ନିଆଯାଇଛି । ନ୍ୟାୟମୂର୍ତ୍ତି ଏସ୍. କେ. ସିଂହ, ଜେ. ବି. ପାରଡିୱାଲା ଓ କେ. ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ କହିଛନ୍ତି, କେବଳ ସନ୍ଦେହ ଆଧାରରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା, ଥାର୍ଡ ଡିଗ୍ରୀ ନିର୍ଯାତନା ଦେଇ ସ୍ୱୀକାରୋକ୍ତି ହାସଲ କରିବା ଏବଂ ସେହି ଆଧାରରେ ଦୋଷୀ ସାବ୍ୟସ୍ତ କରିବା ନ୍ୟାୟର ମୂଳ ନୀତି ବିରୋଧୀ ।

୨୦୦୪ରେ ହିରିଲି ଅଞ୍ଚଳରେ କମଳା, ସୋନବାରୀ ଓ ରତନାଇ ନାମକ ତିନିଜଣ ମହିଳାଙ୍କୁ ହତ୍ୟା ହୋଇଥିଲା । ଅଭିଯୋଗ ପକ୍ଷର ମାମଲା ପ୍ରାୟ ସମ୍ପୂର୍ଣ୍ଣ ଭାବେ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଉପରେ ନିର୍ଭର କରିଥିଲା । ସେ ଦାବି କରିଥିଲେ ଯେ, ଅର୍ଜୁନ ଜାନି ରତନାଇଙ୍କୁ ଆକ୍ରମଣ କରୁଥିବାର ସେ ଦେଖିଥିଲେ । କିନ୍ତୁ ସେହି ସାକ୍ଷୀ କହିଥିଲେ ଯେ, ସେହି ସମୟରେ ସେ ସେହି ରାସ୍ତାରେ ଯାଇଥିଲେ ମଧ୍ୟ ଅନ୍ୟ ଦୁଇ ମହିଳାଙ୍କ ମୃତଦେହ ଦେଖିନଥିଲେ। ତାଙ୍କ ବୟାନ ମଧ୍ୟ ବିଭିନ୍ନ ସମୟରେ ବିଭିନ୍ନ ଲୋକଙ୍କୁ ଭିନ୍ନ ଭିନ୍ନ ଭାବରେ କହିଥିବାରୁ ଅସଙ୍ଗତି ଦେଖାଯାଇଥିଲା । ଟ୍ରାଏଲ୍ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ପରେ ଅର୍ଜୁନ ଜାନି ହାଇକୋର୍ଟରେ ଅପିଲ କରିଥିଲେ । କିନ୍ତୁ ବିଳମ୍ବ ଦର୍ଶାଇ ହାଇକୋର୍ଟ ଶୁଣାଣି ନକରି ଅପିଲ ଖାରଜ କରିଦେଇଥିଲେ। ପରେ ଏନେଇ ସେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିବା ବେଳେ, ମାମଲାର ରାୟ ଶୁଣାଇ ଅର୍ଜୁନ ଜାନିଙ୍କୁ ଦୋଷମୁକ୍ତ କରିଛନ୍ତି । ଏହା ସହିତ ସୁପ୍ରିମକୋର୍ଟ କୋରାପୁଟ ଜିଲ୍ଲା ଲିଗାଲ୍ ସର୍ଭିସେସ୍ ଅଥରିଟିକୁ ଜିଲ୍ଲା ପ୍ରଶାସନର ସହଯୋଗରେ ଅର୍ଜୁନ ଜାନିଙ୍କ ପୁନର୍ବାସ ଓ ସମାଜରେ ପୁନଃ ଅନ୍ତର୍ଭୁକ୍ତି ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପଟେ ଜେଲରୁ ବାହାରି ଅସହାୟ ହୋଇପଡିଛନ୍ତି ଅର୍ଜୁନ । ନିଜର କେହି ନଥିବାରୁ ଅର୍ଜୁନ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ମଧ୍ୟ ନାହିଁ, ଏଣୁ ତାଙ୍କୁ ଥଇଥାନ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *